ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଘୋଷଣା ହୋଇଯାଇଛି ନିର୍ବାଚନ ତାରିଖ। ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିସନର ସୁନିଲ ଆରୋରା ନିର୍ବାଚନ ତାରିଖ ସମ୍ପର୍କରେ ସୂଚନା ଦେଇସାରିଛନ୍ତି। ଏହାରି ମଧ୍ୟରେ କଂଗ୍ରେସ ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦଳୀୟ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ସେ ଆସାମ ଯାଇ, ସେଠାରେ ଚା’ପତ୍ର ତୋଳାଳିଙ୍କ ସହ ମିଶି ଚା’ ତୋଳୁଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ଆସାମରେ କଂଗ୍ରେସର ବିଜୟ ପତାକା ଉଡ଼େଇବା ଲକ୍ଷ୍ୟ ରଖି ଦୁଇ ଦିନିଆ ଆସାମ ଗସ୍ତରେ ଯାଇଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଆଜି ସେଠାରେ ତାଙ୍କର ଦ୍ୱିତୀୟ ଦିନ। ଆସାମର ତେଜପୁରରେ ଏକ ବିଶାଳ ଜନସଭାରେ ଯୋଗଦେବା ପୂର୍ବରୁ ପ୍ରିୟଙ୍କା ପ୍ରଥମେ ଆସାମର ତେଜପୁରରେ ଥିବା ସାଧୁରୁ ଚା’ ବଗିଚାରେ ଚା’ ପତ୍ର ତୋଳୁଥିବା ଶ୍ରମିକଙ୍କ ପାଖକୁ ଯାଇଥିଲେ। ସେଠାକୁ ଯାଇ ତାଙ୍କ ଭଲମନ୍ଦ ସମ୍ପର୍କରେ ଆଲୋଚନା କରିବା ସହିତ, ନିଜେ ମୁଣ୍ଡରେ ଗାମୁଛା ବାନ୍ଧି, ଚା’ ଟୋକେଇ ଧରି ଆରମ୍ଭ କରିଦେଇଥିଲେ ଚା’ ପତ୍ର ତୋଳିବା ପ୍ରକ୍ରିୟା।

“ଚା’ପତ୍ର ତୋଳୁଥିବା ଶ୍ରମିକଙ୍କ ଶ୍ରମ, ଦେଶ ପାଇଁ ବହୁ ମୂଲ୍ୟବାନ। ଆଜି ମୁଁ ସେମାନଙ୍କ ସହ ବସି, ସେମାନଙ୍କ ଘର ପରିବାର ସମ୍ପର୍କରେ ପଚାରି ବୁଝିଥିଲି ଏବଂ ସେମାନଙ୍କ ପରିଶ୍ରମକୁ ମୁଁ ନିଜେ ଅନୁଭବ କରିଛି । ସେମାନଙ୍କ ଠାରୁ ମିଳିଥିବା ଭଲ ପାଇବା ମୁଁ କେବେ ଭୁଲିପାରିବି ନାହିଁ”, ଟୁଇଟ କରି କହିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା।

ଆସାମ ଗସ୍ତରେ ପ୍ରିୟଙ୍କା ଗାନ୍ଧୀ ଯାଇ ପ୍ରଥମେ କାମାକ୍ଷା ମନ୍ଦିରରେ ପୂଜା କରିଥିଲେ। ତା’ପରେ ଆଦିବାସୀ ଯୁବତୀମାନଙ୍କ ସହ ମିଶି ଝୁମର ନୃତ୍ୟ ପରିବେଷଣ କରିଥିଲେ। ଏପଟେ ଆସାମରେ ପ୍ରଚାର ଦାୟିତ୍ୱ ପ୍ରିୟଙ୍କା ଗାନ୍ଧୀ ନେଇଥିବାବେଳେ, ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାମିଲନାଡ଼ୁ ଯାଇ ପ୍ରଚାର ଆରମ୍ଭ କରିସାରିଲେଣି।

Comment