ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଲାଲବାହିନୀର କାର୍ଯ୍ୟକଳାପକୁ ଦେଖି ଭୟଭୀତ ହେଲେଣି ସେଠାକାର ବାସିନ୍ଦା। ପଣବନ୍ଦୀର ଶିକାର ହୋଇଥିବା ଯବାନକୁ ଛାଡ଼ିବାପରେ, ପୁଣିଥରେ ତିନିଜଣଙ୍କୁ ଉଠାଇ ନେଇଛନ୍ତି ମାଓବାଦୀ। ବିଜାପୁରର ଗାଙ୍ଗାଲୁର ଗାଁରୁ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଦୁଇଜଣଙ୍କୁ ଅପହରଣ କରି ନେଇଥିବା ସୂଚନା ମିଳିଛି।

ମାଓବାଦୀମାନେ ଗୁରୁବାର ବିଳମ୍ବିତ ରାତିରେ ସେମାନଙ୍କୁ ଘରୁ ଡାକି ଉଠାଇ ନେଇଛନ୍ତି। କୌଣସି ସ୍ୱାସ୍ଥ୍ୟଗତ କାରଣରୁ ସେମାନଙ୍କୁ ଉଠାଇ ନେଇଥିବା ସନ୍ଦେହ କରୁଛି ପୋଲିସ। ତେବେ ଏପର୍ଯ୍ୟନ୍ତ ସେମାନେ କେଉଁଠାରେ ଅଛନ୍ତି, କାହିଁକି ଅପହରଣ କରାଯାଇଛି, ସେ ସମ୍ପର୍କରେ କୌଣସି ତଥ୍ୟ ମିଳିନଥିବାବେଳେ ତାହାର ତଦନ୍ତ ଚଳାଇଛି ପୋଲିସ।

ନିକଟରେ ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ଛତିଶଗଡ଼ର ବିଜାପୁର ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଯେଉଁ ଗୁଳି ବିନିମୟ ହୋଇଥିଲା, ସେଥିରେ ୨୪ଜଣ ଯବାନ ସହିଦ ହୋଇଥିଲେ। ଜଣେ ଯବାନ ନିଖୋଜ ଥିବାବେଳେ ଲାଲବାହିନୀ ତାଙ୍କୁ ଅପହରଣ କରି ବନ୍ଧକ ରଖିଥିବା ପରେ ଜଣାପଡ଼ିଥିଲା।

ଅପହରଣ ହୋଇଥିବା ଯବାନଙ୍କୁ ଗତକାଲି ମାଓବାଦୀମାନେ ମଧ୍ୟସ୍ତ ପଦ୍ମଶ୍ରୀ ଧର୍ମପାଲ ସାଇନି, ଗୋଣ୍ଟୱାନା ସମାଜ ମୁଖ୍ୟ ତେଲେମା ବୋରିୟା, ସାମ୍ବାଦିକ ଓ ଗାଁ ଲୋକମାନଙ୍କ ଉପସ୍ଥିତିରେ ଛାଡ଼ି ଦେଇଥିଲେ।

Comment