ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେ’ ୧୮ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇ ଜୁନ୍‌ ୧୨ରେ ପରୀକ୍ଷା ସରିବ। ସେହିପରି ମେ’ ୨୮ ଭୋକେସନାଲ ପରୀକ୍ଷା ଆରମ୍ଭ ହେବ। ବୁଧବାର ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଏଥର ପ୍ରଥମେ ବିଜ୍ଞାନର ଫିଜିକ୍ସରୁ ପରୀକ୍ଷା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ତା’ପରେ କଳା, ବାଣିଜ୍ୟ ଷ୍ଟ୍ରିମର ପରୀକ୍ଷା ହେବ।

ଚଳିତ ବର୍ଷ ପରୀକ୍ଷା ଦେବେ ୪ ଲକ୍ଷ ଛାତ୍ରଛାତ୍ରୀ। ପରୀକ୍ଷା ପାଇଁ ଫେବ୍ରୁଆରି ୬ ତାରିଖରୁ ଫର୍ମପୂରଣ ଆରମ୍ଭ ହୋଇଛି। ମାଟ୍ରିକ ପରୀକ୍ଷା ଭଳି ଏଥର ଯୁକ୍ତ ୨ ପରୀକ୍ଷା ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏଥର ପରୀକ୍ଷାରେ ୫୦ ନମ୍ବରର ମଲ୍ଟିପୁଲ ଚଏସ ପ୍ରଶ୍ନ ରହିବ। ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧ ମାର୍କ ରହିବ।

ସେହିପରି ୩୦ ପ୍ରତିଶତ ସଂକ୍ଷିପ୍ତ ଉତ୍ତରମୂଳକ ପଶ୍ନ ରହିବ। ଏହାର ମୂଲ୍ୟ ୨ କିମ୍ବା ୩ ମାର୍କ ରହିବ। ଏହାସହ ୨୦ ପ୍ରତିଶତ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ। ଏହାର ମୂଲ୍ୟ ୫ ମାର୍କ ରହିବ। କରୋନା ମହମାରୀ ଯୋଗୁଁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Comment