ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ରାଜଧାନୀରେ ଅପରାଧୀଙ୍କୁ ଧରିବ ପୋଲିସର ନୂଆ ‘ଆପ୍‌’। ଅପରାଧୀମାନଙ୍କୁ ଧରିବା ପାଇଁ ଏକ ‘ଆପ୍‌’ ପ୍ରସ୍ତୁତ କରୁଛି କମିସନରେଟ ପୋଲିସ। ଏହି ‘ଆପ୍‌’ ଜରିଆରେ ସମସ୍ତ ହୋଟେଲ, ଗେଷ୍ଟହାଉସ, ଲଜ୍‌ଗୁଡ଼ିକର ତଥ୍ୟ ସଂଗ୍ରହ କରାଯିବ। ଏହି ତଥ୍ୟ କେବଳ ପୋଲିସ ପାଖରେ ରହିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ।

କମିସନରେଟ ପୋଲିସ ଅଞ୍ଚଳର ସମସ୍ତ ହୋଟେଲ, ଗେଷ୍ଟହାଉସ, ଲଜ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ସରାଇ ଆକ୍ଟ ମାଧ୍ୟମରେ ମାଲିକମାନେ ସବୁ ତଥ୍ୟ ପୋଲିସକୁ ଦେବେ। କେଉଁଠାରୁ ଅତିଥି ଆସି କେଉଁ ସ୍ଥାନରେ ରହିବେ, ତା’ର ସମ୍ପୂର୍ଣ୍ଣ ବିବରଣୀ ପୋଲିସକୁ ଦିଆଯିବ। ରାଜଧାନୀରେ ବଢୁଥିବା ଅପରାଧ ରୋକିବାକୁ କମିସନରେଟ ପୋଲିସ ପକ୍ଷରୁ ଏହା ହେଉଛି ଏକ ନୂଆ ଉଦ୍ୟମ।

ପୋଲିସ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ‘ଆପ୍‌’ର ନାଁ ‘ଅତିଥି ଆପ୍‌’ ବୋଲି ଚର୍ଚ୍ଚା ହେଉଥିବାବେଳେ, ଏହାକୁ ଖଣ୍ଡନ କରିଛନ୍ତି ଡିସିପି। ସେ କହିଛନ୍ତି, ଏପର୍ଯ୍ୟନ୍ତ ଆପ୍‌ର ନାମକରଣ ହୋଇନାହିଁ । ଖୁବଶୀଘ୍ର ଏସମ୍ପର୍କରେ ସର୍ବସାଧାରଣଙ୍କୁ ଜଣାଇ ଦିଆଯିବ ।

Comment