ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ସଂଖ୍ୟା ଏବେ ସବୁ ରେକର୍ଡ ଭାଙ୍ଗିଛି। ପ୍ରାୟ ଦିନକୁ ୭ରୁ ୮ ହଜାର ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ଲଗାତର ୩ ଦିନ ହେଲା ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯାହା ପ୍ରଶାସନର ଚିନ୍ତା ବଢ଼ାଇଛି। ଏପ୍ରିଲ ୨୭ ତାରିଖରେ ଖୋର୍ଦ୍ଧାରୁ ୯୧୯ ଜଣ ପିଜିଟିଭ ଚିହ୍ନଟ ହୋଇଥିଲା ବେଳେ ୨୬ ତାରିଖରେ ୧୮୪୦, ୨୫ ତାରିଖରେ ୧୦୯୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଚିନ୍ତା ବଢ଼ାଉଛି ଭୁବନେଶ୍ୱର

ସେପଟେ ରାଜଧାନୀ ଭୁବନେଶ୍ୱରରେ ବି ସଂକ୍ରମଣ ଡିଆଁ ମାରୁଛି। ଖୋର୍ଦ୍ଧାରୁ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱରରୁ ସର୍ବାଧିକ ରହିଛନ୍ତି। ବିଏମସିର ରିପୋର୍ଟ ଅନୁସାରେ ବୁଧବାର ଭୁବନେଶ୍ୱରରୁ ୧୦୪୪ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ମଙ୍ଗଳବାର ୭୭୩ ପଜିଟିଭ ଚିହ୍ନଟ ହୋଇଥିଲେ। ଦୈନିକ ଏତେ ସଂଖ୍ୟକ ପଜିଟିଭ୍‌ ବିଏମସି କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି। ଏବେଠାରୁ ଯଦି କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ନ ନିଆଯାଏ ତେବେ ଭୁବନେଶ୍ୱରରେ ବି ଦିଲ୍ଲୀ ମହାରାଷ୍ଟ୍ର ଭଳି ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି।

ବିଏମସିର କଡ଼ା କାର୍ଯ୍ୟାନୁଷ୍ଠାନ

 ଅନ୍ୟପଟେ ରାଜଧାନୀରେ କରୋନା ସଂକ୍ରମଣ ବଢ଼ିବା ପରେ ବିଏମସି କଡ଼ା କାର୍ଯ୍ୟନୁଷ୍ଠାନ ନେବା ଆରମ୍ଭ କରିଛି। ବୁଧବାର ୟୁନିଟ ୨ ମାର୍କେଟ ବିଲ୍ଡିଂର, ଭିଏସଏସ୍‌ ନଗର ହାଟ ସମେତ ବହୁ ଫାଷ୍ଟଫୁଡ ଦୋକାନ, ଆମିଷ ବଜାର, ଆଦିକୁ ସିଲ୍‌ କରାଯାଇଛି। ସିଲ୍‌ ହୋଇଥିବା ହାଟ, ଦୋକାନ ସୋମବାରରୁ ପୁଣି ଖୋଲିବ।

ଏହାପରେ ବି ଯଦି କୋଭିଡ କଟକଣା ନମାନନ୍ତି ତେବେ ଅଧିକ ଦିନ ପାଇଁ ଦୋକାନ ବଜାର ବନ୍ଦ କରିଦିଆଯିବ ବୋଲି କୁହାଯାଇଛି।

ବସ୍ତି ଉପରେ ନଜର

ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବସ୍ତି ଅଞ୍ଚଳ ଉପରେ ବିଏମ୍‌ସିର କଡ଼ା ନଜର ରହିଛି। ରାପିଡ୍‌ ରେସପନ୍ସ ଟିମ୍‌ ପହଞ୍ଚି ଏବେ ବସ୍ତି ଅଞ୍ଚଳରେ ଡୋର୍‌ ଟୁ ଡୋର୍‌ ସର୍ଭେ କରୁଛନ୍ତି। ଏହାସହିତ ସଚେତକ ଟିମ୍‌ ଲୋକଙ୍କୁ କୋଭିଡ୍‌ ସଚେତନତା ବାର୍ତ୍ତା ଦେଉଛନ୍ତି।

Comment