ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ‘ନର୍ଚରିଂ ନେଇବରହୁଡ’ ଚାଲେଞ୍ଜରେ ବାଜିମାତ କରିଛି ରାଉରକେଲା ସ୍ମାର୍ଟ ସିଟି। ସାରା ଦେଶରେ ଶ୍ରେଷ୍ଠ ୨୫ଟି ସହର ମଧ୍ୟରେ ରାଉରକେଲା ସ୍ଥାନ ପାଇଛି।

ପ୍ରାକ୍ ଶୈଶବ କାଳ ଅର୍ଥାତ୍ ୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ସୁବିଧାକୁ ନଜରରେ ରଖି ସହରରେ କିଭଳି ବ୍ୟବସ୍ଥା କରାଯାଇପାରିବ, ସେହି ଆଧାରରେ ଏହି ପ୍ରତିଯୋଗିତା ବା ଚାଲେଞ୍ଜ ଆରମ୍ଭ କରାଯାଇଥିଲା। ବର୍ଣ୍ଣାର୍ଡ ଭେନ୍ ଲିର୍ ଫାଉଣ୍ଡେସନ୍ ଏବଂ ଡବ୍ଲୁ . ଆର୍. ଆଇ ଇଣ୍ଡିଆ ସହାୟତାରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା।

ଏହି ଚାଲେଞ୍ଜରେ ଶ୍ରେଷ୍ଠ ବଛାଯାଇଥିବା ସହରଗୁଡିକୁ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଶିଶୁ ବିକାଶ ଲାଗି ଆବଶ୍ୟକ ବୈଷୟିକ ସହାୟତା ଓ ସହଯୋଗ ଯୋଗାଇ ଦିଆଯିବ। ସର୍ବସାଧାରଣ ଖୋଲା ସ୍ଥାନ ଯେପରିକି ପାର୍କ ଏବଂ ଅନ୍ୟ ସ୍ଥାନମାନଙ୍କରେ ଶିଶୁମାନଙ୍କ ଚଳ ପ୍ରଚଳ ଲାଗି ଉତ୍ତମ ବ୍ୟବସ୍ଥା କରିବା, ସେମାନଙ୍କ ଅଭିଭାବକମାନଙ୍କ ଲାଗି ସୁବିଧା ଯୋଗାଇଦେବା।

‘‘ଏହି ଚ୍ୟାଲେଞ୍ଜରେ ଭାଗ ନେବା ପାଇଁ ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ଶିଶୁ ଏବଂ ସେମାନଙ୍କ ଅଭିଭାବକଙ୍କ ସୁବିଧା ସଂପର୍କିତ ୫ଟି ପ୍ରକଳ୍ପ ସଂପର୍କିତ ପ୍ରସ୍ତାବ ଦିଆଯାଇଥିଲା। ଏସବୁ ପ୍ରସ୍ତାବଗୁଡିକ ବିଭିନ୍ନ ହିତାଧିକାରୀଙ୍କ ସହ ଆଲୋଚନା ପରେ ହିଁ ପ୍ରଦାନ କରାଯାଇଥିଲା। ଏହାଛଡ଼ା ପାର୍କ ଆଦି ଖୋଲା ସ୍ଥାନରେ ପିଲାମାନେ ଯେପରି ଖେଳିବା ସମୟରେ ହିଁ ଜ୍ଞାନ ଅର୍ଜନ କରିପାରିବେ, ପାର୍କମାନଙ୍କରେ ସ୍ତନ୍ୟପାନ କରାଇବା ଲାଗି ସ୍ୱତନ୍ତ୍ର କୋଠରୀ ସ୍ଥାପନ କରିବା, ପିଲାଙ୍କୁ ବସାଇ ନିଆଯାଉଥିବା ଠେଲା ଗାଡି ଲାଗି ସ୍ୱତନ୍ତ୍ର ୱାକ୍ ୱେ ଏବଂ ଜେବ୍ରା କ୍ରସିଂର ବ୍ୟବସ୍ଥା କରିବା, ସେଠାରେ ବେବି ଫିଡିଂ ରୁମ୍ ର ବ୍ୟବସ୍ଥା କରିବା ତାକୁ ନେଇ ପ୍ରକଳ୍ପ ପ୍ରସ୍ତୁତ କରାଯାଇଥିବା ବେଳେ, ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଏକ ଅତ୍ୟାଧୁନିକ ସ୍ମାର୍ଟ ଏଜୁକେସନ ସେଣ୍ଟରରେ ପରିଣତ କରିବା ଏବଂ ପ୍ରତିଦିନ କାମକୁ ଯାଉଥିବା ପିତାମାତାଙ୍କ ସୁବିଧା ଲାଗି ଶିଶୁଗୃହର ବ୍ୟବସ୍ଥା କରିବା ଇତ୍ୟାଦି ପ୍ରକଳ୍ପର ପ୍ରସ୍ତାବ ଦିଆଯାଇଥିଲା’’,  ରାଉରକେଲାକୁ ଏହି ସଫଳତା ମିଳିବା ପରେ କହିଛନ୍ତି ରାଉରକେଲା ମହାନଗର ନିଗମର କମିସନର ଦିବ୍ୟଜ୍ୟୋତି ପରିଡ଼ା।

କେବଳ ସେତିକି ନୁହେଁ ଶିଶୁ ଏବଂ କିଶୋରଙ୍କ ବୌଦ୍ଧିକ ବିକାଶ ଲାଗି ସହରର ବିଦ୍ୟାଳୟଗୁଡ଼ିକର ମଧ୍ୟ ଉନ୍ନତିକରଣ କରାଯାଉଅଛି। ଏସବୁ ସ୍କୁଲଗୁଡିକୁ ଏକ ସ୍ମାର୍ଟ ସ୍କୁଲରେ ପରିଣତ କରିବାକୁ ପ୍ରୟାସ କରାଯାଉଅଛି। ଏହି ସ୍ମାର୍ଟ ସ୍କୁଲଗୁଡିକରେ ଏକ ସ୍ମାର୍ଟ ଶ୍ରେଣୀ କକ୍ଷ ରହିବ, ଯେଉଁଥିରେ ରୋବୋଟିକ୍ ଲର୍ଣ୍ଣିଂ ମଡେଲ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯିବାକୁ ପରିକଳ୍ପନା କରାଯାଇଅଛି। ଫଳରେ ପିଲାଏ ଅନ୍ୟକୌଣସି ବେସରକାରୀ ସ୍କୁଲ ଭଳି ଏଠାରେ ବି ସମସ୍ତ ସୁବିଧା ଏବଂ ଶୈକ୍ଷିକ ପରିବେଶ ପାଇପାରିବେ ବୋଲି କହିଛନ୍ତି ଦିବ୍ୟଜ୍ୟୋତି ପରିଡ଼ା।

LEAVE A REPLY

Please enter your comment!
Please enter your name here