ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ରାସ୍ତା ଉପରେ ଗାଡ଼ି ରଖିଲେ ଏଣିକି ଅଧିକ ପାର୍କିଂ ଫି ଦେବାକୁ ହେବ। ଏପ୍ରିଲ ପହିଲା ତାରିଖରୁ ଏହି ବୃଦ୍ଧି ଲାଗୁ ହେବ। ଏନେଇ ବିଏମସି ପକ୍ଷରୁ ୩୨ ଟି ପାର୍କିଂ ଜାଗା ପାଇଁ ଟେଣ୍ଡର ଡକାଯାଇଛି।

ବିଏମସି ଆହ୍ୱାନ କରିଥିବା ଟେଣ୍ଡରରେ ଦୁଇ ଚକିଆ ଯାନ ପାଇଁ  ପ୍ରଥମ ଦୁଇ ଘଣ୍ଟା ୫ ଟଙ୍କା , ତିନି ଘଣ୍ଟା ପାଇଁ ୧୫ ଟଙ୍କା, ୪ ଘଣ୍ଟା ପାଇଁ ୨୫ ଟଙ୍କା ଓ ୫ ଘଣ୍ଟା ପାଇଁ ୩୫ ଟଙ୍କା ଦେବାକୁ ହେବ।

ଅଟୋ ରିକ୍ସା, ଚାରି ଚକିଆ ଯାନ ଆଦି ପାଇଁ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ପାର୍କିଂ ଫି ଦେବାକୁ ପଡ଼ିବ। ତେବେ ସାଇକେଲ ପାର୍କିଂ ପାଇଁ କୌଣସି ଶୁଳ୍କ ଦେବାକୁ ହେବ ନାହିଁ।

ବିଏମସିର ଜଣେ ଅଧିକାରୀ କହିଛନ୍ତି ଯେ ସହର ମଧ୍ୟରେ ପାର୍କିଂ ସ୍ଥାନ କମ ଥିବା ଦୃଷ୍ଟିରୁ ନିଜ ଗାଡ଼ି ବ୍ୟବହାର ନକରି ସର୍ବସାଧାରଣ ଯାନ ବ୍ୟବହାର ଉପରେ ଆମେ ଗୁରୁତ୍ୱ ଆରୋପ କରୁଛୁ। ନୂଆ ପାର୍କିଂ ଫି ଫଳରେ ରାସ୍ତାରେ ଗାଡ଼ି ଚଳାଚଳ କମ ହେବା ଆଶା କରାଯାଉଛି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ବିଏମସି ମାଷ୍ଟର କ୍ୟାଣ୍ଟିନ ଓ ରାଜମହଲ ଛକରେ ପାର୍କିଂ ଫି ଆଦାୟ ପାଇଁ କିନ୍ନରଙ୍କୁ ନିଯୁକ୍ତ କରିଥିଲା।

Comment