ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେ’୫ ତାରିଖରୁ ସାରାରାଜ୍ୟ ଲକଡାଉନ୍‌ ହେବ। ଲକଡାଉନରେ ସକାଳ ୬ଟାରୁ ୧୨ ଦୋକାନ ଖୋଲା ରହିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଥିଲେ ମଧ୍ୟ ଏବେଠରୁ ମାର୍କେଟରେ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ଆଗୁଆ ପନିପରିବା, ତେଜରାତି କିଣିବା ପାଇଁ ଦୋକାନରେ ଭିଡ଼ ଲଗାଉଛନ୍ତି ଗ୍ରାହକ। ଗ୍ରାହକଙ୍କ ଭିଡ଼ ଦେଖି ଦୋକାନୀ ମଧ୍ୟ ପିନପରିବା ଦର ଆକାଶ ଛୁଆଁ କରି ଦେଇଛନ୍ତି।

କୌଣସି ପରିବାର ଦର ୪୦ ଟଙ୍କା ତଳେ ନାହିଁ। ପୋଟଳ କେଜି ତ ୮୦ ଟଙ୍କା ପାର୍‌ କରିଛି। ଫଳରେ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଅନ୍ୟପଟେ ଶନିବାର, ରବିବାର ଦୁଇ ଦିନ ସଟଡାଉନ୍‌ ରହିଥିବାରୁ ଦୋକାନ, ବଜାର ଖୋଲୁ ଖୋଲୁ ଗ୍ରାହକ ଭିଡ଼ ଲଗାଇଛନ୍ତି।

ରାଜ୍ୟରେ ଏବେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି। ଦିନକୁ ଏବେ ୮ ହଜାରରୁ ଅଧିକ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମେ’୫ରୁ ୧୯ ତାରିଖ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।

ତେବେ ଲକ୍‌ଡାଉନ୍‌ ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ। ସ୍ୱାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

Comment