ଓଡ଼ିଶାଲାଇଭ୍ ବ୍ୟୁରୋ
‘ଏକ ଏକ ଏକପଦୀ’ କବି ବ୍ରଜନାଥ ରଥଙ୍କ ଏକ ସଫଳ ସାହିତ୍ୟ କୃତୀ। ଏଥିରେ ଥିବା ପ୍ରତିଟି କ୍ଷୁଦ୍ର କବିତା ଗୋଟିଏ ଗୋଟିଏ ବଳିଷ୍ଠ ବାର୍ତ୍ତା ଦିଏ। ସୁଖ, ଦୁଃଖ, ଜୀବନ, ମରଣ, ବନ୍ଧୁ, ଶତ୍ରୁ – ମଣିଷର ସବୁ ଅବସ୍ଥା ଓ ଅନୁଭବ ଲାଗି ଗଭୀର ଭାବନା ଜଗାଏ ଏହି ଗୀତି ପାଖୁଡ଼ା।
କବି ବ୍ରଜନାଥଙ୍କ କବିତା ସମଗ୍ର ‘ଏକ ଏକ ଏକପଦୀ’ରୁ ପଦିଏ ଲେଖାଏଁ କବିତା ଉଠାଇ ଗୋଟିଏ ଲେଖାଏଁ ଡିଜିଟାଲ ପୋଷ୍ଟର ପ୍ରସ୍ତତ କରାଯାଇଛି। ପ୍ରତିଦିନ ଓଡ଼ିଶାଲାଇଭ୍ର ଫେସବୁକ୍ ଓ ଟୁଇଟର୍ ମାଧ୍ୟମରେ ଏହାକୁ ପୋଷ୍ଟ କରାଯିବ। ପାଠକମାନଙ୍କୁ ଭଲ ଲାଗିଲେ, ସେମାନେ ନିଜ ଫେସବୁକ୍ ପେଜ୍ରେ ଏହା ସେୟାର କରିପାରିବେ। ସେହିପରି ଟୁଇଟରରେ ଓଡ଼ିଶାଲାଇଭ୍ ହାଣ୍ଡେଲକୁ ଫଲୋ କରି ଏହି ପୋଷ୍ଟକୁ ରିଟୁଇଟ୍ କରିପାରିବେ।
“ଆଜି କୋଭିଡ୍ ମହାମାରୀ ସମୟରେ ମଣିଷ ଜୀବନ କେତେ ମୂଲ୍ୟବାନ ଆମେ ସମସ୍ତେ ଅତି ଗଭୀର ଭାବେ ବୁଝିପାରିଛନ୍ତି। ଏଭଳି ଏକ ଦାରୁଣ ଓ ଆହ୍ଵାନର ସମୟରେ କବି ବ୍ରଜନାଥ ରଥଙ୍କ ଗୋଟିଏ ଗୋଟିଏ ପଂକ୍ତି ପାଠକ ମନରେ ନିଶ୍ଚୟ ଗଭୀର ଆଲୋଡ଼ନ ସୃଷ୍ଟି କରିବା ସହ ଜୀବନର ଅର୍ଥକୁ ଅଧିକ ନିବିଡ଼ କରି ଦେଖାଇବ। ସୋସିଆଲ୍ ମିଡିଆ ଆଜି ସାରା ପୃଥିବୀରେ ମେନ୍ ଷ୍ଟ୍ରିମ୍ ବା ଗଣମାଧ୍ୟମର ମୁଖ୍ୟ ସ୍ରୋତ ପାଲଟିଛି। ତେଣୁ ଓଡ଼ିଶାଲାଇଭ୍ର ସୋସିଆଲ୍ ଚ୍ୟାନେଲଗୁଡ଼ିକ ମାଧ୍ୟମରେ ବୃହତ୍ତର ପାଠକଙ୍କ ନିକଟରେ ବ୍ରଜନାଥଙ୍କୁ ଉପସ୍ଥାପନ କରି ଆମେ ଖୁସି,’’ ଏହି ଅବସରରେ କହିଛନ୍ତି ଓଡ଼ିଶାଲାଇଭ୍ର ପ୍ରତିଷ୍ଠାତା ଓ ସମ୍ପାଦକ ନୀଳାମ୍ବର ରଥ।
‘‘ଆପଣ ଚାହିଁଲେ ଓଡ଼ିଶାଲାଇଭ୍ର ଫେସବୁକ୍ ଓ ଟୁଇଟର ପେଜ୍ରେ କମେଣ୍ଟ ମାଧ୍ୟମରେ ଆପଣ ମନଖୋଲି ଲେଖିପାରିବେ। ଏହିସବୁ କବିତାକୁ ନେଇ ପ୍ରସ୍ତୁତ ଡିଜିଟାଲ ପୋଷ୍ଟରଗୁଡ଼ିକୁ ଡାଉନଲୋଡ୍ କରି ହ୍ଵାଟସଆପ୍ରେ ଅନ୍ୟମାନଙ୍କ ସହ ସେୟାର୍ ମଧ୍ୟ କରିପାରିବେ।
‘‘ବ୍ରଜନାଥ ରଥଙ୍କ ଏହି ଚିର ସବୁଜ ସାହିତ୍ୟ ଆପଣମାନଙ୍କ ମାଧ୍ୟମରେ ଦେଶ ବିଦେଶରେ ନୂଆ ପିଢ଼ିର ପାଠକଙ୍କ ନିକଟରେ ପହଞ୍ଚିପାରିବ’’, କହିଛନ୍ତି ଓଡ଼ିଶାଲାଇଭ୍ର ସମ୍ପାଦକ।
କବି ବ୍ରଜନାଥ ନିଜର ଏହି କବିତା ସମ୍ପର୍କରେ ପୁସ୍ତକର ମୁଖବନ୍ଧରେ ଲେଖିଥିଲେ: ‘‘ଏକ ଏକ ଏକପଦୀ’ ମୋର ଏକ ଭିନ୍ନ ସ୍ଵାଦ ଓ ଭିନ୍ନ ଧାରାର କବିତା ସଂକଳନ, ଯେଉଁଥିରେ ତିନିଶହ ସତୁରିରୁ ଊର୍ଦ୍ଧ୍ଵ କ୍ଷୁଦ୍ର ବା ମିନି କବିତା ଅନ୍ତର୍ଭୁକ୍ତ, ଯାହାକୁ ମୁଁ ‘ଏକପଦୀ’ ନାମରେ ନାମିତ କରିଛି। ଏଗୁଡ଼ିକ ସଂସ୍କୃତ ସାହିତ୍ୟର ଶ୍ଳୋକ, ହିନ୍ଦୀ ସାହିତ୍ୟର ଦୋହା, ପାର୍ସୀ ସାହିତ୍ୟର ରୁବାୟତ୍, ଊର୍ଦ୍ଦୁ ସାହିତ୍ୟର ସାଇରି, ଇଂରାଜୀ ସାହିତ୍ୟର Couplet ବା ଜାପାନୀ ହାଇକୁର ସମପର୍ଯ୍ୟାୟର ବୋଲି ଧରାଯାଇପାରେ। କିନ୍ତୁ ଠିକ୍ ତାହାହିଁ ବୋଲି କୁହାଯାଇ ନପାରେ ବା ସେଭଳି ସଂଜ୍ଞାରେ ଚିହ୍ନିତ ବି କରାଯାଇ ନପାରେ।
“‘ଏକପଦୀ’ କବିତାର ପ୍ରଧାନ ବୈଶିଷ୍ଟ୍ୟ ହେଉଛି, ଭାବସାନ୍ଦ୍ରତା, ଅର୍ଥାତ୍ ଯେଉଁ କଥାକୁ ବହୁପଦ ବିଶିଷ୍ଟ କବିତାରେ କୁହାଯାଇ ପାରନ୍ତା ତାକୁ ମାତ୍ର ଗୋଟିଏ ପଦରେ ବ୍ୟକ୍ତ କରିବା। ଗୋଟିଏ କ୍ଷୁଦ୍ର କ୍ୟାପ୍ସୁଲ ଭିତରେ ସମସ୍ତ ଔଷଧୀୟ ଗୁଣକୁ ଭରିଦେବା, ବା ଗୋଟିଏ ଛୋଟ ସାକାରିନ୍ ଦାନା ଭିତରେ ଏକ ଚାମଚ ଚିନିର ମଧୁରତା ଭରିଦେବା ଯାହା, ଗୋଟିଏ ଚାରି / ଛଅ ପାଦ ବା ପଙ୍କ୍ତି ବିଶିଷ୍ଟ ‘ଏକପଦୀ’ରେ ଏକ ବଡ଼ କବିତାର ବିଷୟ ଓ ଭାବସତ୍ତାକୁ ବନ୍ଦୀ କରିଦେବା ହିଁ ତାହା। ଶିଶିରକଣାରେ ସୂର୍ଯ୍ୟକୁ ବନ୍ଦୀ କରିଦେବା ଭଳି କବିତା ଇଏ। ଖୋଲି ଖୋଲିଗଲେ ଏହା ମେଲିମେଲି ଯାଏ।
“କମ୍ ଶବ୍ଦରେ ଜୀବନର କିଛି ନିଗୂଢ଼ କଥା ଯଦି ମୋ ‘ଏକପଦୀ’ଗୁଡ଼ିକ କହିପାରିଥାଏ, ତାହାଲେ ମୁଁ ନିଶ୍ଚୟ ନିଜକୁ ସୌଭାଗ୍ୟବାନ୍ ମନେ କରିବି।
“ଦୀର୍ଘ ଚଉଠ ଶତାବ୍ଦୀର କାବ୍ୟ-ଫସଲ ହେଉଛି ମୋର ଏହି ଏକପଦୀ ସଂକଳନ, ଯେଉଁଥିଲେ ପ୍ରେମ-ପ୍ରଣୟ, ପ୍ରକୃତି-ସମାଜ, ଜୀବନ-ମୃତ୍ୟୁ ଇତ୍ୟାଦି ବହୁ ବିଚିତ୍ର ଭାବଭାବନାର ଶବ୍ଦରୂପ ପରିଗ୍ରହ କରିଛି। ଅଳ୍ପରେ ଅନେକ କିଛି କହିବାର ଅପେକ୍ଷା ରଖେ ଏହି ଏକପଦୀ କବିତାଗୁଡ଼ିକ।”
ଏହି ଅବସରରେ ଅମର କବି ବ୍ରଜନାଥ ରଥଙ୍କ ପ୍ରତି ଟିମ୍ ଓଡ଼ିଶାଲାଇଭ୍ ଗଭୀର ଶ୍ରଦ୍ଧାଞ୍ଜଳି।