ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ରେ କରୋନା ସଂକ୍ରମଣ ବେଶି ଥିବାରୁ ଗମନାଗମନ ଉପରେ ରୋକ ଲଗାଇଛନ୍ତି ଓଡ଼ିଶା ସରକାର। ଆଜିଠାରୁ ମାଲକାନଗିରି ଓ ନବରଙ୍ଗପୁର ସୀମାକୁ ସିଲ୍ କରାଯାଇଛି। ଛତିଶଗଡ଼ରୁ ଓଡ଼ିଶାକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ଉପରେ ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଉଛି। ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ ଏପ୍ରିଲ ୧୨ରେ ଲାଗୁ ହେବାକୁ ଥିବାବେଳେ, ଏବେଠାରୁ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକ ସତର୍କ ହୋଇଯାଇଛନ୍ତି। ଆରଟିପିସିଆର୍ ନେଗେଟିଭ୍ ଟେଷ୍ଟ ରିପୋର୍ଟ ବିନା ଆସୁଥିବା ବ୍ୟକ୍ତିଙ୍କୁ ସୀମାରୁ ହିଁ ଫେରାଇ ଦିଆଯାଉଛି।

ମାଲକାନଗିରି ସୀମା ସିଲ୍‌

କରୋନା ସଂକ୍ରମଣ ବଢ଼ିବାପରେ ଛତିଶଗଡ଼ ସୀମାକୁ ସିଲ୍ କରିଦିଆଯାଇଛି। ମାଲକାନଗିରି ସୀମାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସରକାରୀ କାମରେ ଆସୁଥିବା ବ୍ୟକ୍ତିଙ୍କୁ ଯାଞ୍ଚ କରିବା ସହ ଭର୍ଚୁଆଲ ମିଟିଂ ଅନୁଷ୍ଠିତ କରିବାକୁ ବେଶି ଗୁରୁତ୍ୱ ଦିଆଯାଉଛି। ଯେଉଁମାନେ କରୋନାର ଦୁଇଟି ଡୋଜ ଟିକା ନେଇଛନ୍ତି ଏବଂ ସାଙ୍ଗରେ ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ଆଣିଛନ୍ତି, ସେମାନଙ୍କୁ ଓଡ଼ିଶାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି। ଏଥିସହ ବ୍ୟକ୍ତିଙ୍କର ପଞ୍ଜୀକରଣ ମଧ୍ୟ କରାଯାଉଛି। ପ୍ରବେଶପଥରେ ଥିବା କର୍ମଚାରୀମାନେ ଏହି କାର୍ଯ୍ୟ କରୁଛନ୍ତି। ବ୍ୟକ୍ତିଙ୍କର ନାଁ, ଗାଁ, ଠିକଣା, ଫୋନ୍ ନମ୍ବର ସରକାରୀ ବାବୁମାନେ ଲେଖି ରଖୁଛନ୍ତି।

ନବରଙ୍ଗପୁର ସୀମା ସିଲ୍‌

ଅନ୍ୟପକ୍ଷରେ ନବରଙ୍ଗପୁର ପ୍ରଶାସନ ପକ୍ଷରୁ ମଧ୍ୟ ସୀମାକୁ ସିଲ୍ କରାଯାଇଛି। ଛତିଶଗଡ଼ରୁ ଆସୁଥିବା ସମସ୍ତ ବ୍ୟକ୍ତି ଓ ଗାଡ଼ିର ପ୍ରବେଶ ଉପରେ ରୋକ ଲଗାଯାଇଛି। କେବଳ କରୋନା ନେଗେଟିଭ୍ ରିପୋର୍ଟ ସାଙ୍ଗରେ ନେଇ ଆସିଥିବା ବ୍ୟକ୍ତିଙ୍କୁ ସୀମା ଭିତରକୁ ଛଡ଼ାଯାଉଛି। ଯେଉଁମାନେ ଛତିଶଗଡ଼ ଯିବାକୁ ଚାହୁଁଛନ୍ତି, ସେମାନେ କାହିଁକି ଯିବେ ଏବଂ କେତେଦିନ ପାଇଁ ଯିବେ, ସେସମ୍ପର୍କରେ ତଥ୍ୟ ରଖାଯାଉଛି। କେବଳ ଜରୁରୀ ପରିସ୍ଥିତିରେ ଯିବାକୁ ଅନୁମତି ଦିଆଯାଉଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ନବରଙ୍ଗପୁରରେ ନାଇଟ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଥିଲା।

ରାଜ୍ୟରେ କରୋନା ଖୁବ୍ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କରୋନାର ନୂଆ ଷ୍ଟ୍ରେନ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସୀମାନ୍ତବର୍ତ୍ତୀ ଜିଲ୍ଲାମାନଙ୍କରେ କରୋନାର ପ୍ରଭାବ ବେଶି ଦେଖା ଦେଇଥିବାରୁ, ସେଠାକାର ପ୍ରଶାସନ ନାଇଟ କର୍ଫ୍ୟୁ ମଧ୍ୟ ଲଗାଇଥିଲେ। ଏତେ କମ୍ ସମୟରେ ପ୍ରତିଦିନ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ, ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ହୋଇଛି।

Comment