ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ପ୍ରତିଷ୍ଠା ହେବାକୁ ଥିବା କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ସହ ପାଲିଏଟିଭ୍‌ କେୟାର ସେଣ୍ଟର ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି।

‘ବାଗ୍‌ଚୀ-ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ପାଇଁ ରାଜ୍ୟ ସରକାର, ଶ୍ରୀମତୀ ବାଗ୍‌ଚୀ ଓ ଶ୍ରୀ ଶଙ୍କର କ୍ୟାନସର ଫାଉଣ୍ଡେସନ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷାରିତ ହୋଇଥିଲା ବେଳେ ପାଲିଏଟିଭ୍‌ କେୟାର ସେଣ୍ଟର ପାଇଁ ରାଜ୍ୟ ସରକାର, ଶ୍ରୀମତୀ ବାଗ୍‌ଚୀ ଓ କରୁଣାଶ୍ରୟ ହସ୍‌ପିସ୍‌ ଟ୍ରଷ୍ଟ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି।

ଏହି କ୍ୟାନସର ହସ୍ପିଟାଲ ଓ ପାଲିଏଟିଭ୍‌ କେୟାର ସେଣ୍ଟର ପାଇଁ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଓ ତାଙ୍କ ପତ୍ନୀ ତଥା ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ୩୪୦ କୋଟି ଟଙ୍କା ଦାନ କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ। ଏହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଓଡ଼ିଶାରେ ଏକ ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ୍‌‌ ସହ ଏକ ପାଲିଏଟିଭ୍ କେୟାର ସେଣ୍ଟର ପ୍ରତିଷ୍ଠା ଲାଗି ୩୪୦ କୋଟି ଟଙ୍କା ଦାନ ଘୋଷଣା କରି ସୋମବାର ଦିନ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଓ ସୁସ୍ମିତା ବାଗ୍‌ଚୀ ନ୍ୟୁଜ୍‌ ହେଡ୍‌ଲାଇନ୍‌ରେ ଆସିଥିଲେ। ଏହି ଅର୍ଥରେ ଭୁବନେଶ୍ୱରର ଇନ୍‌ଫୋଭ୍ୟାଲିରେ ୨୦ ଏକର ଜାଗାରେ ନିର୍ମିତ ହେବ ‘ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର’। ସେହିପରି ଆଉ ୨୦ ଏକର ଜମିରେ ହେବ ‘ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ୍‌ କେୟାର ସେଣ୍ଟର’। ରାଜ୍ୟ ସରକାର ଏହି ୪୦ ଏକର ଜମି ମାଗଣାରେ ଯୋଗାଇ ଦେବେ।

ବେଙ୍ଗାଳୁରର ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍ପିଟାଲ କର୍କଟ ଚିକିତ୍ସା ଲାଗି ଦେଶର ଏକ ଜଣାଶୁଣା କେନ୍ଦ୍ର। ଏହା ୨୫ ପ୍ରତିଶତ ରୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ଯୋଗାଇ ଦେଇଥାଏ। ସେହିପରି ସେଠାରେ ଆଉ ୨୫ ପ୍ରତିଶତ ରୋଗୀ ସେମାନଙ୍କ ସାଧ୍ୟ ଅନୁଯାୟୀ ଟଙ୍କା ଦେଇଥାନ୍ତି। ବାକି ୫୦ ପ୍ରତିଶତ ରୋଗୀ ମୋଟ ଦେୟ ଦେଇ ଚିକିତ୍ସା କରାଇଥା’ନ୍ତି। ସାମର୍ଥ୍ୟ ଥିବା ରୋଗୀଙ୍କଠାରୁ ଆସୁଥିବା ପଇସାରେ ସେଠାରେ ଗରିବ ଶ୍ରେଣୀର ରୋଗୀଙ୍କର ସେବା କରାଯାଉଛି।

ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍ପିଟାଲ ମଡେଲ୍‌ ବା ସୁବିଧା ଏବେ ଓଡ଼ିଶାର କ୍ୟାନ୍‌ସର ରୋଗୀଙ୍କ ପାଖରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି ବାଗ୍‌ଚୀ ଦମ୍ପତି। ସେହି ଡାକ୍ତରଖାନା ସହ ମିଶି ଭୁବନେଶ୍ୱରରେ ତିଆରି ହେବ ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍ପିଟାଲ। କ୍ୟାନସର ଚିକିତ୍ସା ଓ ଗବେଷଣା ପାଇଁ ଆଗାମୀ ଦିନରେ ଏହା ଦେଶର ଏକ ଆଗଧାଡ଼ିର କେନ୍ଦ୍ର ଭାବେ ତିଆରି ହେବ।

ଏହାସହ ୨୦ ଏକର ଜାଗାରେ ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ୍‌ କେୟାର ସେଣ୍ଟର ପ୍ରତିଷ୍ଠା ହେବ। ଏଠାରେ ସବୁ ରୋଗୀଙ୍କୁ ମାଗଣାରେ ସେବା ମିଳିବ। ସେଠାରେ ହସ୍ପିଟାଲ ବ୍ଲକ୍‌ ସହ ତାଲିମ୍‌ କେନ୍ଦ୍ର, ଡାକ୍ତର ଓ ନର୍ସଙ୍କ ରହିବା ବ୍ୟବସ୍ଥା ଏବଂ ଅଡିଟୋରିୟମ୍‌ ଆଦି ବ୍ୟବସ୍ଥା ରହିବ। ସେଠାରେ ସେବା ସହ ତାଲିମ ଲାଗି କାର୍ଯ୍ୟକ୍ରମ ରଖାଯିବ।

Comment