ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରୟଣ ପାଢ଼ୀ): କରୋନା ମହାମାରୀ ମାନବିକତାକୁ ମାରି ଦେଇଛି। ଏହି ମହାମାରୀ ଯୋଗୁଁ ଅନେକ ନିଜ ନିଜ ସମ୍ପର୍କୀୟଙ୍କ ଠାରୁ ଦୂରେଇ ଯାଇଛନ୍ତି । ସଂକ୍ରମଣ ଭୟ ଆଗରେ ଫିକା ପଡ଼ିଛି ସମ୍ପର୍କ। କରୋନା କାଳରେ ଯଦିବା କେଉଁ ସମ୍ପର୍କୀୟଙ୍କର ମୃତ୍ୟୁ ହେଉଛି, କାନ୍ଧ ଦେବାକୁ ପାଖ ମାଡ଼ୁନାହାଁନ୍ତି ପରିବାର ଲୋକ। ଏହିଭଳି ଦୁଃଖଦ ଘଟଣା ଅନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ଦେଖିବାକୁ ମିଳୁଛି।

ଶ୍ରୀକାକୁଲମ୍ ଜିଲ୍ଲାର ଜୟନାଥ କଲୋନୀର ବାସିନ୍ଦା ଆସିରି ନାଇଡୁଙ୍କର କରୋନାରେ ମୃତ୍ୟୁ ହୋଇଛି। ମୃତ୍ୟୁ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ପ୍ରଶାସନ ଉପରକୁ ଆଙ୍ଗୁଳି ଉଠାଇଛନ୍ତି ଆନ୍ଧ୍ରପ୍ରଦେଶ ବାସିନ୍ଦା। ଆସିରି ନାଇଡୁ ବିଜୟୱାଡାରେ ଶ୍ରମିକ ଭାବରେ କାମ କରୁଥିଲେ। କରୋନା ପାଇଁ ଏପ୍ରିଲ ମାସରେ ସେ ଘରକୁ ଫେରିଥିଲେ। ୧୫ ଦିନ ପୂର୍ବେ କରୋନା ଚିହ୍ନଟ ହୋଇ କ୍ୱାରେଣ୍ଟାଇନରେ ରହିଥିଲେ। ସପ୍ତାହେ ପୂର୍ବରୁ ତାଙ୍କ ସ୍ତ୍ରୀ, ପୁଅ ଓ ଝିଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ଗ୍ରାମବାସୀ ସେମାନଙ୍କୁ ଗାଁଠାରୁ ଦୂରରେ ଥିବା ଏକ ଘରେ ରହିବାକୁ ପରାମର୍ଶ ଦେଇଥିଲେ।ଧିରେଧିରେ ଅସିରି ନାଇଡୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଯନ୍ତ୍ରଣାରେ ସେ ତଳେ ପଡ଼ି ଛଟପଟ ହେଉଥିଲେ ମଧ୍ୟ ଗ୍ରାମବାସୀଙ୍କ ବାରଣ ପାଇଁ ତାଙ୍କ ପାଖକୁ ଯାଇପାରୁନଥିଲେ ପରିବାର ଲୋକ। ଦୂରରେ ରହି କାନ୍ଦିବା ଛଡ଼ା, ସେମାନଙ୍କ ପାଖରେ କୌଣସି ରାସ୍ତା ନଥିଲା। ଶେଷରେ ଅସିରିଙ୍କ ଝିଅ, ବାପାଙ୍କ ଦୁଃଖ ସହିନପାରି ତାଙ୍କ ନିକଟକୁ ଯାଇ ପାଣି ପିଆଇଥିଲେ। ପାଣି ପିଇବାପରେ ତାଙ୍କର ମୃତ୍ୟୁ ହୋଇଥିବା ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି। ତେବେ ଏପରି ଏକ ଦୃଦୟବିଦାରକ ଘଟଣା ସର୍ବସମ୍ମୁଖରେ ଘଟିଥିଲେ ସୁଦ୍ଧା ସମସ୍ତେ ସେଠାରେ ଦେଖଣାହାରୀ ପାଲଟିଥିଲେ। ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ଗ୍ରାମବାସୀଙ୍କୁ ଯେତେ ଆକୁଳ ନିବେଦନ କରିଥିଲେ ମଧ୍ୟ କେହି ସାହାଯ୍ୟ କରିନଥିଲେ। ଏବେ ଏହି ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି।

ଅନ୍ୟପଟେ କରୋନା ଦ୍ୱିତୀୟ ଲହର ସଂକ୍ରମଣ ଖୁବ୍ କମ୍ ସମୟରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଆନ୍ଧ୍ରପ୍ରଦେଶରେ ବର୍ତ୍ତମାନର ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କରୋନାର ଦ୍ଵିତୀୟ ଲହରୀ ସଂକ୍ରମଣ ସାଧାରଣ ଜନତାଙ୍କ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଅସହାୟ କରିସାରିଲାଣି। ରୋଗୀମାନଙ୍କ ସଂଖ୍ୟା ଏତେଯେ, ଚିକିତ୍ସା ପାଇଁ ହସ୍ପିଟାଲରେ ବେଡର ଅଭାବ ଦେଖା ଦେଉଛି। ସରକାରୀ ତଥ୍ୟ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ୧ଲକ୍ଷ ୧୪ହଜାର ୨୯୯ ଜଣଙ୍କର କରୋନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୩ହଜାର ୯୨୦ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବାବେଳେ, ୮୩ ଜଣଙ୍କ ମୃତ୍ୟୁ ହୋଇଛି। ଏଯାବତ୍ ଆନ୍ଧ୍ରପ୍ରଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୪୫ହଜାର ୦୨୨ରେ ପହଞ୍ଚିଛି । ସମୁଦାୟ ୯ଲକ୍ଷ ୯୩ହଜାର ୭୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟରେ କରୋନା ଜନିତ ମୃତୁ ସଂଖ୍ୟା ୧୧ହଜାର ୪୧୧ରେ ପହଞ୍ଚିଛି।

Comment