ଓଡ଼ିଶାଲାଇଭ୍ ବ୍ୟୁରୋ

ପିପିଲି ଉପ-ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି। ଏନେଇ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିସାରିଥିବାବେଳେ, ମଙ୍ଗଳବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଏପ୍ରିଲ ୧୭ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ମେ’ ୨ ତାରିଖରେ ଭୋଟ୍ ଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ। ଆଶାୟୀ ପ୍ରାର୍ଥୀମାନେ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ଦାଖଲ କରିବେ। ସେହିପରି ଏପ୍ରିଲ ୩ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।

ରାଜ୍ୟରେ କରୋନା ସଙ୍କଟ ଟଳି ନଥିବାରୁ କିଛିଦିନ ପୂର୍ବରୁ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନର ଗାଇଡଲାଇନ ସମ୍ପର୍କରେ ସୂଚନା ଦେଇଥିଲେ। ୮୦ ବର୍ଷରୁ ଉର୍ଦ୍ଧ୍ୱ, ଦିବ୍ୟାଙ୍ଗ ଓ କରୋନା ସଂକ୍ରମିତଙ୍କ ପାଇଁ ପୋଷ୍ଟାଲ ବାଲାଟ ବ୍ୟବସ୍ଥା କରାଯାଇଛି। ଗୋଟିଏ ବୁଥ୍‌ରେ ୧ହଜାର ମତଦାତା ମତଦାନ କରିପାରିବେ। ତେଣୁ ବୁଥ୍ ସଂଖ୍ୟା ବୃଦ୍ଧି କରାଯାଇଛି।। ସଭାସମିତିରେ ସମୁଦାୟ ୫୦୦ଜଣ ଯୋଗ ଦେଇପାରିବେ। ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନିଆଯିବ।

ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ବିଧାନସଭା ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି। ୨୦୧୯ ନିର୍ବାଚନରେ ପ୍ରଦୀପ ମହାରଥୀ ଏହି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ମହାରଥୀ ପିପିଲିରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

Comment