ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ବହୁ ସଂଖ୍ୟାରେ ଖାଲି ପଡ଼ିଥିବା ଡାକ୍ତର ପଦବୀକୁ ପୁରଣ କରିବା ପାଇଁ ଓଡ଼ିଶା ସରକାର ଏବେ ଅନ୍ୟ ରାଜ୍ୟର ଡାକ୍ତରଙ୍କୁ ନିଯୁକ୍ତି ଦେବେ। ଓଡ଼ିଶାର ସ୍ୱାସ୍ଥ୍ୟ ଇତିହାସରେ ଏହାକୁ ପ୍ରଥମ ଘଟଣା ବୋଲି କୁହାଯାଉଛି।

ଖବର ଅନୁଯାୟୀ, ଓଡ଼ିଶା ସରକାର ଏବର୍ଷ ବ୍ୟାପକ ସଂଖ୍ୟକ ଡାକ୍ତର ନିଯୁକ୍ତି କରିବା ପାଇଁ ଯାଉଛନ୍ତି। ସରକାରଙ୍କ ଯୋଜନା ଅନୁସାରେ ୨୪୫୨ ଏମବିବିଏସ, ୮୨ ଡେଣ୍ଟଲ ସର୍ଜନ ଓ ୯୪ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦେବେ ବୋଲି ଜଣାପଡ଼ିଛି।

ଗତ ବର୍ଷ ୩୨୭୮ ପଦ ମଧ୍ୟରୁ ମାତ୍ର ୧୪୦୩ ଡାକ୍ତରଙ୍କୁ ନିଯୁକ୍ତ କରାଯାଇଥିଲା କାରଣ ଯୋଗ୍ୟ ଡାକ୍ତର ମିଳିନଥିଲେ। ଶହ ଶହ ସଂଖ୍ୟକ ଡାକ୍ତର ପଦ ଖାଲି ପଡ଼ିଥିବା ହେତୁ ସରକାର ବାଧ୍ୟ ହୋଇ ଡାକ୍ତର ନିଯୁକ୍ତି ନିୟମକୁ ପରିବର୍ତ୍ତନ କରିଛନ୍ତି। ପୂର୍ବ ନିୟମରେ ଥିଲା ଯେ ବାହାର ରାଜ୍ୟରୁ ଡାକ୍ତରଙ୍କୁ ଓଡ଼ିଶାରେ ନିଯୁକ୍ତି ମିଳିବ ନାହିଁ।

ନିକଟରେ ରାଜ୍ୟ କ୍ୟାବିନେଟ ଏହି ନିୟମ ପରିବର୍ତ୍ତନକୁ ମଞ୍ଜୁରି ଦେଇଥିଲେ। ସେହି ଅନୁସାରେ ବାହାର ରାଜ୍ୟରୁ ଡ଼ାକ୍ତର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଓପିଏସସିକୁ କୁହାଯାଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ପୂର୍ବରୁ ସରକାରୀ ନିୟମ ଥିଲା ଯେ ଯେଉଁମାନେ ଓଡ଼ିଶାର ବାସିନ୍ଦା, ଓଡ଼ିଆ ପଢି ଲେଖି ଓ କହି ପାରୁଥିବେ ଏବଂ ଯେଉଁମାନେ ଓଡ଼ିଆରେ ମାଧ୍ୟମିକ ଶିକ୍ଷା ଲାଭ କରିଥିବେ ସେମାନେ ହିଁ ଡାକ୍ତର ଚାକିରି ପାଇବେ।

ନୂଆ ନିୟମ ଅନୁଯାୟୀ, ଅନ୍ୟ ରାଜ୍ୟର ଗ୍ରାଜୁଏଟ ଡାକ୍ତର ଯେଉଁମାନେ ଓଡ଼ିଶାରେ ଚାକିରୀ ପାଇବା ପାଇଁ ଇଛୁକ ସେମାନଙ୍କୁ ପ୍ରଥମେ ଓଡ଼ିଶା ମେଡିକାଲ କାଉନ୍ସିଲ ପାଖରେ ପଞ୍ଜିକୃତ କରିବା ପାଇଁ ହେବ। ତାପରେ ଯାଇ ସେମାନେ ନିଯୁକ୍ତି ପାଇପାରିବେ। ତେବେ ଯେଉଁମାନେ ଓଡ଼ିଆ ମାଧ୍ୟମରେ ମାଧ୍ୟମିକ ଶିକ୍ଷା ଲାଭ କରିନଥିବେ ସେମାନଙ୍କୁ ୪ ବର୍ଷ ମଧ୍ୟରେ ସେକେଣ୍ଡାରୀ ବୋର୍ଡ଼ ଦ୍ୱାରା କରାଯାଉଥିବା ମାଧ୍ୟମିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ।

LEAVE A REPLY

Please enter your comment!
Please enter your name here