ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଉରକେଲାର ବିପିୟୁଟି କ୍ୟାମ୍ପସରେ ନିର୍ମାଣ ହେବାକୁ ଯାଉଛି ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମ। ୨୦୨୨ ମଧ୍ୟଭାଗ ଆଡ଼କୁ ଏହି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ ହେବ। ତେବେ ଏହି ଷ୍ଟାଡିୟମର ରୂପରେଖ କ’ଣ ହେବ ତା’ର ସ୍ଥିତି ଅନୁଧ୍ୟାନ ପାଇଁ ମଙ୍ଗଳବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ନେତୃତ୍ୱରେ ଏକ ଟିମ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ରାଉରକେଲାରେ ଏକ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କରାଯିବା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସରେ ଘୋଷଣା କରିଥିଲେ। ଏହି ଷ୍ଟାଡିୟମ ୨୦୨୩ ମସିହାରେ ଓଡ଼ିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ଵକପର ଅନ୍ୟତମ ଆୟୋଜନସ୍ଥଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଷ୍ଟାଡିୟମଟି ଦେଶର ସର୍ବବୃହତ୍ ହକି ଷ୍ଟାଡିୟମ ହେବ ଏବଂ ଏଥିରେ ଏକା ସାଙ୍ଗରେ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ।

ବିପିୟୁଟିରେ ହେବାକୁ ଥିବା ଏହି ପ୍ରସ୍ତାବିତ ହକି ଷ୍ଟାଡିୟମ ଉଭୟ ଖେଳାଳି ଏବଂ ଦର୍ଶକମାନଙ୍କୁ ଯେପରି ବିଶ୍ଵସ୍ତରୀୟ ଅନୁଭୁତି ପ୍ରଦାନ କରିପାରିବ ତାକୁ ଦୃଷ୍ଟିରେ ରଖି ଏହାର ଡିଜାଇନ ପ୍ରସ୍ତୁତ କରାଯାଉଛି। ତେଣୁ ଏହାକୁ ବିଶ୍ଵର ଅତ୍ୟାଧୁନିକ ହକି ଷ୍ଟାଡିୟମ ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ମୁଖ୍ୟ ପିଚ୍ ସହ ଫ୍ଲଡ ଲାଇଟ୍, ଅଭ୍ୟାସ ପିଚ୍, ଜିମ୍, ହାଇଡ୍ରୋ ଥେରାପି, ମିଡିଆ କେନ୍ଦ୍ର, ବେତାର କେନ୍ଦ୍ର ସହିତ ପାର୍କିଂ ଏବଂ ଦର୍ଶକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବ୍ୟବସ୍ଥା ରହିବ।

ସୁନ୍ଦରଗଡ଼ ଜିଲ୍ଲା ହକି ଖୋଳାଳିଙ୍କ ପାଇଁ ପ୍ରସିଦ୍ଧ। ଭାରତୀୟ ହକି ଦଳକୁ ସୁନ୍ଦରଗଡ଼ର ମହାନ ଅବଦାନ ପ୍ରତି ସମ୍ମାନ ଜଣାଇ ରାଜ୍ୟ ସରକାର ଏହି ବିଶ୍ଵସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ପାଇଁ ପଦକ୍ଷେପ ନେଇଛନ୍ତି। ଏହି ଷ୍ଟାଡିୟମ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ଏକ ପ୍ରମୁଖ ସ୍ଥାନରେ ପରିଣତ ହେବ ବୋଲି ଆଶା କରାଯାଉଛି।

ଆଜି ଏହି ଟିମ୍‌ରେ ଅନ୍ୟମାନଙ୍କ ମଧ୍ୟରେ ଥିଲେ, ସ୍ଵତନ୍ତ୍ର କ୍ରୀଡ଼ା ସଚିବ ଭୀନିଲ କ୍ରୀଷ୍ଣା, ପୂର୍ତ୍ତ ବିଭାଗ ସଚିବ ଡକ୍ଟର କ୍ରୀଷନ କୁମାର, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡ଼ା, ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ୍, ରାଉରକେଲା ଏସପି ଏମ କେ ଭାମୋ।

Comment