ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରୁ ଚାଉଳ ନେବା ପ୍ରସଙ୍ଗରେ କେନ୍ଦ୍ରସରକାରଙ୍କ ଉପରେ ବର୍ଷିଛି ବିଜେଡି। ରାଜ୍ୟରୁ ସଂଗୃହିତ ଉଷୁନା ଚାଉଳର କେବଳ ୫୦ ପ୍ରତିଶତ କିଣିବା ପାଇଁ କେନ୍ଦ୍ର ସରକାର ଚିଠି କରି କହିଛନ୍ତି। ତେଣୁ ଯଦି ବଳକା ଚାଉଳ କେନ୍ଦ୍ର ନ ନେବେ ତେବେ ରାଜ୍ୟ ସରକାରଙ୍କ ଉପରେ ବୋଝ ବଢ଼ିଯିବ ବୋଲି ବିଜେଡି ଦାବି କରିଛି। ସେହିପରି ଚାଷୀମାନଙ୍କ ହିତରେ କେନ୍ଦ୍ର କେବେ ବି ଧ୍ୟାନ ଦେଉ ନଥିବା ବିଜେଡି ଅଭିଯୋଗ କରିଛି।
ସୋମବାର ବିଜେଡି ପକ୍ଷରୁ ଏକ ସାମ୍ଵାଦିକ ସମ୍ମିଳନୀରେ ବିଜେଡି ନେତା ରୋହିତ ପୂଜାରୀ ଏବଂ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ, ଚଳିତ ବର୍ଷ ରାଜ୍ୟରୁ ଉତ୍ପାଦିତ ଉଷୁନା ଚାଉଳର କେବଳ ୫୦ ପ୍ରତିଶତ ନେବା ପାଇଁ କେନ୍ଦ୍ର କହିଛି। ରାଜ୍ୟରେ ଏଯାବତ୍ ୩୫ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି, ଆଉ ୩୦ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରହିଛି। ଏ ସମସ୍ତ ଧାନ କିଣା ବାବଦରେ ଚାଷୀଙ୍କ ସମସ୍ତ ପ୍ରାପ୍ୟ ରାଜ୍ୟ ସରକାର ବହନ କରିଛନ୍ତି। କେନ୍ଦ୍ର ସରକାର ଏଯାଏଁ ଟଙ୍କାଟିଏ ବି ଦେଇ ନାହାନ୍ତି। ତେଣୁ ଯଦି କେନ୍ଦ୍ର ଏବେ ବଳକା ଧାନ ନ କିଣିବ ତେବେ ରାଜ୍ୟ ଉପରେ ପ୍ରାୟ ୧୦ ହଜାର କୋଟିର ବୋଝ ପଡ଼ିଯିବ।
ଧାନ ଉତ୍ପାଦନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହୋଇଥିବା ବେଳେ ରାଜ୍ୟର ଚାଷୀଙ୍କୁ କେନ୍ଦ୍ର ସରକାର ଭୁଆଁ ବୁଲାଉଥିବା କହିଛି ବିଜେଡି। ଓଡ଼ିଶାକୁ ଏଯାଏଁ ୨୮୫୦କୋଟିର ସବସିଡି ଟଙ୍କା ଦେଇନାହାନ୍ତି କେନ୍ଦ୍ର ସରକାର। ଏଥି ସହ ଚାଷୀମାନଙ୍କ ପାଇଁ ରାଜ୍ୟ ସରକାର ବାରମ୍ଵାର ଦାବି କରି ଆସୁଥିବା ବର୍ଦ୍ଧିତ ଏମଏସପି ଲାଗୁ ସହ ସ୍ୱାମୀନାଥନ କମିଟି ରିପୋର୍ଟକୁ ମଧ୍ୟ କେନ୍ଦ୍ର ଗ୍ରହଣ କରୁ ନଥିବା ବିଜେଡି ଅଭିଯୋଗ କରିଛି।
ଅନ୍ୟପଟେ ଚାଷୀ ସ୍ଵାର୍ଥ ପ୍ରସଙ୍ଗରେ ରାଜ୍ୟ ବିଜେପିକୁ ଟାର୍ଗେଟ କରିଛି ବିଜେଡି। ଚାଷୀଙ୍କ ହିତ ପାଇଁ ବିଜେପି କେବେ ବି ଗୁରୁତ୍ଵ ଦେଇ ନଥିବା ବିଜେଡି କହିଛି। ଧାନକିଣାକୁ କେନ୍ଦ୍ରକରି ଆସନ୍ତା ୨୧ ତାରିଖରେ ସମ୍ଵଲପୁର ରାଜ୍ୟସ୍ଵ କମିସନରଙ୍କ କାର୍ଯ୍ୟାଳୟ ଘେରାଉ ପାଇଁ ବିଜେପି ଚେତାବନୀ ଦେଇଥିବା ବେଳେ ବିଜେଡି ଏହାକୁ ନିନ୍ଦା କରି କହିଛି ଯେ, ଯଦି ବିଜେପି ଚାଷୀଙ୍କ ହିତରେ ଅଛି ତେବେ କେନ୍ଦ୍ରରେ ଥିବା ସରକାରଙ୍କୁ କହି ଶସ୍ୟର ଏମଏସପି ବୃଦ୍ଧି କରୁ।