ଓଡ଼ିଶାଲାଇଭ୍‌ ବ୍ୟୁରୋcm programme at sundargarh

  • ସୁନ୍ଦରଗଡ଼କୁ ଭେଟି ଦେଲେ ମୁଖ୍ୟମନ୍ତ୍ରୀ
  • ଜିଲ୍ଲା ପାଇଁ ମୋଟ ୪,୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କଲେ ଲୋକାର୍ପଣ
  • ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମର ଶିଳାନ୍ୟାସ
  • ବିର୍ସା ମୁଣ୍ଡାଙ୍କ ନାଁରେ ଷ୍ଟାଡିୟମ ନାମିତ କରିବାକୁ ଘୋଷଣା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସୁନ୍ଦରଗଡ଼ ଗସ୍ତରେ ଯାଇ ଜିଲ୍ଲା ପାଇଁ ୪୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ରାଉରକେଲାଠାରେ ୨୦୨୩ ପୁରୁଷ ବିଶ୍ୱକପ୍‌ ହକି ଆୟୋଜନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସେଠାରେ ଅନ୍ତର୍ଜାତୀୟ ସ୍ତରୀୟ ଷ୍ଟାଡିୟମ୍‍ର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ର ବିକାଶ, ଶିଳ୍ପ କ୍ଷେତ୍ରରେ ରାଉରକେଲାର ଭୂମିକା ଓ ମିଶନ ଶକ୍ତି ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ଅଭିଭାଷଣ ରଖିଥିଲେ।

ଆଶାର ସହର ରାଉରକେଲା

ଆଜି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମ୍ବଲପୁରୀ ଭାଷାରେ ଉଦବୋଧନ ଆରମ୍ଭ କରିବା ସହ ସର୍ବ ପ୍ରଥମେ ବିର୍ସା ମୁଣ୍ଡାଙ୍କୁ ମନେ ପକାଇଥିଲେ। ରାଉରକେଲା ସହିତ ବିଜୁବାବୁଙ୍କର ସଂପର୍କ ବିଷୟରେ ଆଜି ସ୍ମରଣ କରିଥିଲେ। ରାଉରକେଲାର ଷ୍ଟିଲ ପ୍ଲାଣ୍ଟଠାରୁ ଆରମ୍ଭ କରି ଏନ୍‍ଆଇଟି ପର୍ଯ୍ୟନ୍ତ ସବୁଥିରେ ବିଜୁବାବୁଙ୍କ ସ୍ମୃତି ଭରି ରହିଛି ବୋଲି ସେ କହିଥିଲେ। ଏହାସହିତ ରାଉରକେଲାକୁ ଆଶାର ସହର ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେବଳ ଓଡିଶା ନୁହେଁ, ଆଖପାଖ ରାଜ୍ୟର ଲୋକମାନେ ମଧ୍ୟ ଜୀବିକା ପାଇଁ ରାଉରକେଲାକୁ ଆସିଥାନ୍ତି।rourkela hockey stadium

ବିର୍ସା ମୁଣ୍ଡାଙ୍କ ନାଁରେ ହକି ଷ୍ଟାଡିୟମ

ଆଜି ମୁଖ୍ୟମନ୍ତ୍ରୀ ରାଉରକେଲାରେ ଦେଶର ସବୁଠୁ ବଡ଼ ଅତ୍ୟାଧୁନିକ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାଁରେ ଏହି ଷ୍ଟାଡିୟମ ନାମିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାସହିତ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ହେବାକୁ ଥିବା ଆଷ୍ଟ୍ରୋଟର୍ଫ ହକି ଷ୍ଟାଡିୟମ୍ ଲାଗି ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଷ୍ଟାଡିୟମ୍‍ ଯୁବ ସମାଜ ମଧ୍ୟରେ ପ୍ରେରଣା ସୃଷ୍ଟି କରିବା ସହିତ ବଡ ବଡ ସ୍ୱପ୍ନ ଦେଖିବା ଓ ବଡ ବଡ କାମ କରିବା ପାଇଁ ଉତ୍ସାହ ସୃଷ୍ଟି କରିବ ଓ ଓଡ଼ିଆ ପୁଅ ସବୁବେଳେ ଆଗରେ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସୁନ୍ଦରଗଡ଼ର ମାଟି, ପାଣି, ପବନ କହେ ହକିର କଥା

‘‘ସୁନ୍ଦରଗଡ଼ର ମାଟି, ପାଣି, ପବନରେ ହକିର ମହକ ରହିଛି। ଏହି ମାଟିର ହକି ଖେଳାଳି ଓଡ଼ିଶା ସହ ସାରା ଦେଶ ପାଇଁ ସୁନାମ ଆଣିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବିଶ୍ୱ ହକି ମାନଚିତ୍ରରେ ସ୍ଥାନ ପାଇଛି। ୨୦୨୩ ପୁରୁଷ ହକି ବିଶ୍ୱକପ୍ ସୁନ୍ଦରଗଡ଼ବାସୀଙ୍କ ପାଇଁ ବଡ଼ ଉପହାର। ରାଉରକେଲାକୁ ହକି ବିଶ୍ୱ କପ୍‌ ଭେନ୍ୟୁ ଭାବେ ମନୋନୀତ କରାଯାଇଛି’’, କହିଥିଲେ ମୁଖ୍ୟମନ୍ତ୍ରୀ।

ବିକାଶର ସାରଥୀ ମିଶନ ଶକ୍ତି

ସୁନ୍ଦରଗଡ ଜିଲ୍ଲାର ମିଶନ ଶକ୍ତିର ମା’ମାନଙ୍କୁ ସେମାନଙ୍କର ବିକାଶ କାମରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ବାଲିଶଙ୍କରାର  ଆଦିବାସୀ ମହିଳା ଜୟନ୍ତୀ ଏକ୍କା କିପରି ଭୁବନେଶ୍ୱରର ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭରେ ତାଙ୍କର ଉଦ୍‌ଯୋଗ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ସେ ବିଷୟ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଜୟନ୍ତୀଙ୍କ ନେତୃତ୍ୱର ଉଚ୍ଚପ୍ରଶଂସା କରିଥିଲେ।

ସେହିପରି ଜନଜାତିର ପିଲାମାନଙ୍କ ଶିକ୍ଷା ସୁବିଧା ସହିତ ଜନଜାତି ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ ମୁଣ୍ଡାରି ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପୁଣି ଥରେ ଦାବି କରିବେ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଶିଷ୍ଟ ହକି ତାରକା ଦିଲ୍ଲୀପ ତିର୍କୀ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଏଡିଏମ୍‌ ଆବୋଲି ସୁନିଲ ନରଓ୍ୱାଣେ, ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଜିଲ୍ଲା ପରଷଦ ଅଧ୍ୟକ୍ଷା ଏମା ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ।

Comment