ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଛି ଦୁଇଟି ନୂଆ ହସ୍ପିଟାଲ। ଏହି ହସ୍ପିଟାଲର ପ୍ରତିଷ୍ଠା ନିମନ୍ତେ ସୁବ୍ରତ ବାଗ୍‌ଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗ୍‌ଚୀ ୩୪୦ କୋଟି ଟଙ୍କା ଅନୁଦାନ ଦେବେ। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି।

ଭୁବନେଶ୍ୱର ପ୍ରତିଷ୍ଠା ହେବାକୁ ଯାଉଛି ଏକ ନୂଆ କ୍ୟାନସର ହସ୍ପିଟାଲ। ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି। ଏହି ହସ୍ପିଟାଲ ପ୍ରତିଷ୍ଠା ପାଇଁ ୨୧୦କୋଟି ଟଙ୍କା ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବାଗ୍‌ଚୀ ଦମ୍ପତି। ଏଥିପାଇଁ ରାଜ୍ୟସରକାର ୨୦ ଏକର ଜମି ପ୍ରଦାନ କରିବେ।

୨୦୨୪ସୁଦ୍ଧା ୨୫୦ଶଯ୍ୟା ବିଶିଷ୍ଟ ଏହି କ୍ୟାନସର ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ। ପରେ ସେହି ଶଯ୍ୟା ସଂଖ୍ୟାକୁ ୫ଶହ ବୃଦ୍ଧି କରିବା ନେଇ ପ୍ରସ୍ତାବ ରହିଛି। ଏହି ହସ୍ପିଟାଲରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ନିମନ୍ତେ ୨୫ପ୍ରତିଶତ ଶଯ୍ୟା ଅଲଗା ରଖାଯିବ କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।

ସେହିପରି ଭୁବନେଶ୍ୱରରେ ହେବ ବାଗଚୀ-କରୁଣାଶ୍ରୟ ପାଲିଆଟିଭ କେୟାର ସେଣ୍ଟର। ଏଥିପାଇଁ ୧୩୦ କୋଟି ଟଙ୍କା ଦେବେ ବାଗ୍‌ଚୀ ଦମ୍ପତି। ପ୍ରଥମେ ୧୦୦ଶଯ୍ୟା ବିଶିଷ୍ଟ ସେଣ୍ଟର ନିର୍ମାଣ କରାଯିବ। ଏହି ସେଣ୍ଟରରେ ରୋଗୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବାର ସୂଚନା ରହିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଆୟୋଜିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ସମୁଦାୟ ୧୦ଟି ପ୍ରସ୍ତାବ ଉପରେ ମୋହର ଲାଗିଛି।

Comment