ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ) : ଆନ୍ଧ୍ରପ୍ରଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମେ’ ୫ରୁ ୧୯ ତାରିଖ ୧୪ ଦିନ ପାଇଁ ରାଜ୍ୟରେ ଆଂଶିକ କର୍ଫ୍ୟୁ ଲାଗୁ କରିଛନ୍ତି ଆନ୍ଧ୍ର ସରକାର। ରବିବାର ରାଜ୍ୟରେ ଦୈନିକ ସଂକ୍ରମଣ ସବୁ ରେକର୍ଡ ଭାଙ୍ଗି ୨୦,୦୦୦ ଟପିବା ପରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନ ମୋହନ ରେଡ୍ଡୀ ଏହି ନିଷ୍ପତ୍ତି ନେଇଛନ୍ତି।

କର୍ଫ୍ୟୁ ସମୟରେ ରାଜ୍ୟର ଦୋକାନଗୁଡ଼ିକ ପ୍ରତିଦିନ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। ସେହିପରି କେବଳ ଜରୁରୀ ସେବାକୁ ହିଁ ଅନୁମତି ଦିଆଯିବ ବୋଲି ସରକାର କହିଛନ୍ତି।ସୋମବାର ରାଜ୍ୟର କୋଭିଡ ସ୍ଥିତି ଉପରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନ ମୋହନ ରେଡ୍ଡୀ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ଗତ କିଛି ଦିନ ହେବ ରାଜ୍ୟରେ ରାତି ୧୦ଟାରୁ ଭୋର୍ ୫ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଲାଗୁ କରାଯାଇଥିଲା। କିନ୍ତୁ ଦିନକୁ ଦିନ ସେଠାରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ କର୍ଫ୍ୟୁ ପାଇଁ ନିଷ୍ପତ୍ତି ନେଇଥିବା କୁହାଯାଇଛି।

ରବିବାର ଦିନ ଆନ୍ଧ୍ରରେ ୧,୧୪,୨୯୯ ଜଣଙ୍କ କୋଭିଡ୍ ପରୀକ୍ଷା କରାଯାଇ ଥିଲା। ଏଥିରୁ ୨୩,୯୨୦ ଜଣଙ୍କ ରିପୋର୍ଟ ପଜିଟିଭ୍ ଚିହ୍ନଟ ହୋଇଛିଷ ଯାହାକି ରାଜ୍ୟର ଦୈନିକ ସଂକ୍ରମଣରେ ସର୍ବାଧିକ। ସେହିପରି ଗତ ୨୪ ଘଣ୍ଟାରେ ୮୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

Comment