ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର କିଛି ଘଣ୍ଟା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜା ଅର୍ଚ୍ଚନା କରାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ। ଶୁକ୍ରବାର ଶ୍ରୀମନ୍ଦିରର ସେବାୟତମାନେ ମମତାଙ୍କ କାଳୀଘାଟସ୍ଥିତ ବାସଭବନ ଯାଇ ପୂଜା ଅର୍ଚ୍ଚନା କରିଛନ୍ତି।ଟିଏମ୍‌ସି ଦଳ ଯେପରି ଆଗାମୀ ବିଧାନସଭା ନିର୍ବାଚନରେ ବହୁମତ ସହ ବିଜୟ ଲାଭ କରୁ, ସେହି ମାନସିକ ନେଇ ଏହି ପୂଜା ଅନୁଷ୍ଠିତ ହୋଇଥିଲା। ଏହି ପୂଜାରେ ମମତାଙ୍କ ପୁତୁରା ତଥା ତୃଣମୂଳ ସାଂସଦ ଅଭିଷେକ ବାନାର୍ଜୀ ପୂଜା କରିବା ସହ ମନ୍ତ୍ର ପଢୁଥିବା ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ମୁଖ୍ୟ ପୂଜକ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓ ଅନ୍ୟ କିଛି ସେବାୟତ ଏହି ପୂଜାରେ ସାମିଲ ହୋଇଥିଲେ।

ତୃଣମୂଳ କଂଗ୍ରେସ ଏଥର ନିର୍ବାଚନରେ ବିପୁଳ ଭୋଟରେ ଜିତିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପୂଜକ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି।

ଫାୟାର ବ୍ରାଣ୍ଡ ନେତ୍ରୀ ଭାବେ ଜଣାଶୁଣା ମମତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜଣେ ଭକ୍ତ। ବିଭିନ୍ନ ସମୟରେ ସେ ପୁରୀକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି। ନିଜକୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚରଣ ଆଶ୍ରିତ ବୋଲି ସେ ଅନେକ ଥର କହିଛନ୍ତି। ଏପରିକି ଶ୍ରୀଜୀଉଙ୍କ ମୁଖ୍ୟ ପୂଜକ ବି ବିଭିନ୍ନ ସମୟରେ ମମତାଙ୍କ ଘରକୁ ଯାଇଥାନ୍ତି।

Comment