ଭାସ୍କର ପରିଚ୍ଛା
ଉତ୍କଳରତ୍ନ ବାରିଷ୍ଟର ବିଶ୍ୱନାଥ ମିଶ୍ର ଥିଲେ ଏକ କିମ୍ବଦନ୍ତୀ। ତେଣୁ ତାଙ୍କୁ ଯଥାର୍ଥରେ କୁହାଯାଉଛି ଓଡ଼ିଶା ଇତିହାସର ବହ୍ନିପୁରୁଷ। ତାଙ୍କ ଜୀବନର କିଛି ବିରଳ ଘଟଣାବଳୀକୁ ନେଇ ପ୍ରଫେସର ସୂର୍ଯ୍ୟ କୁମାର ମିଶ୍ରଙ୍କ ଦ୍ଵାରା ଲିଖିତ ଜୀବନୀ ପୁସ୍ତକ “ଓଡ଼ିଶା ଇତିହାସର ବହ୍ନିପୁରୁଷ ଉତ୍କଳରତ୍ନ ବାରିଷ୍ଟର ବିଶ୍ୱନାଥ ମିଶ୍ର”।
ସାକ୍ଷୀଗୋପାଳ ନିକଟ ସୋମେଶ୍ୱରପୁରରେ ଜନ୍ମିତ ବିଶ୍ୱନାଥ ୧୯୦୪ରେ ଏଫଏ ପାସ କରି ସେହି ବର୍ଷ କୂଳବୃଦ୍ଧ ମଧୁସୂଦନଙ୍କ ଉପଦେଶରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଭାଷା ଶିକ୍ଷକ ଭାବରେ ରସୁଲକୋଣ୍ଡା (ଆଧୁନିକ ଭଞ୍ଜନଗର)ଯାଇଥିଲେ। ଏଥିରେ କିନ୍ତୁ ତାଙ୍କର ଅନିସନ୍ଧିତ୍ସୁ ମନ ସନ୍ତୁଷ୍ଟ ହୋଇ ରହି ପାରିନଥିଲା। ଏଣୁ ସେ ଓକିଲାତି ପଢ଼ିବା ପାଇଁ ମାଡ୍ରାସ ଗଲେ। ୧୯୦୬ରେ ଓକିଲାତି ସାରି ସେ ଆସ୍କାରେ ଜଣେ ଉଚ୍ଚକୋଟୀର ଆଇନଜୀବୀ ଭାବେ ନିଜ ଜୀବନ ଆରମ୍ଭ କରିଥିଲେ। ସେ ଚାହିଁଥିଲେ କଟକରେ ମଧ୍ୟ ଓକିଲାତି କରି ପରିଥାନ୍ତେ, କିନ୍ତୁ ଗଞ୍ଜାମ ଛାଡ଼ି ସେ ଅନ୍ୟତ୍ର ଯାଇନଥିଲେ କାରଣ ତାଙ୍କୁ ଏଠି ବହୁତ କିଛି କରିବା ପାଇଁ ଥିଲା।
ବିଶ୍ୱନାଥ ମିଶ୍ରଙ୍କ ସମୟରେ ଓଡ଼ିଆ ବାରିଷ୍ଟର କେହି ନଥିଲେ। ଏଣୁ ୧୯୦୮ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରେ ପବ୍ଲିକ ପରୀକ୍ଷା ଦେଇ ସଫଳ ହୋଇଥିଲେ। ଅଦମ୍ୟ ଚେଷ୍ଟା ଫଳରେ ସେ ଲଣ୍ଡନ ‘ଗ୍ରେଜ ଇନ’ରେ ବାରିଷ୍ଟରୀ ପଢିବା ପାଇଁ ବିବେଚିତ ହୋଇଥିଲେ। ତେବେ ବାପାଙ୍କ ଆକଟ ଯୋଗୁଁ ବିଶ୍ୱନାଥ ପ୍ରଥମ ଉଦ୍ୟମରେ ବିଲାତ ଯାଇପାରିନଥିଲେ। କିନ୍ତୁ ପରେ ସେ ‘ମିଡଲ ଟେମ୍ପଲ’ରେ ନାମ ଲେଖାଇଲେ। ସବୁଠାରୁ ବଡ଼ କଥା ହେଲା ସେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସହପାଠୀ ଥିଲେ। ଏହା ୧୯୧୦-୧୨ର ଘଟଣା। ତା’ପର ବର୍ଷ ପଟେଲଙ୍କ ସହ ବିଶ୍ୱନାଥ ମିଶ୍ର ବି ‘କଲ ଟୁ ଦି ବାର’ ପାଇଥିଲେ ଓ ‘ବାର-ଆଟ-ଲ’ ହୋଇଥିଲେ। ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର। ୧୯୩୩ ମସିହା ସେପ୍ଟେମ୍ବର ୧୯ ତାରିଖରେ ତାଙ୍କର ଦେହତ୍ୟାଗ ହୋଇଥିଲା।
ଏଭଳି ଜଣେ ମହାନ ବ୍ୟକ୍ତିଙ୍କ ବିଧିବଦ୍ଧ ଜୀବନୀ ଲିଖନର ଆବଶ୍ୟକତା ଥିବା ବେଳେ ପ୍ରଫେସର ସୂର୍ଯ୍ୟ କୁମାର ମିଶ୍ର ତାହାକୁ ପୂରଣ କରିପାରିଛନ୍ତି। ବିଶ୍ୱନାଥ ମିଶ୍ରଙ୍କ ଜୀବନର ଅସଂଖ୍ୟ ଘଟଣାବଳୀକୁ ନେଇ ଲିଖିତ ଏହି ପୁସ୍ତକରେ କେବଳ ବିଶ୍ୱନାଥ ମିଶ୍ରଙ୍କ ଜୀବନର ବିରଳ ଘଟଣାବଳୀର ଅବତାରଣା ହୋଇଛି ତାହା ନୁହେଁ ସେ ସମୟର ଅନେକ ଦସ୍ତାବିଜ୍ ମଧ୍ୟ ସ୍ଥାନିତ ହୋଇଛି।
ସମ୍ପ୍ରତି କାନାଡାରେ ରହୁଥିବା ଲେଖକ ପ୍ରଫେସର ସୂର୍ଯ୍ୟ ମିଶ୍ର ନିଜେ ଜଣେ ସୁନାମଧନ୍ୟ ବିଜନେସ ମ୍ୟାନେଜେମେଣ୍ଟ ପ୍ରଫେସର। ଆମେରିକାର ଫ୍ରାଙ୍କ ବର୍ଟନ ସ୍କୁଲରୁ ଉଚ୍ଚ ଶିକ୍ଷା ଲାଭ କରିଥିବା ଏବଂ ୧୯୮୩ ମସିହାରୁ ଅଧ୍ୟାପନା ଆରମ୍ଭ କରିଥିବା ସୂର୍ଯ୍ୟ ମିଶ୍ର ଓଡ଼ିଶାରେ ବିଭିନ୍ନ ମ୍ୟାନେଜମେଣ୍ଟ କଲେଜ ପ୍ରତିଷ୍ଠାରେ ମଧ୍ୟ ଅବଦାନ ରଖିଛନ୍ତି।
ଆଲୋଚ୍ୟ ପୁସ୍ତକରେ ବିଶ୍ୱନାଥ ମିଶ୍ରଙ୍କ ସମଗ୍ର ଜୀବନର ଝଲକ ରହିଛି। ବିଶେଷ କରି ବିଛିନ୍ନାଞ୍ଚଳ ମିଶ୍ରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ବାରିଷ୍ଟର ମିଶ୍ରଙ୍କ କଣ ଭୂମିକା ରହିଥିଲା ତାହାର ଏକ ପ୍ରାଞ୍ଜଳ ବର୍ଣ୍ଣନା ପୁସ୍ତକରେ ପଢ଼ିବାକୁ ମିଳେ।
ମୋଟ ୨୫ଟି ଅଧ୍ୟାୟ ବିଶିଷ୍ଟ ଏହି ଜୀବନୀରେ ବିଶ୍ଵନାଥଙ୍କ ପିଲାଦିନ, ତାଙ୍କର ବିଦେଶ ଗସ୍ତ ଓ ଅଧ୍ୟୟନ, ଉତ୍କଳ ସମ୍ମିଳନୀରେ ତାଙ୍କ ଯୋଗଦାନ, ମହାତ୍ମାଗାନ୍ଧୀଙ୍କ ସହ ଭେଟ, ସାଇମନ କମିସନରେ ତାଙ୍କର ଯୁକ୍ତି, ଫିଲିପ ଡଫ କମିଟି, ଓଡନେଲ କମିଟିରେ ତାଙ୍କର ପ୍ରସ୍ତାବନା, ‘ଆଶା’ ଖବରକାଗଜ ସହ ତାଙ୍କ ସମ୍ପର୍କ, କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାରେ ଯୋଗଦାନ, ଭଗତ ସିଂହଙ୍କ ଫାଶୀ ବିରୁଦ୍ଧରେ ତାଙ୍କ ଯୁକ୍ତି ଉପସ୍ଥାପନ, ଶେଷ ସମୟ – ଏସବୁର ସମାହାର ଏହି ଜୀବନୀ।
ବିଶ୍ୱନାଥ ମିଶ୍ର ବାରିଷ୍ଟର ହୋଇ ଫେରିବା ପରେ କଲିକତା ହାଇକୋର୍ଟରେ ଯୋଗଦାନ ଅବସରରେ ବ୍ୟାସକବି ଫକୀରମୋହନ ତାଙ୍କ ‘ଉତ୍କଳ ଭ୍ରମଣ’ ପୁସ୍ତକରେ ଲେଖିଥିଲେ:
“ୱେଲ ମିଷ୍ଟର ବିଏନ ମିଶ୍ର ଗୁଡବାଇ ଗୁଡବାଇ
ଭଲ ଆଦର୍ଶଟା ଏକା ଗଲ ତ ଦେଖାଇ
ଯାତ୍ରୀ-ତଣ୍ଟିଚିପା ପଣ୍ଡା ଯିବ ବିଲାତକୁ
ସ୍ୱପ୍ନରେ କେ ଆଣିଥିଲା ଏକଥା ମନକୁ।”
ଲେଖକ ପ୍ରଫେସର ମିଶ୍ରଙ୍କ ମତରେ ସ୍ୱାଭିମାନର ପ୍ରତୀକ ଥିଲେ ବିଶ୍ଵନାଥ। ଓଡ଼ିଆ ଅସ୍ମିତାର ଉଦାହରଣ ଥିଲେ ବିଶ୍ଵନାଥ। ଓଡ଼ିଶାର ଗୌରବ ଗାଥାର ପ୍ରଚାରକ ଥିଲେ ବିଶ୍ୱନାଥ। ଏକାଧାରରରେ ସେଥିଲେ ସଂସ୍କାରକ, ବିଚକ୍ଷଣ ଆଇନଜ୍ଞ, ମହାନ ବିଦ୍ୱାନ ଓ ଦୃଢ଼ ଏବଂ କର୍ମଠ ବ୍ୟବସ୍ଥାପକ। ଶୟନେ, ସପନେ, ଜାଗରଣେ ‘ଓଡ଼ିଶା ଓ ଓଡ଼ିଆ’ ହିଁ ଥିଲା ତାଙ୍କ ଜୀବନର ମୂଳ ଓ ଶେଷ ମନ୍ତ୍ର।
ମହେନ୍ଦ୍ର ମିଶ୍ରଙ୍କ ମୁଖବନ୍ଧ ସହ ପ୍ରଫେସର ସୂର୍ଯ୍ୟ କୁମାର ମିଶ୍ରଙ୍କ ଏହି ଜୀବନୀ ପୁସ୍ତକ ଓଡ଼ିଶାର ଜଣେ ବରପୁତ୍ରଙ୍କ ପ୍ରତି ଯଥାର୍ଥ ଓ ସମୟୋପଯୋଗୀ ଶ୍ରଦ୍ଧାଞ୍ଜଳି। ବାରିଷ୍ଟର ବିଶ୍ୱନାଥ ମିଶ୍ରଙ୍କ ସମ୍ପର୍କରେ ଯେଉଁମାନେ ଅଧିକ ଜାଣିବାକୁ ଚାହାଁନ୍ତି ଏବଂ ଏପରିକି ସାଧାରଣ ପାଠକଙ୍କ ପାଇଁ ଏହି ପୁସ୍ତକଟି ଅତ୍ୟନ୍ତ ଉପାଦେୟ। ଏହା କେବଳ ଏକ ଜୀବନୀ ନୁହେଁ, ଓଡ଼ିଶାର ତତ୍କାଳୀନ ଇତିହାସର ଏକ ଆଇନା ମଧ୍ୟ।
ଉତ୍କଳରତ୍ନ ବାରିଷ୍ଟର ବିଶ୍ୱନାଥ ମିଶ୍ର
ପ୍ରଫେସର ଡକ୍ଟର ସୂର୍ଯ୍ୟ କୁମାର ମିଶ୍ର
ଲାର୍କ ବୁକ୍ସ
ଭୌମ ନଗର
ଭୁବନେଶ୍ୱର