ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର କେତେକ ସ୍ଥାନରେ ସାନି କରୋନା ସଂକ୍ରମଣ ଦେଖାଦେଇଛି। ଏହାକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍-୧୯ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବା ପାଇଁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ନିର୍ଦ୍ଦେଶ ଦେଇଛନ୍ତି।

ରାଉରକେଲା ମହାନଗର ନିଗମ ସହିତ ଏହାର ନିକଟବର୍ତ୍ତୀ ବ୍ଲକ୍ ବିଶ୍ରା, କୁଆଁରମୁଣ୍ଡା ଏବଂ ଲାଠିକଟାରେ କଣ୍ଟାକ୍ଟ ଟ୍ରେସିଙ୍ଗ୍ ଓ ସ୍କ୍ରିନିଙ୍ଗ୍ ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଏକ ଚିଠି ଜାରି କରି ନିର୍ଦ୍ଦେଶ ଦେଇଛନ୍ତି।

କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ନିଗମ ଅଞ୍ଚଳର ପରିବେଶକୁ ସଫାସୁତୁରା ରଖିବା, ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ, ଛକ ଜାଗା ଆଦି ଅଞ୍ଚଳରେ ପରିମଳ ଓ ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ରାଉରକେଲା ଷ୍ଟେସନକୁ ପ୍ରତିଦିନ ବହୁ ସଂଖ୍ୟାରେ ଯାତ୍ରୀ ବିଭିନ୍ନ ସ୍ଥାନରୁ ଯିବା ଆସିବା କରୁଥିବାରୁ ଏଥିପ୍ରତି ବିଶେଷ ନଜର ରଖାଯିବ। ଷ୍ଟେସନରେ କୋଭିଡ୍ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ଜିଲ୍ଲାପାଳ ଚିଠିରେ ଦର୍ଶାଇଛନ୍ତି।

ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ନିୟମ ପାଳନ କରିବା, ଗହଳି ନକରିବା ଉପରେ ଗୁରୁତ୍ୱ ଦିଆଯାଇଛି। ରାଉରକେଲା ସରକାରୀ ଚିକିତ୍ସାଳୟରେ ନମୁନା ସଂଗ୍ରହ ଏବଂ କୋଭିଡ୍ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ଆରଜିଏଚ୍ ନିର୍ଦ୍ଦେଶକଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ଲାଗି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ରାଉରକେଲା ମହାନଗର ନିଗମର କମିଶନର, ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ଏସପି, ଆରଜିଏଚର ନିର୍ଦ୍ଦେଶକ, ସୁନ୍ଦରଗଡ଼ ସିଡିଏମଓଙ୍କୁ ଚିଠି ମାଧ୍ୟମରେ ଏହି ପରାମର୍ଶ ଦିଆଯାଇଛି। ଏହା ସହ ସରକାରଙ୍କ କୋଭିଡ୍ ଗାଇଡଲାଇନ ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

Comment