ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଓଡ଼ିଆ ଓ ଓଡ଼ିଶା (୨୩)

ବିଶ୍ଵବ୍ରହ୍ମାଣ୍ଡର ନିୟନ୍ତା ମଣିଷ ଭିତରେ ବିଦ୍ୟମାନ ବୋଲି ଓଡ଼ିଆ ମତ କଥା ଆମେ ଆଗରେ ଆଲୋଚନା କରିଥାଇଁ। ସେ’ ନିୟନ୍ତାର ରୂପ ନାହିଁ କି ବର୍ଣ୍ଣ ନାହିଁ – କିନ୍ତୁ ଭାବ ଅଛି, ଶିକ୍ଷା ଅଛି। ମନୁଷ୍ୟର ଅସ୍ତିତ୍ଵ ମନୁଷ୍ୟର ଆତ୍ମାରେ, ଏବଂ ଏ’ ଆତ୍ମା ଆମର ନିଜର ଶିକ୍ଷକ, ଆମର ଗୁରୁ – ଏ’ ହେଲା ଓଡ଼ିଆ କୃଷକର ଧର୍ମ। ପ୍ରତ୍ୟେକ ମନୁଷ୍ୟ ସ୍ଵାଧୀନ ଏବଂ ପ୍ରତ୍ୟେକ ମନୁଷ୍ୟ ଆପଣାର ସ୍ଵଭାବରେ କର୍ମରତ। ମନୁଷ୍ୟର କ୍ରିୟା, କଳ୍ପ, ଭଲ, ମନ୍ଦ ଆତ୍ମାକୁ ହିଁ ଜଣା। ଅନ୍ୟ କେହି ଆମର ଜୀବନ ପ୍ରଣାଳୀ ନିର୍ଣ୍ଣୟ କରିପାରିବେ ନାହିଁ। ଆମର ଶିକ୍ଷା ପ୍ରକୃତିରୁ, ମାଟିରୁ, ପବନରୁ, ପାଣିରୁ, ଗଛରୁ, ଆକାଶରୁ ଓ ଜୀବଜନ୍ତୁଙ୍କଠାରୁ। ଏ’ ହେଲା ଓଡିଶାର ଅବଧୂତ ଶିକ୍ଷା।

ଯଦିଓ ଜଗନ୍ନାଥ ଧର୍ମ ଓ ବିଗ୍ରହ ଓଡ଼ିଆ ଦର୍ଶନର ନିଦର୍ଶନ ବୋଲି ଆମେ ମାନିଥାଉଁ, ବିଗ୍ରହର ଉଦ୍​ଭୂତି ସଂପର୍କରେ ଆଲୋଚନା କେବଳ କିମ୍ବଦନ୍ତୀ ରେ ରହିଛି। ତେବେ ପ୍ରଥମ ବିଗ୍ରହ ମଣିଷର ମନର ପ୍ରତୀକ ବୋଲି ଅନୁମାନ କରାଯାଇପାରେ। ମନର ଆକାର ନାହିଁ, କିନ୍ତୁ ବିଚାର ଅଛି। ମନ ଦୃଢ ଥିଲେ କାର୍ଯ୍ୟ ସଫଳ ହେବାର ସମ୍ଭାବନା ଅଧିକ। ତେଣୁ କୌଣସି କାର୍ଯ୍ୟରେ ଏକ ଦୃଢ ମନର ପ୍ରତୀକ ଆମ ସହିତ ରହି ଆମକୁ ଇଙ୍ଗିତରେ ନିର୍ଦ୍ଦେଶ ଦେବା କଥା କଳ୍ପନା କରାଯାଇପାରେ। ସବୁ ମନର ସମଷ୍ଟି ନେଇ ଜାତିର ମନ, ତେଣୁ ଏ’ ବିଗ୍ରହ ଜାତିର ମନର ପ୍ରତୀକ ବୋଲି ଗ୍ରହଣ କରାଯାଇପାରେ। ମଣିଷର ଜୟ ଅଳୀକ, ଜାତିର ଜୟ ମୌଳିକ।

ବ୍ରହ୍ମ ଶବ୍ଦ ବେଦାନ୍ତ ଦର୍ଶନର ଶବ୍ଦ। ସମଗ୍ର ବିଶ୍ଵର ଜୀବଜନ୍ତୁ, କୀଟ ପତଙ୍ଗ, ବୃକ୍ଷ ଲତା, ପାଣି ପବନ ଯେ ଗୋଟିଏ ଖିଅରେ ଗଢା, ଏ ହେଲା ବ୍ରହ୍ମ ଦର୍ଶନ। ଏ ଦର୍ଶନ ପୁରୁଣା ବେଦର ନୁହେଁ, ଲୌକିକ ପରମ୍ପରାର ଛାପ ଏ’ ଦର୍ଶନରେ ଅଧିକ। ବିଭିନ୍ନ ବସ୍ତୁର ଉପଯୋଗରେ କୃଷି ଚାଲେ, ଏଥିରେ ସଭିଙ୍କର ସହଯୋଗ ଲୋଡା – ତେଣୁ ଯେ’ କେହି ବା ନିୟନ୍ତା ଅଛି, ସେ ଏହି ପ୍ରାକୃତିକ ବସ୍ତୁମାନଙ୍କରେ ନିହିତ ଅଛି। ଆପଣା ଭିତରେ ନିୟନ୍ତା ହେଲା ଉପନିଷଦର ବ୍ରହ୍ମଜ୍ଞାନ। ବୃହଦାରଣ୍ୟକ ଉପନିଷଦ କହିବା ଅନୁସାରେ ବ୍ରହ୍ମର କଳ୍ପନା ମନୁଷ୍ୟ ପକ୍ଷରେ ଅସ୍ଵାଭାବିକ। ତା’ର ବସ୍ତୁତ୍ଵ ନାହିଁ। ବ୍ରହ୍ମନିରୂପଣ ଆମର ଜ୍ଞାନଶକ୍ତିର ବାହାରେ।

ବୌଦ୍ଧପନ୍ଥୀମାନଙ୍କର “ଶୂନ୍ୟ” ଜ୍ଞାନ ଆମରି ଦେଶର ଅବଧୂତ ମାନଙ୍କଠାରୁ ପ୍ରସୂତ ବୋଲି ଗବେଷକମାନଙ୍କର ମତ। ମନୁଷ୍ୟର କର୍ମ ଅଛି, ଏବଂ ମନୁଷ୍ୟର ଜୀବନ କାଳଚକ୍ରରେ ଗତି କରେ। କେତେବେଳେ ସୁଖ ବା କେତେବେଳେ ଦୁଃଖ ସଂସାରରେ ଲାଗି ରହିଥାଏ। କେବଳ ସଦ୍​ବୃତ୍ତି ଓ ସଦ୍​ଭାବନାରୁ ମନୁଷ୍ୟ କର୍ମସଂସାରରୁ ନିଷ୍କୃତି ପାଇପାରେ। ଏ’ ନିଷ୍କୃତିକୁ “ନିର୍ବାଣ” କୁହାଯାଏ। “ନିର୍ବାଣ”ରେ ବସ୍ତୁତ୍ଵ ନାହିଁ, ଏହା “ଶୂନ୍ୟ”।

ଆଗରୁ ଆମେ ଶୂନ୍ୟବ୍ରହ୍ମ କଥା ଆଲୋଚନା କରିଥାଇଁ। କବି ଅଚ୍ୟୁତାନନ୍ଦ ଦାସ ଷୋଡଶ ଶତାବ୍ଦୀରେ ଶ୍ରୀ ଜଗନ୍ନାଥ ବିଗ୍ରହକୁ ଆଖିରେ ରଖି “ଅଣାକାର ବ୍ରହ୍ମ” ସଂଜ୍ଞାରେ ସଂହିତା ଲେଖିଛନ୍ତି। ଅଚ୍ୟୁତଙ୍କ ଦର୍ଶନରେ ସଂସାରର ସବୁ ବସ୍ତୁର ସଂଜ୍ଞା ସେମାନଙ୍କର “ନାମ”। “ନାମ” ହିଁ ବସ୍ତୁର ପ୍ରାଥମିକ ବୀଜ। ସେହିପରି ବ୍ରହ୍ମ ଆଉ ଗୋଟିଏ ନାମ। ବ୍ରହ୍ମ ରୁ ଅନ୍ୟ ନାମ ମାନ ସୃଷ୍ଟି ଏବଂ ଏ’ ସମସ୍ତ ନାମରୁ ନାନାଦି ବସ୍ତୁର ସୃଷ୍ଟି। କିନ୍ତୁ ବିଶ୍ଵର ସୃଷ୍ଟି “ନାମ”ର ଆଗରୁ। ତେଣୁ ଏହା “ଅନାମ”। ଅନାମ ହୋଇଥିଲା ଫଲରେ ଏହା “ଅଣାକାର”। ଏ “ଅଣାକାର” ହେଲେ ଶ୍ରୀଜଗନ୍ନାଥ। “ଅଣାକାର” ଅର୍ଥ ହେଲା ଯାହାର ଆକାର ନିର୍ଣ୍ଣୟ କରିହେବ ନାହିଁ।

“ଶୂନ୍ୟ” ଯେପରି ଗାଣିତିକ ଶବ୍ଦ, “ଅଣାକାର” ସେହିପରି ଅନ୍ୟ ଏକ ଗାଣିତିକ ଶବ୍ଦ। “ଅଣାକାର” କୁ ପ୍ରତ୍ୟୟ କରିହେବ, କିନ୍ତୁ ଏହା ବେଦର ନିରାକାର ନୁହେଁ। ଆକାର ନାହିଁ କୁହା ନ ଯାଇ ଆକାର କଳନାତୀତ। “ଅଣାକାର” ଭାବରେ ସେ ଶ୍ରୀ ଜଗନ୍ନାଥ ବ୍ରହ୍ମ, ଏବଂ ବୈଦିକ ସମ୍ମତି ନେଇ ସେ “ଅଣାକାର ବ୍ରହ୍ମ”। କିନ୍ତୁ “ଅଣାକାର ବ୍ରହ୍ମ” ଜୀବନ୍ତ, ବେଦର ନିରାକାର ବ୍ରହ୍ମ ପରି ସେ ନପୁଂସକ ନୁହେଁ। ତା’ର ରସ ଅଛି, ସେ’ ଶ୍ରୀଜଗନ୍ନାଥ। ଭାରତବର୍ଷର ଅନ୍ୟାନ୍ୟ ଅଞ୍ଚଳରେ ବ୍ରହ୍ମରୁ ପ୍ରସୂତ ଅବତାର ପୂଜା ପା’ନ୍ତି, ସେମାନଙ୍କୁ ସଗୁଣ ବ୍ରହ୍ମ ବୋଲି କୁହାଯାଏ। ଶ୍ରୀ ଜଗନ୍ନାଥ ହେଲେ “ନିର୍ଗୁଣ” ଓ “ଅଣାକାର ବ୍ରହ୍ମ”। ଶ୍ରୀ ଜଗନ୍ନାଥଙ୍କର ରସ ହେଉଛି ଆନନ୍ଦ !

ଅଣାକାର ବ୍ରହ୍ମ ହେଲେ ଶ୍ରୀ ପୁରୁଷୋତ୍ତମ। ଏଥିରୁ ମନର ସୃଷ୍ଟି। ମନକୁ ଚାରି କଳାରେ ଅନୁଶୀଳନ କରିବା ଓଡ଼ିଆ କବି ଶ୍ରୀ ବଳରାମ ଦାସଙ୍କର କୃତି। ଅଣାକାର ବ୍ରହ୍ମର ବିଶ୍ଵ ପ୍ରତୀକ ହେଲା ଜ୍ଵାଳା – ଅଗ୍ନି, ଯେ’ କି ସବୁ ବିଷମତାକୁ ଧ୍ଵଂସ କରେ। ଏ’ ଜ୍ଵାଳା ହେଲେ ଶ୍ରୀ ସୁଦର୍ଶନ। ଅଗ୍ନି ରୂପରେ ସେ ଜ୍ଵଳନ୍ତ ଏବଂ ଭୀଷଣ। ମଣିଷର ଅନ୍ତରର ବଳ ହେଲା ସେ ଶକ୍ତି। ଆପଣାର ଓଜ ବଳରୁ ମଣିଷ କୌଶଳୀ ଓ ସଶକ୍ତ। ସାଙ୍ଖ୍ୟର ସତ୍ତ୍ଵ, ରଜ ଓ ତମ ଗୁଣ ସହିତ ମନୋବଳ ଭାବରେ ଏହି ଓଜଗୁଣ ଚତୁର୍ଥ। ଏ’ ମନୋବଳ ପ୍ରଚ୍ଛନ୍ନ, କେବଳ ସାଧନା ବଳରେ ପ୍ରକାଶିତ ହୁଏ। ଏହା ଓଡିଶାର ଯୋଗସାଧନା। ଓଜବଳ ଶାନ୍ତି ଭାବରେ ମଣିଷ ଭିତରେ ଲୁକ୍କାୟିତ!

ଓଡ଼ିଆ ଦାର୍ଶନିକଙ୍କ ମତରେ ମାଟି, ପାଣି, ପବନ, ନିଆଁ ଓ ଆକାଶ ପରି ବ୍ରହ୍ମ ଅଣାକାର। ଏହାର ରୂପ ନାହିଁ କି ଚିହ୍ନ ନାହିଁ, କିନ୍ତୁ ଏହା ଜୀବନ୍ତ। ମନ ଏଥିରୁ ଉଦ୍​ଭୂତ। ମନର ସତ୍ତ୍ଵ ଗୁଣର ପ୍ରତୀକ ମନ୍ଦିରର ଶ୍ରୀ ଜଗନ୍ନାଥ ପ୍ରତିମା, ମନର ରଜ ଗୁଣର ପ୍ରତୀକ ହେଲେ ଶ୍ରୀ ବଳଭଦ୍ର ପ୍ରତିମା, ଏବଂ ମନର ତମ ଗୁଣର ପ୍ରତୀକ ହେଲେ ଶ୍ରୀ ସୁଭଦ୍ରା ପ୍ରତିମା। ମନର ଶାନ୍ତି ଭାବର ପ୍ରତୀକ ହେଲେ ଶ୍ରୀ ସୁଦର୍ଶନ। କବି ବଳରାମ ଦାସଙ୍କର “ବ୍ରହ୍ମ ସଂହିତା” ପୁସ୍ତକ ଏ’ ସମ୍ପର୍କରେ ଆମର ପାଥେୟ।

Comment