ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମାର୍ଚ୍ଚ ୧୫ରୁ ୧୯ ଯାଏଁ ‘କୃଷି ଓଡ଼ିଶା ୨୦୨୧’
  • ବରମୁଣ୍ଡାସ୍ଥିତ, ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଚାଲିବ ‘କୃଷି ପ୍ରଦର୍ଶନୀ’
  • ମେଗା କୃଷି ପ୍ରଦର୍ଶନୀକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
  • କୃଷି ଓଡ଼ିଶାର ଥିମ୍‌ – ‘ସମନ୍ୱିତ ଚାଷ-ଚାଷୀଙ୍କ ବିକାଶ’
  • ଚଳିତ ବର୍ଷ କୃଷି ଓଡ଼ିଶାର ମାସ୍କଟ ‘ପାଳ ଛତୁ’
  •  ‘କୃଷି ଓଡ଼ିଶା’ରେ ୧୬୦ଟି ମଣ୍ଡପ ପ୍ରଦର୍ଶିତ

ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ସୋମବାରଠାରୁ ଆରମ୍ଭ ହେବ ‘କୃଷି ଓଡ଼ିଶା ୨୦୨୧’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା କୃଷି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବେ। ଫିକି ସହଯୋଗରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ବିଶାଳ ପ୍ରଦର୍ଶନୀ ମାର୍ଚ୍ଚ ୧୯ ତାରିଖ ଯାଏଁ ଚାଲିବ।

ଚଳିତ ବର୍ଷ କୃଷି ଓଡ଼ିଶାର ଥିମ୍‌ ‘ସମନ୍ୱିତ ଚାଷ – ଚାଷୀଙ୍କ ବିକାଶ’ ରହିଥିଲା ଏଥର ମାସ୍କଟ ରହିଛି ‘ପାଳ ଛତୁ’।

ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିସନର ରାଜ୍ କୁମାର ଶର୍ମା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ମୁଖ୍ୟ ବକ୍ତା ଭାବେ ଫିକିର ସାଧାରଣ ସମ୍ପାଦକ ଦିଲ୍ଲୀପ ଚିନୋୟ ଯୋଗ ଦେବେ।

ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସଚିବ ଆର୍‌ ରଘୁ ପ୍ରସାଦ ମଧ୍ୟ ଉପସ୍ଥିତ ରହିବେ।

‘‘କୃଷି କ୍ଷେତ୍ରରେ ବିଶ୍ୱର ବିଭିନ୍ନ ଦେଶରେ କ’ଣ କ’ଣ ଉନ୍ନତି ହୋଇଛି, କ’ଣ ଉନ୍ନତ ଯନ୍ତ୍ରପାତି, ଜ୍ଞାନକୌଶଳ ଆସିଛି ଓ ଉତ୍ପାଦନ କରିବାର ପ୍ରଣାଳୀ ସମ୍ବନ୍ଧରେ ଏକ ପ୍ରଦର୍ଶନୀ କରିବା ଏବଂ ଶିକ୍ଷା ଦେବା ଲାଗି କୃଷି ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହେଉଛି’’, କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଚଳିତ ବର୍ଷ କୃଷି ଓଡ଼ିଶାର ବିଷୟ ରହିଛି ‘ସମନ୍ୱିତ ଚାଷ : ଚାଷୀଙ୍କ ବିକାଶ’। ଚାଷରୁ ଅଧିକ ଆୟ କରିବାକୁ ହେଲେ ଚାଷୀଭାଇମାନଙ୍କୁ ସମନ୍ଵିତ କୃଷିକୁ ଆପଣାଇବାକୁ ପଡ଼ିବ। ଏହାଦ୍ଵାରା ଅଳ୍ପ ଜାଗାରୁ ଅଧିକ ଉତ୍ପାଦନ ଏବଂ ଅଧିକ ଲାଭ ମିଳିପାରିବ”।

ଏବର୍ଷ କୃଷି ଓଡ଼ିଶା ମହୋତ୍ସବରେ ମୋଟ ୧୬୦ଟି ମଣ୍ଡପ ପ୍ରଦର୍ଶିତ ହେବ। ଏହି ମଣ୍ଡପଗୁଡ଼ିକରେ କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ସମ୍ପଦ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ଓ ଅନ୍ୟାନ୍ୟ ବୈଷୟିକ ସଂସ୍ଥାମାନେ ଅଂଶଗ୍ରହଣ କରିବେ। ଏଥିସହିତ ବହୁ କୃଷି ଉଦ୍ୟୋଗୀ ବ୍ୟବସାୟିକ ପ୍ରତିଷ୍ଠାନ, କୃଷି ଯନ୍ତ୍ରପାତି ବିତରକ ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ବିତରକ, କୃଷକ ଉତ୍ପାଦନକାରୀ ସଂଘ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ମିଲେଟ ମିଶନ ଆଦି ସଂସ୍ଥାମାନେ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ।

‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଫଳ ଚାଷୀ, ଯୁବ କୃଷି ଉଦ୍ୟୋଗୀ ଓ ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇଥିବା ଅଗ୍ରଣୀ ଚାଷୀମାନେ ଯୋଗଦେବେ।

‘କୃଷି ଓଡ଼ିଶା’ ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଅଗ୍ରଣୀ ଚାଷୀ ଓ ଉତ୍ପାଦକ ସଂସ୍ଥାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ସେହିପରି ବ୍ୟବସାୟିକ କୃଷି ପରିଚାଳନା ପାଇଁ ଉଦ୍ୟୋଗ ସ୍ଥାପନ କରିବା ଦିବରେ ରାଜ୍ୟରେ କେଉଁ କେଉଁ ସୁବିଧା ଓ ସୁଯୋଗ ରହିଛି ସେ ବିଷୟରେ ଚାଷୀମାନଙ୍କୁ ଅବଗତ କରାଯିବ। ଏଥିନିମନ୍ତେ ଚାଷୀ ଓ ଉଦ୍ୟୋଗୀମାନଙ୍କୁ ନେଇ ସ୍ଵତନ୍ତ୍ର ପାଠଶାଳା ଆୟୋଜନ କରାଯିବ।

ପାଞ୍ଚ ଦିନ ଧରି ଏହି କୃଷି ମହାକୁମ୍ଭ ଚାଲିବ। ମାର୍ଚ୍ଚ ୧୯ରେ ଏହି କାର୍ଯ୍ୟକ୍ରମ ଉଦ୍‌ଯାପିତ ହେବ। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

Comment