ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୦-୨୧ ବର୍ଷ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଲା ‘କାୟାକଳ୍ପ’ପୁରସ୍କାର। ସ୍ୱଚ୍ଛ ଓ ସ୍ଵାସ୍ଥ୍ୟକର ପରିବେଶ ଭିତରେ ଲୋକମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର (ଡିଏଚଏଚ) ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ମିଳିଛି। ଚଳିତ ବର୍ଷ ରାଜ୍ୟସ୍ତରୀୟ କାୟାକଳ୍ପ ପୁରସ୍କାର ତାଲିକାରେ ସୁନ୍ଦରଗଡ଼ ଡିଏଚଏଚ ଦ୍ୱିତୀୟ ସ୍ଥାନରେ ରହିଛି।

ସେହିପରି ରାଉରକେଲା ସରକାରୀ ଚିକିତ୍ସାଳୟ, ବଣାଇଁ ଉପଖଣ୍ଡ ଚିକିତ୍ସାଳୟ ସହିତ ବଡ଼ଗାଁ, କୁଆଁରମୁଣ୍ଡା ସର୍ଗିପାଲି, ପୁରକାପାଲି, ଟାଙ୍ଗରାଗମ, ଆନ୍ଦାଲିଜାମବାହାଲ, କାଦୋବାହାଲ, ଜାରଙ୍ଗଲୋଇ, ଟାଙ୍ଗରପାଲି ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ର (ଏଚଡବ୍ଲ୍ୟୁସି)କୁ ମଧ୍ୟ ପ୍ରଶଂସାମୂଳକ ପୁରସ୍କାର ମିଳିଛି। ଛେଣ୍ଡସ୍ଥିତ ଡିଏଭିଏମଏସି, ରାଉରକେଲାସ୍ଥିତ ସହରାଞ୍ଚଳ ପରିବାର କଲ୍ୟାଣ କେନ୍ଦ୍ର ଏବଂ ସେକ୍ଟର-୨୨ସ୍ଥିତ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ରକୁ ମଧ୍ୟ ପ୍ରଶଂସାମୂଳକ ପୁରସ୍କାର ମିଳିଛି।“ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସମ୍ମାନଜନକ ‘କାୟାକଳ୍ପ’ପୁରସ୍କାର ମିଳିବା ଆମ ସମସ୍ତଙ୍କ ପାଇଁ ଖୁସିର କଥା। ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ। ଏହି ପୁରସ୍କାର ଜିଲ୍ଲାର ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଏବଂ ସ୍ଵାସ୍ଥ୍ୟସେବା ସହ ଜଡ଼ିତ ବ୍ୟକ୍ତିମାନଙ୍କର ମନୋବାଳକୁ ଆହୁରି ସୁଦୃଢ଼ କରିବ। ଆଗାମୀ ଦିନରେ ଜିଲ୍ଲାରେ ସ୍ଵାସ୍ଥ୍ୟସେବା ପରିଚାଳନାକୁ ଆଉ ଏକ ସୋପାନକୁ ନେବା ପାଇଁ ଉଦ୍ୟମ ଜାରି ରହିବ”, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।ସ୍ୱଚ୍ଛତା, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସଂକ୍ରମଣ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରୁଥିବା ଚିକିତ୍ସାଳୟଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ‘କାୟାକଳ୍ପ’ପୁରସ୍କାର ଦିଆଯାଉଛି। ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ଯୋଗ୍ୟତା ଭିତ୍ତିରେ ୨୦୧୫ ମସିହାରୁ ଏହି ପୁରସ୍କାର ପ୍ରତିବର୍ଷ ଦିଆଯାଉଛି। ଏଥିରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକ ଭାଗ ନେଉଛନ୍ତି।କାୟାକଳ୍ପ ପୁରସ୍କାର ପାଇବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟସେବା ସହ ଜଡ଼ିତ ଡାକ୍ତର, ଅଧିକାରୀ ଏବଂ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାୟାକଳ୍ପ ପୁରସ୍କାର ପାଇଛି। ଜିଲ୍ଲାବାସୀଙ୍କ ପାଇଁ ଉତ୍ତମମାନର ସ୍ୱାସ୍ଥ୍ୟସେବା କିପରି ଅବ୍ୟାହତ ରହିବ ସେନେଇ ଅଧିକ ଗୁରୁତ୍ଵ ଦିଆଯିବ।

ଏହି ସମ୍ମାନଜନକ କାୟାକଳ୍ପ ପୁରସ୍କାର ପ୍ରଦାନ ପାଇଁ ରାଜ୍ୟ ସ୍ତରୀୟ ଚୟନ କମିଟି ଗଠନ କରାଯାଇଥିଲା। ପୁରସ୍କାର ପାଇଁ ଥିବା ବିଭିନ୍ନ ମାନଦଣ୍ଡକୁ ଏହି କମିଟି ବିଚାରକୁ ନେଇଥାନ୍ତି।

Comment