ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ୍‌ ପ୍ରତିଷ୍ଠା କରିବାକୁ ଦାବି କରିଛି କଂଗ୍ରେସ। ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ମେଡିକାଲ କଲେଜ ପ୍ରତିଷ୍ଠା ଅତ୍ୟନ୍ତ ଆବଶ୍ୟକ ବୋଲି ବୁଧବାର ‘ମାଟି ପାଇଁ ପାଟି ଖୋଲ’ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

ରାଜ୍ୟସରକାର ଇତି ମଧ୍ୟରେ ରାଜ୍ୟର ୬ଟି ସ୍ଥାନରେ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇସାରିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାକୁ ସେଥିରୁ ବାଦ ଦିଆଯିବା ଏକ ନିହାତି ନିନ୍ଦନୀୟ ବୋଲି କହିଛି କଂଗ୍ରେସ।

ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି କରି ଜିଲ୍ଲା କଂଗ୍ରେସ ଏକ ବିଶାଳ ରାଲି କରିବା ସହିତ ସଭା ମଧ୍ୟ ହୋଇଥିଲା। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜଟଣି ବିଧାୟକ ସୁରେଶ କୁମାର ରାଉତରାୟ ଯୋଗ ଦେଇଥିଲେ।

‘‘ରାଜ୍ୟ ସରକାର ଅନ୍ୟ ଛୋଟ ଛୋଟ ସ୍ଥାନରେ ମେଡିକାଲ କଲେଜ ପ୍ରତିଷ୍ଠା କଲେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ନକରିବା ଏକ ଦୁର୍ଭାଗ୍ୟର ବିଷୟ। ତୁରନ୍ତ କେନ୍ଦ୍ରାପଡ଼ା ଜିଲ୍ଲାରେ ସରକାର ଏକ ମେଡିକାଲ କଲେଜ ପ୍ରତିଷ୍ଠା କରନ୍ତୁ’’, କହିଥିଲେ ନିରଞ୍ଜନ।

ବିକାଶପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅବିଚାର କରୁଥିବା ସୁର ରାଉତରାୟ କହିଥିଲେ।

୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସକୁ ଭୋଟ୍ ଦେଇ ବିଜୟୀ କରାଇଲେ କଂଗ୍ରେସ କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ ମେଡିକାଲ କଲେଜ ପ୍ରତିଷ୍ଠା କରିବ ବୋଲି ସୁର କହିଥିଲେ।

ଏହି ସଭାରେ କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ କହିଥିଲେ,‘‘କଂଗ୍ରେସର ଏହି ମାଟିପାଇଁ ପାଟିଖୋଲ ଅଭିଯାନ କେବଳ କଂଗ୍ରେସ ମଧ୍ୟରେ ସୀମାବଦ୍ଧ ନହୋଇ ବିଜେପି ଓ ବିଜେଡିଙ୍କର ଏଥିରେ ଭାଗିଦାରୀ ରହିବା ଆବଶ୍ୟକ। କାରଣ କେନ୍ଦ୍ରାପଡା ଜିଲ୍ଲାର ମାଟିର ବିକାଶ ପାଇଁ ସମୂହ ପ୍ରଚେଷ୍ଟା ଆବଶ୍ୟକ।’’

କେନ୍ଦ୍ରାପଡା କଂଗ୍ରେସର ଟାଣୁଆ ନେତା ଗଣେଶ୍ୱର ବେହେରାଙ୍କ ଆବାହକତ୍ୱରେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ରାଜ୍ୟ କଂଗ୍ରେସର ସମ୍ପାଦକ ଜ୍ଞାନଦେବ ବେହେରା, ମହମ୍ମଦ ଆକବର ଅଲ୍ଲୀ , ବିଭ୍ରାଂଶୁ ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ।

Comment