ଓଡ଼ିଶାଲାଇଭ୍ ବ୍ୟୁରୋ

ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ବିଶ୍ଵକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସୋମବାର ସମର୍ଥକମାନଙ୍କ ସହ ଇଲେକ୍ସନ କନଭେନରଙ୍କ ନିକଟରେ ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜଙ୍କୁ ଦଳ ବିଧାୟକ ପ୍ରାର୍ଥୀ କରିଥିଲା। କିନ୍ତୁ ନିର୍ବାଚନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ଦେହାନ୍ତ ହୋଇଥିଲା। ଏଥିପାଇଁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା।ଏହାପରେ ନିର୍ବାଚନ କମିସନର ପିପିଲି ଉପନିର୍ବାଚନ ପାଇଁ ମେ’ ୧୩ ତାରିଖକୁ ଧାର୍ଯ୍ୟ କଲେ ଏବଂ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ରକୁ ବଳବତ୍ତର ରଖିବା ସହ କେବଳ କଂଗ୍ରେସକୁ ଆଉ ଜଣେ ପ୍ରାର୍ଥୀ ଦେବାକୁ କୁହାଯାଇଥିଲା। ମାତ୍ର ମେ’ ୧୩ରେ ଇଦ୍-ଉଲ୍-ଫିତର ପଡୁଥିବାରୁ ପୁନର୍ବାର ଭୋଟ ଗ୍ରହଣ ତାରିଖକୁ ମେ’ ୧୬କୁ ଘୁଞ୍ଚାଇ ଦିଆଯାଇଛି।

ଅଜିତଙ୍କ ଦେହାନ୍ତ ପରେ ତାଙ୍କ ପରିବାରରୁ କାହାକୁ ଟିକେଟ ମିଳିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ତାଙ୍କ ସ୍ତ୍ରୀ କି ଭାଇ କେହି ଟିକେଟ ନେବାକୁ ରାଜି ହୋଇ ନଥିଲେ। ଏହାପରେ ବିଶ୍ଵକେଶନ ହରିଚନ୍ଦନ ମହାପାତ୍ରଙ୍କୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ଚୟନ କରିଛି।

ବିଶ୍ଵକେଶନ ହରିଚନ୍ଦନ ମହାପାତ୍ର ପୁରୀ ଜିଲ୍ଲାରେ କଂଗ୍ରେସର ସେବା ଦଳ ସହ ଦୀର୍ଘଦିନରୁ ଜଡ଼ିତ ଅଛନ୍ତି। ପେଶାରେ ସେ ଜଣେ ଆଇନଜୀବୀ। ସେ ଏବେ ପୁରୀ ଜିଲ୍ଲା କଂଗ୍ରେସ ସେବାଦଳର ମୁଖ୍ୟ ସଂଗଠକ ଭାବେ କାର୍ଯ୍ୟ କରୁଛନ୍ତି।

Comment