ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନିର୍ବାଚନ ଲାଗି କଂଗ୍ରେସର ପ୍ରସ୍ତୁତି
  • ତାମିଲନାଡୁରେ ରାହୁଲ ଗାନ୍ଧୀ
  • ଆସାମରେ ପ୍ରିୟଙ୍କା
  • ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦେଉଛନ୍ତି ପ୍ରତିଶ୍ରୁତି

୪ ରାଜ୍ୟ ଓ ପୁଡ଼ୁଚେରୀରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏଠାରେ ପ୍ରଚାର ପ୍ରସାର ଜୋର ଧରିଲାଣି। ବିଭିନ୍ନ ରାଜ୍ୟ ଗସ୍ତ କରି ରାଜନୈତିକ ଦଳମାନେ ଏବେ ରଣନୀତି ପ୍ରସ୍ତୁତ କରୁଛନ୍ତି। ତେବେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କଂଗ୍ରେସ ବି ତା’ର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଗୋଟିଏ ପଟେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଆସାମ ଗସ୍ତ କରିଥିଲା ବେଳେ ତାଙ୍କ ଭାଇ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାମିଲନାଡୁ ଗସ୍ତ କରିଛନ୍ତି।

ତାମିଲନାଡୁରେ ରାହୁଲଙ୍କ ପୁସ୍‌ ଅପ୍‌

ତାମିଲନାଡୁରେ ରାହୁଲଙ୍କୁ ଜଣେ ସ୍କୁଲ ଛାତ୍ରୀଙ୍କ ସହ ପୁସ୍‌ ଅପ୍‌ କରୁଥିବାର ଦେଖିବାକୁ ମିଳିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ।

ସୋମବାର ଦିନ ରାହୁଲ ଗାନ୍ଧୀ ତାମିଲନାଡୁର କନ୍ୟାକୁମାରୀଠାରେ ଏକ ଶୋଭାଯାତ୍ରା କରିଥିଲେ। ଏହି ଅବସରରେ ସେ ମୁଲଗାମୁଦୁନସ୍ଥିତ ସେଣ୍ଟ୍‌ ଜୋସେଫ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯାଇଥିଲେ। ସେଠାରେ ସେ ଛାତ୍ରଛାତ୍ରୀଙ୍କୁ ଭେଟିବା ସହିତ ଶିକ୍ଷକମାନଙ୍କ ସହିତ ଆଲୋଚନା କରିଥିଲେ। ଏହାସହିତ ଛାତ୍ରଛାତ୍ରୀଙ୍କ ସହିତ ମିଶି ପୁସ୍‌ ଅପ୍‌ ମାରିଥିଲେ।

ରାହୁଲ ଗାନ୍ଧୀ ୯ ସେକେଣ୍ଡରେ ଗୋଟିଏ ହାତରେ ୧୩ଟି ପୁସ୍‌ ଅପ୍‌ ମାରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ୫୦ ବର୍ଷ ବୟସ ପରେ ବି ରାହୁଲ ଗାନ୍ଧୀ ଏଭଳି ଫିଟ୍‌ ଥିବା ଦେଖି ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।

ତେବେ ଏହା ପ୍ରଥମ କଥା ନୁହେଁ, ଯେଉଁଥିରେ ରାହୁଲ ଗାନ୍ଧୀଙ୍କ ଫିଟନେସ୍‌କୁ ନେଇ ଚର୍ଚ୍ଚା ହେଉଛି। ପୂର୍ବରୁ କେରଳରେ ଧୀବରଙ୍କ ସହିତ ସୁମଦ୍ରରେ ପହଁରିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା ଯେଉଁଥିରେ ରାହୁଲଙ୍କ ବଳିଷ୍ଠ ବାହୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ।

ଆସାମରେ ପ୍ରିୟଙ୍କାଙ୍କ ଚା’ ପତ୍ର ତୋଳା

ପ୍ରିୟଙ୍କା ଗାନ୍ଧୀ ଏବେ ୨ ଦିନିଆ ଆସାମ ଗସ୍ତରେ ଅଛନ୍ତି। ସେଠାରେ ନିଜେ ପିଠିରେ ଝୁଡ଼ି ରଖି ଚା’ ପତ୍ର ତୋଳୁଥିବା ନଜର ଆସିଛନ୍ତି। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ଆସାମର ତେଜପୁରରେ ଏକ ବିଶାଳ ଜନସଭାରେ ଯୋଗଦେବା ପୂର୍ବରୁ ପ୍ରିୟଙ୍କା ପ୍ରଥମେ ଆସାମର ତେଜପୁରରେ ଥିବା ସାଧୁରୁ ଚା’ ବଗିଚାରେ ଚା’ ପତ୍ର ତୋଳୁଥିବା ଶ୍ରମିକଙ୍କ ପାଖକୁ ଯାଇଥିଲେ। ସେଠାକୁ ଯାଇ ତାଙ୍କ ଭଲ ମନ୍ଦ ସମ୍ପର୍କରେ ଆଲୋଚନା କରିବା ସହିତ, ନିଜେ ମୁଣ୍ଡରେ ଗାମୁଛା ବାନ୍ଧି, ଝୁଡ଼ି ଧରି ଚା’ ପତ୍ର ତୋଳିବା ଆରମ୍ଭ କରିଦେଇଥିଲେ।

“ଚା’ପତ୍ର ତୋଳୁଥିବା ଶ୍ରମିକଙ୍କ ଶ୍ରମ, ଦେଶ ପାଇଁ ବହୁ ମୂଲ୍ୟବାନ। ଆଜି ମୁଁ ସେମାନଙ୍କ ସହ ବସି, ସେମାନଙ୍କ ଘର ପରିବାର ସମ୍ପର୍କରେ ପଚାରି ବୁଝିଥିଲି ଏବଂ ସେମାନଙ୍କ ପରିଶ୍ରମକୁ ମୁଁ ନିଜେ ଅନୁଭବ କରିଛି। ସେମାନଙ୍କଠାରୁ ମିଳିଥିବା ଭଲ ପାଇବା ମୁଁ କେବେ ଭୁଲିପାରିବି ନାହିଁ”, ଟୁଇଟ କରି କହିଛନ୍ତି ପ୍ରିୟଙ୍କା।

ମାର୍ଚ୍ଚ ୨୭ରୁ ନିର୍ବାଚନ

ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ, ପୁଡୁଚେରୀରେ ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି। ମାର୍ଚ୍ଚ ୨୭ରରୁ ଆସାମରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିଲା ବେଳେ ପଶ୍ଚିମବଙ୍ଗରେ ୮ ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ସେହିପରି ଏପ୍ରିଲ ୬ରେ କେରଳ ଓ ତାମିଲନାଡୁ ଓ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ।

Comment