ଭୁବନେଶ୍ୱରରୁ ନୀଳାମ୍ବର ରଥ ଶୁଭଶ୍ରୀ ନାୟକ

ବିଭିନ୍ନ ସ୍କୁଲର ଭିତ୍ତିଭୂମିର ବିକାଶ ସହ ଶିକ୍ଷା ପରିବେଶରେ ଉନ୍ନତିର ରାସ୍ତାକୁ ତ୍ୱରାନ୍ୱିତ କରିପାରିଛିମୋ ସ୍କୁଲଅଭିଯାନ।

‘‘ରାଜ୍ୟର ବିଭିନ୍ନ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରି ସେଗୁଡ଼ିକର ବିକାଶ ଲାଗି ପୁରାତନ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତି ଆଗେଇ ଆସିଛନ୍ତି। ଏହି ଅଭିଯାନରେ ୧୩୦୦ ସ୍କୁଲରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟକ୍ରମରେ ଆଇଏଏସ୍ ଅଫିସରଙ୍କଠାରୁ ଆରମ୍ଭକରି ସାଧାରଣ ଜନତା ଭାଗ ନେବା ଏକ ଉତ୍ସାହଜନକ କଥା। ଏପରିକି ଗୋଟିଏ ସ୍ଥାନରେ ଜଣେ ଚାଷୀ ଏହି ପୋଷ୍ୟ କାର୍ଯ୍ୟକ୍ରମରେ ନିଜର ଯୋଗଦାନ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି’’, ଓଡ଼ିଶାଲାଇଭ୍‌ ସହ ଏକ ଜୁମ୍ ମିଟିଂରେ ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ‘ମୋ ସ୍କୁଲ’ର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ।

ରାଜ୍ୟରେ ଥିବା ବିଭିନ୍ନ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରି ଏହାର ବିକାଶ ପଥରେ ସାଥୀ ହେବା ପାଇଁ ଗତ କିଛି ମାସ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ଏହାର ସୁଫଳ ଏବେ ବିଭିନ୍ନ ସ୍କୁଲ ନିକଟରେ ପହଞ୍ଚିଛି। ଅଧିକାଂଶ ସ୍ଥାନରେ ଜଣେ ଜଣେ ବ୍ୟକ୍ତି ନିର୍ଦ୍ଦିଷ୍ଟ ସ୍କୁଲକୁ ପୋଷ୍ୟ ଶିକ୍ଷାନୁଷ୍ଠାନ ଭାବେ ଗ୍ରହଣ କରିଥିବା ବେଳେ କେତେକ ସ୍ଥାନରେ ଏକାଧିକ ବ୍ୟକ୍ତି ମିଶି ଗୋଟିଏ ସ୍କୁଲର ବିକାଶ ପାଇଁ ଆଗେଇ ଆସିଛନ୍ତି।

Susmita Bagchi

‘‘ମୋ ସ୍କୁଲ ଅଭିଯାନ ଅଧୀନରେ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଜନସାଧାରଣଙ୍କ ଦାନ ସହିତ ରାଜ୍ୟ ସରକାରଙ୍କ ଦୁଇଗୁଣା ଅନୁଦାନ ମିଶି ବିଭିନ୍ନ ସ୍କୁଲରେ ବିକାଶମୂଳକ କାର୍ଯ୍ୟକ୍ରମ ଚାଲିଛି। କୋଭିଡ୍ ସମୟରେ ଏହି କାର୍ଯ୍ୟ ଅଟକି ନ ଯାଇ ତ୍ୱରାନ୍ୱିତ ହୋଇପାରିଛି। ଦାତାମାନଙ୍କ ଭୂମିକା କେବଳ ଆର୍ଥିକ ସହଯୋଗ ମଧ୍ୟରେ ସୀମିତ ହୋଇ ରହିନାହିଁ। ବିଭିନ୍ନ ସ୍କୁଲର ବିକାଶ ପାଇଁ ସେମାନେ ବିଭିନ୍ନ ପାଠ୍ୟ ଉପକରଣ, ଆସବାବପତ୍ର ଏବଂ ପାଠାଗାର ପାଇଁ ପୁସ୍ତକ ଆଦି ଯୋଗାଇ ଦେଇଛନ୍ତି। ଅନେକ ଦାତା ସମୟ ଦେଇ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ସେଠାରେ ଚାଲିଥିବା ମୋ ସ୍କୁଲ କାର୍ଯ୍ୟକୁ ତଦାରଖ କରିଛନ୍ତି। ଏହାଫଳରେ ‘ମୋ ସ୍କୁଲ’ ପ୍ରକଳ୍ପଗୁଡ଼ିକ ସୁଚାରୂ ରୂପେ ସମ୍ପାଦିତ ହୋଇପାରୁଛି’’, କୋଭିଡ୍ ସମୟରେ ମୋ ସ୍କୁଲ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଶ୍ରୀମତୀ ବାଗ୍‌ଚୀ।

ବିଭିନ୍ନ ସ୍କୁଲକୁ ପୋଷ୍ୟ ଶିକ୍ଷାନୁଷ୍ଠାନ ଭାବେ ଗ୍ରହଣ କରିବା ପଛରେ ବଡ଼ ଲକ୍ଷ୍ୟ ହେଉଛି ଏହାର ସାମଗ୍ରିକ ବିକାଶ ଲାଗି କାମ କରିବା। ସ୍କୁଲର ପାଠ୍ୟ ପରିବେଶରେ କିଭଳି ଉନ୍ନତି ହେବ, ସ୍କୁଲ ପ୍ରତି ଛାତ୍ରଛାତ୍ରୀଙ୍କର ଆଗ୍ରହ କିପରି ବଢ଼ିବ, ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଦକ୍ଷତାରେ କିଭଳି ବୃଦ୍ଧି ଘଟିବ, ସ୍କୁଲର ପରିବେଶ କିପରି ଆକର୍ଷଣୀୟ ହୋଇପାରିବ ଏବଂ ସ୍କୁଲ ପ୍ରତି ପୁରାତନ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କର ସହଯୋଗ କିଭଳି ବଢ଼ିପାରିବ ଏହିସବୁ ବିଷୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ତେଣୁ ଏହି ଶିକ୍ଷାନୁଷ୍ଠାନ ପୋଷ୍ୟ ଅଭିଯାନ ଫଳରେ ଆଗାମୀ ଦିନରେ ରାଜ୍ୟର ବହୁ ସ୍କୁଲର ସାମଗ୍ରିକ ପରିବେଶରେ ପରିବର୍ତ୍ତନ ସମ୍ଭବ ହୋଇପାରିବ ବୋଲି ଓଡ଼ିଶାଲାଇଭ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ‘ମୋ ସ୍କୁଲ’ ଅଧ୍ୟକ୍ଷା।

‘ମୋ ସ୍କୁଲ’ ଅଭିଯାନ ଅଧୀନରେ ପୁରାତନ ଛାତ୍ରଛାତ୍ରୀ ଏବଂ ଅନ୍ୟମାନେ ଯେଉଁ ଆର୍ଥିକ ଦାନ କରିଥାନ୍ତି ‘ମୋ ସ୍କୁଲ’ ତା’ ସହିତ ଦୁଇ ଗୁଣା ଅନୁଦାନ ମିଶାଇ ତାକୁ ନିର୍ଦ୍ଦିଷ୍ଟ ସ୍କୁଲର ବିକାଶ ପାଇଁ ଯୋଗାଇ ଦେଇଥାଏ। ଏହି କ୍ରମରେ ଦାତାମାନଙ୍କ ପାଖରୁ ବର୍ତ୍ତମାନ ସୁଦ୍ଧା ୯୦ କୋଟିରୁ ଅଧିକ ଅର୍ଥ ଦାନ ଆକାରରେ ମିଳିଛି। ତା’ ସହିତ ରାଜ୍ୟ ସରକାରଙ୍କ ଅନୁଦାନକୁ ମିଶାଇଲେ ବା ୩୦୦ କୋଟି ଟଙ୍କା ‘ମୋ ସ୍କୁଲ’ ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ସ୍କୁଲର ବିକାଶ ପାଇଁ ନିୟୋଜିତ ହୋଇଛି। ଏହି ଅର୍ଥରେ ସ୍କୁଲଗୁଡ଼ିକର ଶ୍ରେଣୀଗୃହ, ପାଠାଗାର, ବିଜ୍ଞାନାଗାର, ଶୌଚାଳୟ, ପାନୀୟ ଜଳ, କ୍ରୀଡ଼ା ଉପକରଣ ଆଦି କ୍ଷେତ୍ରରେ ଉନ୍ନତି ହୋଇପାରିଛି।

୫୦ ଦିନରେ ୨୫୦ ସ୍କୁଲ

ରାଜ୍ୟର ବିଭିନ୍ନ ସ୍କୁଲରେ ‘ମୋ ସ୍କୁଲ’ ଅଭିଯାନ ଅଧୀନରେ ଚାଲିଥିବା ପ୍ରକଳ୍ପଗୁଡ଼ିକର ସଠିକ କାର୍ଯ୍ୟକାରିତା ଅନୁଧ୍ୟାନ କରିବା ପାଇଁ ଏବେ ଏକ ନୂଆ ପଦକ୍ଷେପ ନିଆଯାଇଛି। ୫୦ ଦିନରେ ୨୫୦ଟି ସ୍କୁଲକୁ ଯାଇ ସେଠାରେ ଏହିସବୁ କାର୍ଯ୍ୟ ସମୀକ୍ଷା କରିବେ ‘ମୋ ସ୍କୁଲ’ ଟିମ୍। ଏଥିପାଇଁ ୫ଟି ଅଲଗା ଟିମ୍ ପ୍ରସ୍ତୁତ କରାଯାଇଛି। ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆରମ୍ଭ ହୋଇଛି।

‘ମୋ ସ୍କୁଲ’ ଟିମ୍ ବିଭିନ୍ନ ଶିକ୍ଷାନୁଷ୍ଠାନ ଯାଇ ମୁଖ୍ୟତଃ ତିନୋଟି ବିଷୟ ଉପରେ ଗୁରୁତ୍ୱ ଦେଉଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଯେଉଁ ଧନ୍ୟବାଦ ଚିଠି ଦେଇଛନ୍ତି ତାହା ସେଠାରେ ପ୍ରଦାନ କରାଯାଉଛି। ସେହିପରି ସ୍କୁଲରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଗୁଣାତ୍ମକ କାର୍ଯ୍ୟ ତଦାରଖ କରାଯାଉଛି। ଏହାଛଡ଼ା ‘ମୋ ସ୍କୁଲ’ ଅଭିଯାନ ଅଧୀନରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଯେଉଁସବୁ ପ୍ରକଳ୍ପ କରାଯାଇଛି ତା’ର ଡକ୍ୟୁମେଣ୍ଟେସନ୍ ଉପରେ ଗୁରୁତ୍ୱ ଦିଆଯାଉଛି’’, ସୂଚନା ଦେଇଛନ୍ତି ସୁସ୍ମିତା ବାଗ୍‌ଚୀ।

ସାନ ସାନ ପିଲାଙ୍କ ପାଇଁସମର୍ ଲର୍ଣ୍ଣିଂ କ୍ୟାମ୍ପ

‘କୋଭିଡ ୧୯’ ସ୍କୁଲ ଶିକ୍ଷା ଉପରେ ବଡ଼ ପ୍ରଭାବ ପକାଇଛି। ବିଶେଷକରି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ପିଲାମାନେ ବା ଯେଉଁ ପିଲାମାନେ ଏବେ ସ୍କୁଲ ଦୁଆର ମାଡ଼ିବା କଥା ସେମାନଙ୍କ ଶିକ୍ଷା ଏକ ବଡ଼ ଆହ୍ୱାନ ହୋଇଛି। ଏହାର ମୁକାବିଲା ପାଇଁ ‘ପ୍ରଥମ’ ଏବଂ ବିଜିଭିଏସ୍ ସହଯୋଗିତାରେ ଏକ ସମର ଲର୍ଣ୍ଣିଂ କ୍ୟାମ୍ପ ଆରମ୍ଭ କରାଯାଉଛି। ଏହା ଅଧୀନରେ ୫ ହଜାର ଗାଁରେ ୧୦ ହଜାର ସ୍ୱେଚ୍ଛାସେବୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯିବ।

ଏହି ସ୍ୱେଚ୍ଛାସେବୀମାନେ କୋଭିଡ ନିୟମ ପାଳନ କରି ସାନ ସାନ ପିଲାଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରିବେ। ଏହି ସ୍ୱେଚ୍ଛାସେବୀମାନଙ୍କୁ ତାଲିମ ଦେବା ପାଇଁ ତାଲିମଦାତାମାନଙ୍କୁ ପ୍ରସ୍ତୁତ କରାଯାଇଛି।

କୋଭିଡ୍ ୧୯ ସମୟରେ ‘ମୋ ସ୍କୁଲ’ ପକ୍ଷରୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଦକ୍ଷତା ବିକାଶ ପାଇଁ କେତୋଟି କାର୍ଯ୍ୟ ହାତକୁ ନିଆଯାଇଥିଲା। ୟୁନିସେଫ୍ ସହଯୋଗିତାରେ କରାଯାଇଥିବା ଏହି ତାଲିମ୍ କାର୍ଯ୍ୟକ୍ରମ ମଧ୍ୟରେ ରହିଥିଲା ଗଣିତ, ବିଜ୍ଞାନ ଓ ଇଂରାଜୀ ଭଳି ବିଷୟ। ଏହି ଅନଲାଇନ୍ ତାଲିମ୍ କାର୍ଯ୍ୟକ୍ରମରେ ସାରା ରାଜ୍ୟର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଭାଗ ନେଇଥିଲେ। କରୋନା ମହାମାରୀ ପାଇଁ ସ୍କୁଲଗୁଡ଼ିକ ବନ୍ଦ ଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଏହି ତାଲିମ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଶେଷ ସହାୟକ ହୋଇପାରିବ।

‘ମୋ ସ୍କୁଲ’ ଅଭିଯାନ ଗାଁ ଗାଁରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏକ ନୂଆ ପ୍ରେରଣା ଦେଇଛି। ଫଳରେ ବିଦ୍ୟାଳୟସ୍ତରରେ ଶିକ୍ଷକ ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ମିଶି ବିଭିନ୍ନ ଅଭିନବ କାମ ହାତକୁ ନେଉଛନ୍ତି। ‘‘କନ୍ଧମାଳ ଜିଲ୍ଲାରେ ଗୋଟିଏ ଝିଅ ପାଇଲଟ୍ ହୋଇଛି। ତା’ର କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛି। ଆପଣ ଜାଣି ଖୁସି ହେବେ ଯେ ଜିଲ୍ଲାର ଆଉ ଗୋଟିଏ ସ୍କୁଲରେ ଗୋଟିଏ ଶ୍ରେଣୀ ଗୃହକୁ ଉଡ଼ାଜାହାଜ ଭଳି ସଜାଯାଇଛି। ଏଭଳି ଛୋଟ ଛୋଟ କାମ ପିଲାଙ୍କ ମନରେ ବଡ଼ ପ୍ରଭାବ ପକାଇବ’’, କହିଛନ୍ତି ସୁସ୍ମିତା ବାଗ୍‌ଚୀ।

ବାକ୍ସ ଭିତରେ ପାଠାଗାର

‘ଲାଇବ୍ରେରି ଇନ୍ ଏ ବକ୍ସ’ ବା ବାକ୍ସ ଭିତରେ ପାଠାଗାର – ଏଭଳି ଏକ ଅଭିନବ କଥା ଚିନ୍ତା କରି ‘ମୋ ସ୍କୁଲ’ ପ୍ରାଥମିକ ସ୍କୁଲ ସ୍ତରରେ ପାଠାଗାର ଆବଶ୍ୟକତାକୁ ସକ୍ରିୟ କରିପାରିଛି। ଗୋଟିଏ ବିଧିବଦ୍ଧ ପାଠାଗାର ପାଇଁ ଆବଶ୍ୟକ ଅନେକ ପୁସ୍ତକ। ସେହିପରି ପାଠାଗାରକୁ ସକ୍ରିୟ କରିବା ପାଇଁ ଆବଶ୍ୟକ ପଠନ କକ୍ଷ ବା ରିଡିଂ ରୁମ୍ । କିନ୍ତୁ ସବୁ ସ୍କୁଲରେ ହୁଏତ ଏହା ସମ୍ଭବପର ନୁହେଁ। ତେଣୁ ଗୋଟିଏ ବାକ୍ସ ଭିତରେ ବିଭିନ୍ନ ବହି ରଖି ତାକୁ ପାଠାଗାର ଭଳି ବ୍ୟବହାର କରିବା ହେଉଛି ଏକ ଅଭିନବ ଭାବନା।

ଏହି ଭାବନାରୁ ଆଜି କନ୍ଧମାଳ ଜିଲ୍ଲାରେ ପ୍ରାୟ ୧୦୦ଟି ପ୍ରାଥମିକ ବିଦ୍ୟାଳୟରେ ଏହି ବାକ୍ସ ପାଠାଗାର ସୃଷ୍ଟି ହୋଇପାରିଛି। ପୁରାତନ ଛାତ୍ରଛାତ୍ରୀ ବା ଅଭିଭାବକଙ୍କର ସାମାନ୍ୟ ଅନୁଦାନ ସହ ସରକାରଙ୍କ ଅନୁଦାନ ମିଶି ସହଜରେ ଏହି ବ୍ୟବସ୍ଥା କରାଯାଇପାରୁଛି। ଗୋଟିଏ ସ୍କୁଲର ଶିକ୍ଷକ ଓ ଛାତ୍ରମାନେ ସୁବିଧାରେ ଗୋଟିଏ ବାକ୍ସକୁ ଗୋଟିଏ ଶ୍ରେଣୀରୁ ଅନ୍ୟ ଶ୍ରେଣୀକୁ ନେଇ ଯେଉଁଠି ଯେତେବେଳେ ଆବଶ୍ୟକ ପାଠାଗାର ସୃଷ୍ଟି କରିପାରିବେ।

ଗୋଷ୍ଠୀ ସହଭାଗିତାର ମୂଲ୍ୟ

‘ମୋ ସ୍କୁଲ’ ଅଭିଯାନ ଲୋକଙ୍କୁ ଗୋଷ୍ଠୀ ସହଭାଗିତାର ମୂଲ୍ୟ ସମ୍ପର୍କରେ ଏକ ବିଶେଷ ଅନୁଭବ ଦେଇପାରିଛି। ଦିନେ ଲୋକେ ସ୍କୁଲଗୁଡ଼ିକ ସରକାରଙ୍କର, ତେଣୁ ତାହାର ଭଲ ମନ୍ଦ ବୁଝିବା ଦାୟିତ୍ୱ କେବଳ ସରକାରଙ୍କର ବୋଲି ଭାବୁଥିଲେ। କିନ୍ତୁ ଏବେ ସେ ଭାବନାରେ ପରିବର୍ତ୍ତନ ଘଟି ଏବେ ଲୋକ ବୁଝିଲେଣି ଯେ ତାହା ହେଉଛି ‘ଆମ ସ୍କୁଲ’ ବା ‘ମୋ ସ୍କୁଲ’। ତେଣୁ ଗୋଟିଏ ସ୍କୁଲର ସୁଖ ଦୁଃଖ ସହିତ ଲୋକେ ନିଜକୁ ଯୋଡ଼ି ପାରିଛନ୍ତି।

ଆଜି ଗୋଟିଏ ସ୍କୁଲର ବିକାଶ କ୍ଷେତ୍ରରେ ସରକାରଙ୍କ ସହିତ କେବଳ ପୁରାତନ ଛାତ୍ରଛାତ୍ରୀମାନେ ଯୋଡ଼ି ହୋଇ ନାହାନ୍ତି। ଏହି ପ୍ରକ୍ରିୟାରେ ଅଭିଭାବକ, ସ୍ଥାନୀୟ ଜନସାଧାରଣ, ପଞ୍ଚାୟତିରାଜ ସଦସ୍ୟ, ଲୋକ ପ୍ରତିନିଧି, ବିଭିନ୍ନ ସଙ୍ଗଠନ ଏପରିକି ବଡ଼ ବଡ଼ କମ୍ପାନି ସାମିଲ ହୋଇ ଆମ ସ୍କୁଲଗୁଡ଼ିକର ଉନ୍ନତି ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିଛନ୍ତି।

‘‘ଗୋଟିଏ ସ୍କୁଲର ଭିତ୍ତିଭୂମିର ବିକାଶ ସବୁବେଳେ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ତା’ଠାରୁ ବଡ଼ କଥା ହେଉଛି ଏହାର ଶିକ୍ଷା ପରିବେଶରେ କିପରି ଲଗାତର ଭାବେ ଉନ୍ନତି ଆସିପାରିବ। ଛାତ୍ରଛାତ୍ରୀମାନେ ସ୍କୁଲ ପ୍ରତି ଆକୃଷ୍ଟ ହେବେ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ବୃଦ୍ଧି ଘଟିବ। ପୁରାତନ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣ ସ୍କୁଲ ସହ ଆତ୍ମୀୟ ଭାବେ ଯୋଡ଼ି ହେବେ। ଏସବୁ କଥା ସମ୍ଭବ ହେଲେ ଯାଇ ଆମେ ଗୋଟେ ସ୍କୁଲର ସାମଗ୍ରିକ ବିକାଶ କଥା କହିପାରିବା। ଖୁସିର କଥା ଯେ ଆମ ରାଜ୍ୟରେ ଆମ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ଯେଉଁ ପ୍ରମୁଖ ଧାରା ଆରମ୍ଭ ହୋଇଛି ସେଥିରେ ‘ମୋ ସ୍କୁଲ’ ଏକ ସୂତ୍ରଧର ଭୂମିକା ତୁଲାଉଛି’’, ଓଡ଼ିଶାଲାଇଭ୍‌କୁ କହିଛନ୍ତି ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ।

ରାଜ୍ୟର ସରକାରୀ ହାଇସ୍କୁଲଗୁଡ଼ିକର ରୂପାନ୍ତରଣ ପାଇଁ ୫-ଟି ଅଭିଯାନ ମାଧ୍ୟମରେ ସରକାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହାଫଳରେ ସରକାରୀ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଅତ୍ୟାଧୁନିକ ସୁବିଧା ମିଳିବ। ଶିକ୍ଷା ପରିବେଶରେ ଉନ୍ନତି ହେବା ସହ ଛାତ୍ରଛାତ୍ରୀମାନେ ସେମାନଙ୍କ ଭବିଷ୍ୟତର ସ୍ୱପ୍ନ ଦେଖିପାରିବେ। ସେହିଭଳି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ରାଜ୍ୟର ବଛାବଛା ୧୦୦ଟି ସ୍କୁଲରେ ‘ସେଣ୍ଟର ଫର୍ ଏକ୍ସିଲେନ୍ସ’ ଆରମ୍ଭ ହେବାକୁ ଯାଉଛି। ଏହି ସ୍କୁଲଗୁଡ଼ିକୁ ଅତ୍ୟାଧୁନିକ ରୂପ ଦେବା ପାଇଁ ଯାହା ଆବଶ୍ୟକ ସରକାର ତାହା ଯୋଗାଇଦେବେ। ଫଳରେ ଏହି ବିଦ୍ୟାଳୟଗୁଡ଼ିକ ଶିକ୍ଷାଦାନ କ୍ଷେତ୍ରରେ ନୂତନ ଆଦର୍ଶ ପ୍ରତିଷ୍ଠା କରିପାରିବ।

Comment