ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସହରସ୍ଥିତ ସ୍ଥାନୀୟ ତେଜସ୍ୱୀ ହୋଟେଲ ସମ୍ମୁଖ ପଡ଼ିଆରେ ରାୟଗଡ଼ା ବିଜୁ ଜନତା ଦଳ ପକ୍ଷରୁ ଐତିହାସିକ ବିଜୁ ଯୁବ-ଛାତ୍ର ସମାବେଶ ଅନୁଷ୍ଠିତ ହୋଇଛି। ପ୍ରଥମେ ଏକ ବିରାଟ ପଟୁଆରରେ ରାୟଗଡ଼ା ସହର ପରିକ୍ରମା କରିବା ପରେ ସ୍ଥାନୀୟ ନୂଆ ବସଷ୍ଟାଣ୍ଡରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦେବାଶିଷ ଖାଡାଙ୍ଗା ଅଧ୍ୟକ୍ଷତା ଆୟୋଜିତ ଏହି ବିଶାଳ ସମାବେଶରେ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା, ଯୁବ ବିଜେଡିର ସାଧାରଣ ସମ୍ପାଦକ ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ଚାନ୍ଦବାଲି ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ବାଙ୍କୀ ବିଧାୟକ ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ସମେତ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ସଭା ସାଂସଦ ଏନ. ଭାସ୍କର ରାଓ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସଙ୍କ ସହ ଜିଲ୍ଲାର ସମସ୍ତ ଯୁବ ଓ ଛାତ୍ର ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଏହି ସମାବେଶରେ ଅତିଥିମାନେ ନିଜ ଭାଷଣରେ କହିଥିଲେ ଯେ ଓଡ଼ିଶାର ବିକାଶରେ ଏବଂ ସୁନାର ଓଡ଼ିଶା ଗଠନ ଦିଗରେ ଯୁବ ଓ ଛାତ୍ରମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକଙ୍କ ନିକଟତର ହୋଇ ସରକାରଙ୍କ ବିଭିନ୍ନ ଯୋଜନା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ଵଚ୍ଛ ଓ ନିର୍ମଳ ଶାସନ ସମ୍ପର୍କରେ ଅବଗତ କରାଇବା ହେଉଛି ମୂଳ ଲକ୍ଷ୍ୟ।

କଂଗ୍ରେସ ଓ ବିଜେପି ଦଳକୁ କଡା ସମାଲୋଚନା କରିବା ସହ ଏପରି ବଡ଼ ଧରଣର ସମାବେଶ କରିଥିବାରୁ ବିଜୁ ଯୁବ ଓ ଛାତ୍ର ଦଳକୁ ପ୍ରଶଂସା କରିଥିଲେ। ଶେଷରେ ନିମନ୍ତ୍ରିତ ଅତିଥିମାନଙ୍କୁ ବିଜୁ ଯୁବ ଓ ଛାତ୍ର ଦଳ ପକ୍ଷରୁ ମାନପତ୍ର ସହ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here