ଓଡ଼ିଶାଲାଇଭ୍‌ ବ୍ୟୁରୋ

ନେତାଜୀଙ୍କ ଜୟନ୍ତୀ ଅବସରରେ ଆଜି କୋଲକାତା ଭିକ୍ଟୋରିଆ ମେମୋରିଆଲରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟପାଳ ଜଗଦୀପ ଧନଖଡ଼ ଉପସ୍ଥିତ ରହିଥିଲେ। ଏହି ଅବସରରେ ମମତା ବାନାର୍ଜୀଙ୍କୁ ନିଜର ଅଭିଭାଷଣ ରଖିବାକୁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ ମଞ୍ଚକୁ ଯିବା କ୍ଷଣି କିଛି ଲୋକଙ୍କ ‘ଜୟ ଶ୍ରୀରାମ’ ନାରାବାଜି ଯୋଗୁଁ ମମତା ରାଗି ଯାଇଥିଲେ। ସେ ମଞ୍ଚରେ ଭାଷଣ ଦେବା ବର୍ଜନ କରିଥିଲେ।

‘‘ଏହା କୌଣସି ପାର୍ଟିର କାର୍ଯ୍ୟକମ ନହେଁ, ଏହା ସରକାରୀ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର କିଛି ମର୍ଯ୍ୟାଦା ରହିବା ଦରକାର। ଆମନ୍ତ୍ରଣ କରି ଏଭଳି ଅପମାନିତ କରିବା ଠିକ ନୁହେଁ ’’, ଏଭଳି କହି ମମତା ଭାଷଣ ବର୍ଜନ କରିଥିଲେ।

ଏହାସହିତ କୋଲକାତାରେ ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ସେ ମୋଦୀ ଓ ସଂସ୍କୃତି ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଥିଲେ।

ଭିକ୍ଟୋରିଆ ମେମୋରିଆଲରେ ନେତାଜୀଙ୍କ ଜୟନ୍ତୀ ବା ପରାକ୍ରମ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। କୋଲାକାତା କଳା ସଂସ୍କୃତି ସହିତ ଜଡ଼ିତ କିଛି ବିଶିଷ୍ଟ କଳାକାର ବି ଏଥିରେ ସାମିଲ ହୋଇଥିଲେ। ମୋଦୀ ଆଜି ଏହି ମଞ୍ଚରେ ଆଜାଦ ହିନ୍ଦ ଫୌଜର କିଛି ଫୌଜିଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ ମଧ୍ୟ କରିଥିଲେ।

ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କୋଲକାତାରେ ଏକ ବିଶାଳ ରାଲି କରିଥିଲେ। ନେତାଜୀଙ୍କ ଜୟନ୍ତୀକୁ ସେ ଦେଶନାୟକ ଦିବସ ଭାବେ ପାଳନ କରିଥିଲେ।

Comment