ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଣ୍ଡବିହୀନ ଶବର ପରିଚୟ ଦେଲେ ପୁରସ୍କାରରେ ମିଳିବ ୫୦ ହଜାର ଟଙ୍କା। ଏଥିସହ ଯେଉଁ ବ୍ୟକ୍ତି ସେହି ଅଜଣା ମହିଳାଙ୍କ ପରିଚୟ ଦେବେ ତାଙ୍କ ନାମକୁ ମଧ୍ୟ ପୋଲିସ ଗୋପନ ରଖିବ। ଗଲା ୪ ତାରିଖରେ ଚନ୍ଦକାରୁ ମିଳିଥିବା ଏକ ମୁଣ୍ଡବିହୀନ ଶବକୁ ଚିହ୍ନଟ କରାଇବା ପାଇଁ କମିସନରେଟ ପୋଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ଶନିବାର କମିସନରେଟ ପୋଲିସ ଏକ ଟ୍ଵିଟ୍ କରି ଲେଖିଛନ୍ତି ଯେ, ମୁଣ୍ଡବିହୀନ ମହିଳାଙ୍କୁ ଚିହ୍ନଟ କରିବାରେ ଯେଉଁ ବ୍ୟକ୍ତି ପୋଲିସକୁ ସାହାଯ୍ୟ କରିବେ ତାଙ୍କୁ ପୁରସ୍କାର ଆଧାରରେ ୫୦ ହଜାର ଟଙ୍କା ଦିଆଯିବ। ଏଥିସହ ତାଙ୍କ ପରିଚୟ ମଧ୍ୟ ଗୋପନୀୟ ରଖାଯିବ। ଏଥିପାଇଁ କମିସନରେଟ ପୋଲିସ ପକ୍ଷରୁ ଉକ୍ତ ମହିଳାଙ୍କ ବିଷୟରେ ବିସ୍ତୃତ ସୂଚନା ଦିଆଯାଇ ସହର ସାରା ପୋଷ୍ଟର ମଧ୍ୟ ଲଗାଯାଇଛି।

ଯେଉଁ ବ୍ୟକ୍ତି ଉକ୍ତ ମହିଳାଙ୍କୁ ଜାଣିଥିବେ ସେମାନେ କମିସନରେଟ ପୋଲିସର ଯୋଗାଯୋଗ ନମ୍ଵର ୮୨୮୦୩୩୮୩୨୩ (ଆଇଆଇସି) କିମ୍ଵା ୮୨୮୦୩୩୮୨୬୯ (ଏସିପି)କୁ ଫୋନ୍ କରି ସୂଚନା ଦେବାକୁ କମିସନରେଟ ପୋଲିସ ପକ୍ଷରୁ ନିବେଦନ କରାଯାଇଛି।

ରାଜଧାନୀ ଭୁବନେଶ୍ଵର ଉପକଣ୍ଠ ଚନ୍ଦକା ଅଞ୍ଚଳରୁ ଗତ ଫେବ୍ରୁଆରି ୪ ତାରିଖରେ ଏକ ମୁଣ୍ଡ ନଥିବା ମହିଳାଙ୍କ ମୃତଦେହ ମିଳିଥିଲା। ଘଟଣାସ୍ଥଳରେ ତାଙ୍କର କଟାମୁଣ୍ଡ ନଥିବା ବେଳେ ତାଙ୍କ ଡାହାଣ ହାତରେ ଏକ ତ୍ରୀଶୁଳ ଚିହ୍ନ ରହିଛି। ଘଟଣାର ୪୮ ଘଣ୍ଟା ପରେ ମଧ୍ୟ ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ତାଙ୍କ ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହୋଇଥିବ ବୋଲି ପୋଲିସ ଆକଳନ କରିଛି। ତେବେ ମହିଳା ଜଣକ କିଏ, ତାଙ୍କୁ କିଏ ହତ୍ୟା କରିଛି, କଣ ପାଇଁ ହତ୍ୟା କରାଯାଇଛି ଆଦି ରହସ୍ୟର ଉନ୍ମୋଚନ ପାଇଁ କମିସନରେଟ ପୋଲିସ ପକ୍ଷରୁ ଛାନଭିନ୍ ଜାରି ରହିଛି। ଅନ୍ୟପଟେ ମହିଳାଙ୍କ ଶବକୁ ଶନିବାର ବ୍ୟବଚ୍ଛେଦ କରାଯାଇଛି।

Comment