ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ଧ୍ରପ୍ରଦେଶର ପଞ୍ଚାୟତ ସମିତି ନିର୍ବାଚନକୁ ସ୍ଥଗିତ ଘୋଷଣା କରିଛନ୍ତି ଆନ୍ଧ୍ର ହାଇକୋର୍ଟ। ଫଳରେ କୋଟିଆରେ ବି ନିର୍ବାଚନ ବନ୍ଦ ହୋଇଛି। ନିକଟରେ ରାଜ୍ୟରେ ପଞ୍ଚାୟତ ସମିତି ନିର୍ବାଚନ କରିବା ପାଇଁ ଆନ୍ଧ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ବିଜ୍ଞପ୍ତିରେ କୋରାପୁଟର କୋଟିଆ ବି ସାମିଲ ଥିଲା।

ଆସନ୍ତା ଏପ୍ରିଲ ୮ ତାରିଖରେ ଏହି ନିର୍ବାଚନ ହୋଇ ୧୦ ତାରିଖରେ ଫଳାଫଳ ଘୋଷଣା କରିବାକୁ ଗତ ୧ ତାରିଖରେ ଆନ୍ଧ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ବିଜ୍ଞପ୍ତିର ଅଳ୍ପ ଦିନ ମଧ୍ୟରେ ନିର୍ବାଚନ କରାଯାଉଥିବାରୁ ଏହାକୁ ନେଇ ବିରୋଧୀ ଟିଡିପି ଆନ୍ଧ୍ର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ମଙ୍ଗଳବାର ହାଇକୋର୍ଟ ଏହି ମାମଲାର ବିଚାର କରି ନିର୍ବାଚନକୁ ସ୍ଥଗିତ ଘୋଷଣା କରିଛନ୍ତି।

କୋଟିଆକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ତୁଟିବାର ନାଁ ଧରୁ ନଥିବା ବେଳେ କୋଟିଆରେ ନିର୍ବାଚନ କରାଇବାକୁ ଆନ୍ଧ୍ର ଚେଷ୍ଟା ଚଳାଇଥିଲା। ଆନ୍ଧ୍ରର ସାଲୁର ବ୍ଳକ ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଥିଲା ଯେ କୋଟିଆ ପଞ୍ଚାୟତର ୨ଟି ଅଞ୍ଚଳରେ ଏପ୍ରିଲ ୮ ତାରିଖରେ ସମିତି ସଭ୍ୟ ପଦବୀ ଏବଂ ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ ପଦବୀ ନିମନ୍ତେ ନିର୍ବାଚନ ହେବ। କୋଟିଆର ଫାଟୁ ସିନେରୀ, ଫଗୁଣ ସିନେରୀ, ତଳଗଞ୍ଜେଇ ପଦର ଆଦି ୩ଟି ପଞ୍ଚାୟତର ଲୋକେ ଏହି ନିର୍ବାଚନରେ ସାମିଲ ହୋଇ ଭୋଟ ଦେବେ। କିନ୍ତୁ ଆଜି ଆନ୍ଧ୍ର ହାଇକୋର୍ଟ ନିର୍ବାଚନକୁ ସ୍ଥଗିତ ଘୋଷଣା କରିଛନ୍ତି।

କୋରାପୁଟ ଜିଲ୍ଲାର କୋଟିଆକୁ ପଡ଼ୋଶୀ ଆନ୍ଧ୍ର ନିଜର ଏକ ପଞ୍ଚାୟତ ବୋଲି ଦାବି କରି ଆସୁଛି। ଏପରିକି ଗତ ଫେବ୍ରୁଆରିରେ ଆନ୍ଧ୍ର ସରକାର ସେଠାରେ ଜୋର ଜବରଦସ୍ତ କରି ପଞ୍ଚାୟତ ନିର୍ବାଚନ ମଧ୍ୟ କରିଥିଲେ। ଏହି ପ୍ରସଙ୍ଗକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ବିବାଦ ଘନେଇଥିଲା। ଏହାପରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା ଓଡ଼ିଶା। ବର୍ତ୍ତମାନ ଏହି ମାମଲା କୋର୍ଟରେ ବିଚାରଧୀନ ରହିଛି।

Comment