ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ରାଜଭବନର ଆଧୁନିକୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରବିବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଥି ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାଜଭବନ ଆଧୁନିକୀକରଣ ଏବଂ ସଂରକ୍ଷଣ ନିମନ୍ତେ ପ୍ରକଳ୍ପର ମୂଲ୍ୟ ମୋଟ ୨ କୋଟି ୯୦ ଲକ୍ଷ ରହିଛି। ଆସନ୍ତା ୪ ମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବାକୁ ଲକ୍ଷ ରଖାଯାଇଛି।

ବାତ୍ୟା ଫନିରେ ଗୁରୁତର ଭାବେ ପୁରୀ ସହର ପ୍ରଭାବିତ ହୋଇଥିଲା। ଏଥିରୁ ବାଦ୍ ପଡ଼ି ନଥିଲା ପୁରୀ ରାଜଭବନ। ଏହା ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ଫନି ପରେ ଏବେ ପୁରୀ ସହରକୁ ପୂର୍ବପରି ବନାଇବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି।ପୁରୀ ସହର ଏବେ ସାରା ବିଶ୍ଵ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବାରେ ଲାଗିଛି। ପୁରୀର ଉନ୍ନତିକରଣ ନିମନ୍ତେ ନିରନ୍ତର ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସଚିବ ଡକ୍ଟର ପ୍ରମୋଦ ମେହେର୍ଦ୍ଦା, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି କେ. ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ମୁଖ୍ୟ ଯନ୍ତ୍ରୀ ବିଜୟ କୁମାର ତ୍ରିପାଠୀ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଗିରିଶ ଚନ୍ଦ୍ର ରାୟ, ସହାୟକ ନିର୍ବାହୀ ଯନ୍ତ୍ରୀ ଘନଶ୍ୟାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Comment