ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

କ୍ୟାପ୍‌ଟେନ୍‌, କମ୍ରେଡ୍ ଏବଂ କ୍ରାଇସିସ ମ୍ୟାନେଜର। କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ମ୍ୟାଜିକ ଏବେ ରାଜ୍ୟର ବିଧାନସଭା ନିର୍ବାଚନ ଫଳରେ ପ୍ରତିଫଳିତ ହୋଇଛି।

କେରଳ ରାଜ୍ୟ ବିଧାନସଭ ନିର୍ବାଚନୀ ଇତିହାସରେ ୪ ଦଶନ୍ଧି ଧରି ଏକ ପ୍ରଥା ରହି ଆସିଥିଲା। ତାହା ହେଉଛି ରାଜ୍ୟରେ ପ୍ରତି ଦଫା ଶାସନ କ୍ଷମତା ବଦଳୁଥିଲା। ବାମଦଳ ନେତୃତ୍ୱାଧୀନ ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଲ୍‌ଡିଏଫ୍‌) ଏବଂ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ୍‌) ପାଳିକରି ଶାସନ କ୍ଷମତାକୁ ଆସୁଥିଲେ। କିନ୍ତୁ ଚଳିତ ଥର କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ନେତୃତ୍ୱାଧୀନ ଏଲ୍‌ଡିଏଫ୍ ପୁଣିଥରେ କ୍ଷମତାସୀନ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଫଳରେ ୪ ଦଶନ୍ଧିର ପାଳି ସରକାର ପ୍ରଥାକୁ ଭାଙ୍ଗିଛି ବାମଦଳ।

କ୍ୟାପ୍‌ଟେନ୍‌, କମ୍ରେଡ୍ ଏବଂ କ୍ରାଇସିସ ମ୍ୟାନେଜର। କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ମ୍ୟାଜିକ ଏବେ ରାଜ୍ୟର ବିଧାନସଭା ନିର୍ବାଚନ ଫଳରେ ପ୍ରତିଫଳିତ ହୋଇଛି। ଭୋଟ୍ ଗଣତିରେ (ଦିନ ୪ଟା ୩୦ ସୁଦ୍ଧା) ୧୪୦ ଆସନରୁ ୯୩ଟି ଆସନରେ ଆଗୁଆ ରହିଛି। ୟୁଡିଏଫ୍ ୪୩ଟି ଆସନରେ ଅଗ୍ରଣୀ ହାସଲ କରିଛି।ପିନାରାୟୀ ବିଜୟନ: କ୍ରାଇସିସ ମ୍ୟାନେଜର
କେରଳରେ ଏଲ୍‌ଡିଏଫ୍‌କୁ ଜନମତ ଯିବାରେ ଏକ ବଡ଼ ଭୂମିକା ନେଇଛି କ୍ୟାପ୍‌ଟେନ୍ ପିନାରାୟୀ ବିଜୟନଙ୍କ ଭାବମୂର୍ତ୍ତି। ଗତ ୫ ବର୍ଷର ବାମ ଶାସନରେ ଦଳ ପାଇଁ ଅନେକ ସଙ୍କଟ ଆସିଛି। ୨୦୧୭ରେ ବାତ୍ୟା, ୨୦୧୮ରେ ନିଫା ଭାଇରସ ଆତଙ୍କ, ୨୦୧୮ ଓ ୨୦୧୯ରେ ଭୟଙ୍କର ବନ୍ୟା ଏବଂ ଶେଷରେ ୨୦୨୦ରୁ ଏଯାବତ୍ କରୋନା ମହାମାରୀର ପ୍ରକୋପ ଜାରି ରହିଛି।

ବନ୍ୟା, ବାତ୍ୟା ବେଳେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ, ବିପନ୍ନ ଲୋକଙ୍କୁ ମାଗଣା ଖାଦ୍ୟ ପୁଡ଼ିଆ ଦିଆଯାଇ ଏଭଳି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରିଥିଲା ବାମଦଳ। ଏସବୁ ସଙ୍କଟମୟ ପରିସ୍ଥିତିରେ ପିନାରାୟୀ ଜଣେ ସକ୍ରିୟ ଓ ସ୍ୱଚ୍ଛ ନେତୃତ୍ୱର ପରିଚୟ ଦେଇପାରିଛନ୍ତି, ଯାହା ଦଳ ପାଇଁ ନିର୍ବାଚନରେ ସହାୟକ ହୋଇଛି।

ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା
କରୋନା ମହାମାରୀ ବେଳେ ୨୦୨୦ ମାର୍ଚ୍ଚରେ ଯେତେବେଳେ ପ୍ରଥମଥର ପାଇଁ ମୋଦୀ ସରକାର ଦେଶରେ ଲକ୍‌ଡାଉନ୍ ଘୋଷଣା କଲେ, ସେତେବେଳେ ପ୍ରବାସୀ ଶ୍ରମିକମାନେ ନିଜ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିଲେ। ଶହ ଶହ କିଲୋମିଟର ଚାଲି ଘରକୁ ଫେରୁଥିଲେ।

ଏଭଳି ସ୍ଥିତିରେ ଗରିବ ଲୋକଙ୍କୁ ସହାୟତା ରାଶି, ପିଡିଏସ୍ କାର୍ଡଧାରୀଙ୍କୁ ମାଗଣା ଖାଦ୍ୟ ଏବଂ କେରଳରେ ରହୁଥିବା ବାହାର ରାଜ୍ୟର ଶ୍ରମିକଙ୍କୁ ପ୍ରବାସୀ ନକହି ସେମାନଙ୍କୁ ‘ଅତିଥି’ ଭାବେ ଥଇଥାନ କରିଥିଲା ଶାସକଦଳ। ଆଉ ଏହା ହିଁ ତଳସ୍ତରର ଲୋକଙ୍କ ଭିତରେ ବାମଦଳ ପ୍ରତି ଆସ୍ଥା କାଏମ ରଖିଥିଲା ଏବଂ ୨୦୨୧ ବିଧାନସଭା ନିର୍ବାଚନରେ ତାହା ଏଲ୍‌ଡିଏଫ୍ ପାଇଁ ଭୋଟ୍‌ରେ ପରିଣତ ହୋଇଛି।ଏଲ୍‌ଡିଏଫ୍‌ରେ ଅନେକ ଲୋକପ୍ରିୟ ନେତା ଓ ମନ୍ତ୍ରୀ ଅଛନ୍ତି ସତ; କିନ୍ତୁ ପିନାରାୟୀ ବିଜୟନଙ୍କ ନିର୍ବିବାଦୀୟ ଭାବମୂର୍ତ୍ତି ହିଁ ମେଣ୍ଟ ଦଳର ପ୍ରମୁଖ ଚେହେରା ଭାବେ ଉଭା ହୋଇଥିଲା। ଗତ ୫ ବର୍ଷ ଭିତରେ ବିଭିନ୍ନ ସଙ୍କଟମୟ ସ୍ଥିତିରେ ରହି ମଧ୍ୟ ଜଣେ ସଫଳ କ୍ୟାପ୍‌ଟେନ୍ ଭାବେ ଦଳକୁ ଉଚିତ୍ ନେତୃତ୍ୱ ଦେଇଚାଲିଥିଲେ ବିଜୟନ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେରଳବାସୀଙ୍କୁ ଏହାର ତାଜା ସୂଚନା ଦେବା ସହ ଏହି ବିପତ୍ତିର ମୁକାବିଲା ପାଇଁ ଏଲ୍‌ଡିଏଫ୍ ସରକାର ପ୍ରଣୟନ କରିଥିବା ଯୋଜନାଗୁଡ଼ିକ ସମ୍ପର୍କରେ ସେମାନଙ୍କୁ ଅତି ଭଲ ଭାବରେ ଅବଗତ କରିପାରିଥିଲେ। ଏହା ହିଁ ଦଳକୁ ପୁଣି କ୍ଷମତାସୀନ କରିବା ଦିଗରେ ରାସ୍ତା ସହଜ କରିଦେଲା।

ପିନାରାୟୀଙ୍କ ରାଜନୈତିକ କ୍ୟାରିୟର
୧୯୬୪ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ)ରେ ଯୋଗ ଦେବା ପୂର୍ବରୁ ସେ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ। ୧୯୮୬ରେ କନ୍ନୁର ଜିଲ୍ଲା ସଚିବ ଓ ୧୯୯୮ରେ କେରଳରେ ଦଳର ରାଜ୍ୟ ସଚିବ ମନୋନୀତ ହେଲେ। ୨୦୧୫ ପର୍ଯ୍ୟନ୍ତ ସେ ଏହି ପଦରେ ରହିଥିଲେ । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ପିନାରାୟୀ ବିଜୟନ ଶକ୍ତି ଓ ସମବାୟ ଭଳି ଅନ୍ୟ ବିଭାଗର ମନ୍ତ୍ରୀ ମଧ୍ୟ ରହିଥିଲେ। ଦେଶର ଜରୁରୀ ପରିସ୍ଥିତିରେ (ଇମର୍ଜେନ୍ସି) ସେ ଗିରଫ ହୋଇଥିଲେ।

Comment