ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭାଇରସ୍ର ବ୍ରିଟେନ୍ ଷ୍ଟ୍ରେନ୍ ନିକଟରେ ଭାରତରେ ଦେଖାଯାଇଥିଲା। ଏବେ ପୁଣିଥରେ ଭାରତରେ ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ୍ର ଷ୍ଟ୍ରେନ୍ ମଧ୍ୟ ଚିହ୍ନଟ ହୋଇସାରିଲାଣି। ତେଣୁ କରୋନାର ଏହି ନୂଆ ନୂଆ ରୂପକୁ ନେଇ ଲୋକେ ଅବହେଳା ନକରି ସତର୍କ ରହିବ ଜରୁରୀ ବୋଲି କହିଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ମହାପାତ୍ର।
କୋଭିଡ-୧୯ର ଭୟ କିଛି ଟା ହ୍ରାସ ପାଉଥିବା ଜଣାପଡୁଥିଲେ ମଧ୍ୟ ଲୋକମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ କୋଭିଡ ନିୟମାବଳୀକୁ ଦୃଢ଼ଭାବେ ପାଳନ କରିବା ଉଚିତ୍ ବୋଲି ଡାକ୍ତର ଅଶୋକ କୁମାର ମହାପାତ୍ର କହିଛନ୍ତି। ସେହିପରି ଓଡ଼ିଶାରେ କରୋନା ସଂକ୍ରମିତ ଚିହ୍ନଟଙ୍କ ସଂଖ୍ୟା କମିଥିଲେ ମଧ୍ୟ ଆମେ ଯେ ବର୍ତ୍ତମାନ ବିପଦମୁକ୍ତ ତାହା କହିପାରିବା ନାହିଁ ବୋଲି ସେ କହିଛନ୍ତି।
ଡାକ୍ତର ମହାପାତ୍ର କହିଛନ୍ତି ଯେ ଯେତେବେଳେ ଏହି କରୋନା ମହାମାରୀ ତା’ର କାୟା ବିସ୍ତାର କରିଥିଲା ସେତେବେଳେ ଚାଲିଥିବା ଲକ୍ଡାଉନ୍ ଓ ସଟ୍ଡାଉନ୍ ସମୟରେ ଲୋକମାନେ ଖୁବ୍ ଭୟଭୀତ ଥିଲେ। ଏବେ କିନ୍ତୁ ସେମାନେ ବେଶ ଆରାମ ଅନୁଭବ କରୁଛନ୍ତି। ଅଧିକାଂଶ ସ୍ଥାନରେ ପୁରୁଷ ଓ ସ୍ତ୍ରୀ ଲୋକମାନେ ମାସ୍କ ନ ପିନ୍ଧି ବୁଲୁଥିବାର ଦେଖିବାକୁ ମିଳୁଥିବା ବେଳେ ସାମାଜିକ ଦୂରତା ପାଳନ କରିବା ବନ୍ଦ ହୋଇଯାଇଥିବା ଭଳି ଅନୁଭବ ହେଉଛି। କେତେକ ଲୋକ ମୁହଁ ତଳକୁ କିମ୍ବା ବେକରେ ମାସ୍କ ଲଗାଇବା ଦେଖିବାକୁ ମିଳୁଛି। ଏଭଳି ମାସ୍କ ପିନ୍ଧିବାର କୌଣସି ମୂଲ୍ୟ ନାହିଁ।
ଟିକା ଆସିଯିବା ଦ୍ୱାରା ଏହା ଭାଇରସ୍କୁ ନିଶ୍ଚିତ ଭାବରେ ପ୍ରତିରୋଧ କରିବାରେ ସକ୍ଷମ ହୋଇପାରେ। ତେବେ କୋଭାକ୍ସିନ୍ ଏବଂ କୋଭିସିଲ୍ଡ ଭଳି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ଭାଇରସ୍ ହଜି ଯାଇନାହିଁ ଓ ଲୋକମାନେ ନିଜକୁ ସୁରକ୍ଷିତ ବୋଲି ଭାବିବା ଉଚିତ୍ ନୁହେଁ।
କୋଭାକ୍ସିନ୍ର ଟିକା ଗ୍ରହଣ କରିସାରିଥିବା ପ୍ରଫେସର ମହାପାତ୍ର କହିଛନ୍ତି, ‘‘ସମସ୍ତଙ୍କ କ୍ଷେତ୍ରରେ ଟିକାଗ୍ରହଣ କରିବା ଅତ୍ୟନ୍ତ ଜରୁରୀ। ଟିକାକରଣ ଆରମ୍ଭର ପ୍ରଥମ ଦିନ ଅର୍ଥାତ୍ ଜାନୁଆରି ୧୬ ତାରିଖ ଦିନ ପ୍ରଫେସର ମହାପାତ୍ର କୋଭାକ୍ସିନ୍ ଟିକାର ପ୍ରଥମ ଡୋଜ୍ ଗ୍ରହଣ କରିଥିବା ବେଳେ ୩ ଦିନ ତଳେ ଦ୍ୱିତୀୟ ଡୋଜ୍ ଗ୍ରହଣ କରିଛନ୍ତି । ଟିକା ଗ୍ରହଣ ପରେ ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି ଏବଂ ଏହାର କୌଣସି ପାଶ୍ୱର୍ପ୍ରତିକ୍ରିୟା ନାହିଁ’’।
ଯଦିଓ ଓଡ଼ିଶାରେ ପ୍ରତ୍ୟେକ ଦିନ ଚିହ୍ନଟ ହେଉଥିବା କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୧୦୦ ତଳକୁ ଖସିଆସିଛି ତେବେ କୌଣସି ଦିନ ମଧ୍ୟ ଏହି ସଂକ୍ରମଣ ଫେରିବାର ଆଶଙ୍କା ରହିଛି। ତେଣୁ ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବା ବନ୍ଦ କରନ୍ତୁ ବୋଲି ସେ ଉପଦେଶ ଦେଇଛନ୍ତି।
ମାସ୍କ ପିନ୍ଧିବା, ହାତକୁ ସାନିଟାଇଜ୍ କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା କୋଭିଡ-୧୯ ଯୁଦ୍ଧ ସହିତ ଲଢ଼ିବା ନିମନ୍ତେ ୩ଟି ମନ୍ତ୍ର ଓ ଏହାକୁ ଲୋକମାନେ ପାରୁ ପର୍ଯ୍ୟନ୍ତ ପାଳନ କରନ୍ତୁ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।