ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ପିପିଲି ଉପନିର୍ବାଚନରେ କଂଗ୍ରେସର ସ୍ଥିତି ଖରାପ, ଲଢ଼େଇ ବିଜେପି ବିଜେଡି ମଧ୍ୟରେ ସୀମିତ।

ପିପିଲି ଉପନିର୍ବାଚନ ପାଇଁ ଦିନ ପାଖେଇ ଆସୁଥିଲା ବେଳେ ମୁଖ୍ୟତଃ ଦୁଇଟି ଦଳ ବିଜେଡି ଆଉ ବିଜେପି ଜୋରସୋରରେ ପ୍ରଚାର ଚଳାଇଛନ୍ତି। ହେଲେ କଂଗ୍ରେସର ଦେଖା ମିଳୁନାହିଁ। ତେଣୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଏଥର ନିର୍ବାଚନୀ ମଇଦାନରେ କେବଳ ବିଜେଡି ଓ ବିଜେପି ହିଁ ରହିବେ। ଏକେ ତ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ପୀଡ଼ିତ ଅଛନ୍ତି। ଅନ୍ୟପଟେ ନିର୍ବାଚନ ଲଢ଼ିବା ପାଇଁ ଦଳର ନେତାମାନଙ୍କ ମଧ୍ୟରେ ବି ବିଶେଷ ଆଗ୍ରହ ପ୍ରକାଶ ପାଉନାହିଁ। ତେଣୁ ବିଜେପୁର ପରି ପିପିଲିରେ ମଧ୍ୟ ସମାନ ସ୍ଥିତି ହୋଇପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।ବିଜେପୁର ଉପନିର୍ବାଚନ ପରି ହେବନି ତ?

ପିପିଲିରେ ଗୋଟିଏ ଆଲୋଚନା ଏବେ ଜୋର ଧରିଛି ଯେ ଏପାଳି ପିପିଲି କଣ ବିଜେପୁର ବା ରେ ଯିବ କି? ଅର୍ଥାତ କଂଗ୍ରେସ କଣ ହାତ ଟେକିଦେବ? ମନେ ପକାଇ ଦିଆଯାଇପାରେ ଯେ ୨୦୧୮ରେ ବିଜେପୁର ଉପନିର୍ବାଚନରେ ଘମାଘୋଟ ପ୍ରଚାର ହୋଇଥିଲା। ବିଜେଡିକୁ ବିଜେପି କଡ଼ା ଟକ୍କର ଦେଇଥିଲା ସତ ହେଲେ ଶେଷରେ ବିଜେଡି ପ୍ରାର୍ଥୀ ରିତା ସାହୁ ହିଁ ନିର୍ବାଚନ ଜିତି ଥିଲେ। କାରଣ ରିତାଙ୍କୁ ସାହାଯ୍ୟ କରିଥିଲା କଂଗ୍ରେସ ଭୋଟ। ସେହି ଉପନିର୍ବାଚନରେ ସବୁ କଂଗ୍ରେସ ଭୋଟ ରିତାଙ୍କୁ ଯିବା ଫଳରେ ସେ ବହୁ ଭୋଟରେ ବିଜୟୀ ହୋଇଥିଲେ।

ପିପିଲିରେ ମଧ୍ୟ ସେହି ସମାନ ଅବସ୍ଥା ହେବାକୁ ଯାଉଛି ବୋଲି କଂଗ୍ରେସର ଜଣେ ସ୍ଥାନୀୟ ଅଭିଜ୍ଞ ନେତା କହିଛନ୍ତି। ଯଦିଓ କିଛି କଂଗ୍ରେସ କର୍ମୀ ଗାଁ ଗାଁ ବୁଲି ଅଜିତ ମଙ୍ଗରାଜଙ୍କ ପାଇଁ ଭୋଟ ମାଗୁଛନ୍ତି, କିନ୍ତୁ ବିଜେପି ଓ ବିଜେଡିର ପ୍ରଚାର ତୁଳନାରେ କଂଗ୍ରେସ ପ୍ରଚାର ପୂରା ଫିକା ପଡ଼ିଛି।ଯୁଧିଷ୍ଠିର-ପ୍ରଦୀପ ରାଜନୀତି

ଯଦି ପିପିଲି ନିର୍ବାଚନ ମଣ୍ଡଳୀର ଅତୀତ ଇତିହାସକୁ ଦେଖିବା ଏଠି କଂଗ୍ରେସ କ୍ରମଶଃ ତାର ପ୍ରଭାବ ହରାଇ ଆସିଛି। ଆଗରୁ ପିପିଲିରେ ଲଢ଼େଇ କଂଗ୍ରେସ ଓ ଜନତା ପାର୍ଟି (ପରେ ବିଜୁ ଜନତା ଦଳ) ଭିତରେ ହୋଇ ଆସୁଥିଲା। ବିଗତ କିଛି ଦଶନ୍ଧି ଧରି ପିପିଲିରେ ମୁଖ୍ୟତଃ ଦୁଇ ଜଣ ପ୍ରତିଦ୍ଵନ୍ଦୀ ରହି ଆସୁଥିଲେ – ଯୁଧିଷ୍ଠିର ସାମନ୍ତରାୟ ଓ ପ୍ରଦୀପ ମହାରଥୀ। ପ୍ରଦୀପ ମହାରଥୀ ୮ଟି ଭିତରୁ ୭ଟି ନିର୍ବାଚନ ଜିତିଛନ୍ତି। ଯୁଧିଷ୍ଟିର ସାମନ୍ତରାୟ କେବଳ ୧୯୯୫ରେ ପିପିଲିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରୁ କିନ୍ତୁ କଂଗ୍ରେସ ପିପିଲିରେ ସତ୍ତା ହରାଇଲା ଓ ଦଳର ପ୍ରାର୍ଥୀ ଅଜିତ ମଙ୍ଗରାଜ ତୃତୀୟ ସ୍ଥାନରେ ରହିଲେ। ସେହି ନିର୍ବାଚନରେ ହିଁ  ସ୍ୱାଧୀନ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଉପରକୁ ଉଠିଲେ। ଆଶ୍ରିତଙ୍କ ଠାରୁ ପ୍ରଦୀପ ମହାରଥୀ ମାତ୍ର ୧୬ ହଜାର ଭୋଟ ବ୍ୟବଧାନରେ ଜିତିଥିଲେ।ବଡ଼ ଶତ୍ରୁ କିଏ?

ଏଣୁ ୨୦୨୧ ନିର୍ବାଚନରେ ମଧ୍ୟ ଇତିହାସର ପୁନରାବୃତ୍ତି ହେବା ଦେଖାଯାଉଛି। ଏଥର ଲଢ଼େଇ ମୁଖ୍ୟତଃ ରୁଦ୍ର ମହାରଥୀ ଓ ଆଶ୍ରିତ ପଟ୍ଟନାୟକଙ୍କ ଭିତରେ ହିଁ ସୀମିତ ରହିଛି। ଏଣୁ, କଂଗ୍ରେସର ଚିନ୍ତା ହେଉଛି ଦଳର ପ୍ରାର୍ଥୀ ତ ହାରିବେ, ତେବେ କଂଗ୍ରେସ ଦଳର ବୁନିଆଦି ଭୋଟରମାନେ କାହାକୁ ସମର୍ଥନ କରିବେ? ‘ବଡ଼ ଶତ୍ରୁ’ ନା ‘ସାନ ଶତ୍ରୁ’ କାହାକୁ ବାଛିବେ ସେନେଇ କଂଗ୍ରେସ ନେତାମାନେ ଏବେ ଦ୍ଵନ୍ଦ୍ୱରେ ପଡ଼ିଛନ୍ତି। କଂଗ୍ରେସ ପାଇଁ ବଡ଼ ଶତ୍ରୁ ହେଉଛି ବିଜେପି କାରଣ ଜାତୀୟ ସ୍ତରରେ ଏହି ଦୁଇ ଦଳ ପରସ୍ପରର ଗୋଇ ଖୋଳିବାରେ ଲାଗିଛନ୍ତି। ତେଣୁ ସାନ ଶତ୍ରୁ ବିଜେଡିକୁ ସମର୍ଥନ ଦେବା ବୁଦ୍ଧିମାନର କାମ ହେବ ବୋଲି କଂଗ୍ରେସ ନେତା ଚିନ୍ତା କରି ଦେଖିଛନ୍ତି। ବଡ଼ ଶତ୍ରୁକୁ ଯେମିତି ହେଲେ ଦୂରେଇ ରଖିବା ପାଇଁ ହେବ ଏହା ହେଉଛି କଂଗ୍ରେସର ପିପିଲି ରଣନୀତି।ଫେରସ୍ତ ଉପହାର

ଏହି ସ୍ଥିତିରେ, ବିଜେଡି ଆଡ଼କୁ କଂଗ୍ରେସ ନେତାମାନେ ଢଳୁଥିବାର ପ୍ରମାଣ ମିଳିଥିଲା ଯେଉଁଦିନ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁଅ ନବୀନ ନିବାସରେ ପହଁଞ୍ଚି ଯୁବ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କଲେ। ଫେରସ୍ତ ଉପହାର ସ୍ୱରୂପ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ମଙ୍ଗରାଜଙ୍କ ବଡ଼ ଭାଇଙ୍କ ସହ କଥା ବାର୍ତ୍ତା କରିବା ସହ ଅଜିତଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।ନୂଆ ସମୀକରଣ

୨୦୨୧ରେ ପିପିଲିରେ ଯେଉଁ ନୂଆ ରାଜନୈତିକ ସମୀକରଣ ଘଟୁଛି ସେଥିରେ ବିଜେଡି ଓ କଂଗ୍ରେସ ଏକା ସାଙ୍ଗରେ ଚାଲିଛନ୍ତି। ତେବେ ବିଜେପି ପ୍ରାର୍ଥୀ ଆଶ୍ରିତଙ୍କୁ ଶାସକ ବିଜେଡିର ନେତାମାନେ ହାଲକା ଭାବରେ ବି ନେଉନାହାନ୍ତି। କାହିଁକି ନା ପୁରୀ ପାଖାପାଖି ଗାଁଗୁଡ଼ିକରେ ବିଜେପିର ଭଲ ଭୋଟ ରହିଛି। ନିକଟରେ ନୂଆ ଶାସନ ପଞ୍ଚାୟତର ଉପନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କିନ୍ତୁ ଭୁବନେଶ୍ୱର ଆଡ଼କୁ ହିଁ ପଦ୍ମ ଦଳର ଭୋଟ ଟିକିଏ ଦୁର୍ବଳ ରହିଛି। ତେଣୁ ଶାସକ ବିଜେଡି ପାଖରୁ ପିପିଲି ଆସନକୁ ଛଡ଼ାଇ ଆଣିବା ପାଇଁ ବିଜେପି ତତ୍ପର ହୋଇ ଉଠିଛି। ସେଇଥିପାଇଁ ଦଳର ବଡ଼ ବଡ଼ ନେତା ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରାଣପଣେ ଲାଗି ପଡ଼ିଛନ୍ତି।

ଏବେ ଦେଖିବା ପାଇଁ ବାକି ରହିଲା ପିପିଲିରେ ‘ଅନୁକମ୍ପା ରାଜନୀତି’ କାମ ଦେଉଛି କି ‘ପରିବର୍ତ୍ତନ ରାଜନୀତି’।

Comment