ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

 ଓଡ଼ିଆ ଓ ଓଡ଼ିଶା (୨୨)

ଚତୁର୍ଦ୍ଧା ମୁର୍ତ୍ତିର ରହସ୍ୟ ବୁଝିଲା ଆଗରୁ ଆମକୁ ସାଙ୍ଖ୍ୟତତ୍ତ୍ଵ ଆଉ ଟିକିଏ ବୁଝିବା ଆବଶ୍ୟକ। ଏ’ ତତ୍ତ୍ଵ କପିଳ ବୋଲି ଜଣେ ଋଷିଙ୍କ ଦ୍ଵାରା ପ୍ରଣୀତ ହୋଇଥିଲା ବୋଲି ଶାସ୍ତ୍ର ପ୍ରମାଣ ଅଛି। ରାମାୟଣରେ କବି ବାଲ୍ମୀକି କପିଳ ବୋଲି ଜଣେ ଋଷି ଭାରତ ଭୂଖଣ୍ଡର ପୂର୍ବଭାଗରେ ସମୁଦ୍ର ପାଖରେ ଆଶ୍ରମ କରିଥିଲେ ବୋଲି କିମ୍ବଦନ୍ତୀ ଥିବାର ବର୍ଣ୍ଣନା କରିଛନ୍ତି। ସଗର ରାଜାର ପୁଅମାନେ ସେମାନଙ୍କର ଘୋଡା ଖୋଜି ଖୋଜି ପୃଥିବୀ ଖୋଳିକରି କପିଳ ଋଷିଙ୍କର ଆଶ୍ରମରେ ପହଞ୍ଚିଥିଲେ। କପିଳ ଋଷି ସେମାନଙ୍କୁ ଖାଲି ଦୃଷ୍ଟି ପକାଇ ଭସ୍ମ କରିଦେଇଥିଲେ। ବହୁକାଳପରେ ରାଜା ଭଗୀରଥ ଗଙ୍ଗାଙ୍କୁ ହିମାଳୟରୁ ଆଣି ଆପଣା ଭାଇମାନଙ୍କୁ କପିଳଙ୍କର ଆଶ୍ରମରୁ ଉଦ୍ଧାର କରିଥିଲେ। ଏ’ ହେଲା କପିଳଋଷିଙ୍କର ତାନ୍ତ୍ରିକ ମହିମା !  ଭାରତବର୍ଷର ଅନ୍ୟ ଅଞ୍ଚଳ ତୁଳନାରେ “କପିଳ” ଶବ୍ଦର ପ୍ରଚଳନ ଓଡିଶାରେ ଅଧିକ। କପିଳାସ ପର୍ବତ ଏବେ ମଧ୍ୟ ଅଛି ଏବଂ ସେଠାରେ ଅନେକ ଆଶ୍ରମର ସମାହାର ଅଛିା

ଋଷିକପିଳ ଶ୍ରୀମଦ୍ ଭାଗବତରେ ସୃଷ୍ଟିର ପ୍ରଥମ ପଣ୍ଡିତ ହିସାବରେ ଗଣା ହୁଅନ୍ତି। ବୈଦିକ ଧର୍ମକୁ ମାନବବାଦୀ କରାଇବା ହେଉଛି ଋଷି କପିଳଙ୍କର ଭାରତୀୟ ସଂସ୍କୃତିକୁ ଅବଦାନ। ଆଗ ପ୍ରବନ୍ଧମାନଙ୍କରେ ଏ’ ମାନବବାଦୀ ଧର୍ମର କିଛି ଆଲୋଚନା କରିଥାଇଁ। ଏହାର ମୂଳତତ୍ତ୍ଵ ହେଲା – ମନୁଷ୍ୟର ପାପ ଓ ପୁଣ୍ୟର ହିସାବ କୌଣସି ଦେବତା ହାତରେ ନାହିଁ, ମନୁଷ୍ୟ ପାଖରେ ହିଁ ଅଛି। ମନୁଷ୍ୟର କର୍ମ ତା’ର ପ୍ରକୃତି ସହିତ ଜଡିତ। ଏହି ପ୍ରକୃତି ହେଲା ସାଙ୍ଖ୍ୟତତ୍ତ୍ଵର ମୂଳଭିତ୍ତି। ସାଙ୍ଖ୍ୟତତ୍ତ୍ଵର ଉତ୍ପତ୍ତି ଋଷିକପିଳଙ୍କଠାରୁ ବୋଲି ଆଗରୁ କହିଥାଇଁ।

ଏ’ ତତ୍ତ୍ଵର ବ୍ୟାଖ୍ୟା ଅନୁସାରେ ମନୁଷ୍ୟର ଜୀବନର ଆଦିମୂଳ ହେଲା ଇଛାଶକ୍ତି – ସୃଷ୍ଟିର ପ୍ରଥମ ଉତ୍ସ। ଇଛାଶକ୍ତିର କେବଳ ଇଛା ଅଛି, କାର୍ଯ୍ୟ ନାହିଁ। କାର୍ଯ୍ୟ ଲାଗି ତା’କୁ ଶରୀର ଲୋଡା, ଏ’ ଶରୀର ପ୍ରକୃତିର ଅଧୀନରେ। ଆଖିର ଦୃଷ୍ଟି ଶକ୍ତି ଇଛାଶକ୍ତି ଅଧୀନରେ, କିନ୍ତୁ ଆଖିର ଦୃଶ୍ୟ ପ୍ରକୃତି ଅଧୀନରେ। ଦୃଷ୍ଟିଶକ୍ତି ଆପଣାଛାଏଁ ଦେଖିପାରିବ ନାହିଁ- ତାକୁ ପ୍ରକୃତି ଦେଖାଇବ। ପ୍ରକୃତି କଣ ଦେଖାଇବ ତା’ ପ୍ରକୃତି ଉପରେ ନିର୍ଭର କରେ।

ଦୃଶ୍ୟର ବସ୍ତୁ ନିର୍ଦ୍ଦିଷ୍ଟ, ସେପରି ଦୃଷ୍ଟିଶକ୍ତି ମଧ୍ୟ ନିର୍ଦ୍ଦିଷ୍ଟ। ମନୁଷ୍ୟର ପ୍ରକୃତି ଦୃଷ୍ଟିର ଭାବ ନିୟନ୍ତ୍ରଣ କରେ| ସାଙ୍ଖ୍ୟ ମତରେ ଏ’ ଭାବ ତିନି ପ୍ରକାରର – ସାତ୍ତ୍ଵିକ ଭାବ, ରାଜସିକ ଭାବ ଓ ତାମସିକ ଭାବ। ଏହାକୁ ସାଙ୍ଖ୍ୟ ପ୍ରକୃତିର ତିନୋଟି ଗୁଣ ବୋଲି କହେ – ସତ୍ତ୍ଵ, ରଜ ଓ ତମ। ଆମେ ବସ୍ତୁର ସ୍ଵାଧୀନତାକୁ ସ୍ଵୀକାର କରିବା ଆମର ସତ୍ତ୍ଵଗୁଣ, ବସ୍ତୁକୁ ତୁଚ୍ଛ ମନେ କରି ତାକୁ ଆବୋରିବାକୁ ଉଦ୍ୟମ କରିବା ଆମର ରଜ ଗୁଣ ଏବଂ ବସ୍ତୁର ବସ୍ତୁତ୍ଵକୁ ଉପେକ୍ଷା କରିବା ଆମର ତମ ଗୁଣ। ମଣିଷର ପ୍ରକୃତିର ଏ’ ହେଲା ତିନୋଟି ଦିଗ। ପ୍ରତ୍ୟେକ ମନୁଷ୍ୟର ବ୍ୟକ୍ତିତ୍ତ୍ଵ ଏ’ ତିନିଗୁଣର ମିଶ୍ରଣରେ ଗଠିତ ବୋଲି ସାଙ୍ଖ୍ୟଋଷିଙ୍କର ମତ।

ତେବେ ଏ’ ଗୁଣ ରହୁଛି କେଉଁଠି ? ଏହା ହେଉଛି କପିଳଋଷିଙ୍କର ଶାସ୍ତ୍ରକୁ ଅବଦାନ। ଏ’ ଗୁଣ ରହିଛି ମଣିଷର ମନରେ। ମଣିଷର ରକ୍ତ ମାଂସ ଅସ୍ଥିରେ ପ୍ରଭେଦ ନାହିଁ, ଖାଲି ମନରେ ପ୍ରଭେଦ ଅଛି। କେଉଁ ମନ ପରୋପକାରୀ, କେଉଁ ମନ ହିଂସ୍ର, ଆଉ କେଉଁ ମନ ନୀରବ। ସବୁ ମଣିଷ ପ୍ରଧାନତଃ ଏହି ତିନିଭାଗରେ ବିଭକ୍ତ। ଏ’ ହେଲା ମନୁଷ୍ୟର ମନର ଗୁଣ। ମନର ଶରୀର ଉପରେ ପ୍ରଭାବ, ଶରୀରର କାର୍ଯ୍ୟ ଆମର ଇନ୍ଦ୍ରିୟ କରିଥାଏ। କିନ୍ତୁ କାର୍ଯ୍ୟ ଉପରେ ମନର ପ୍ରଭାବ ଥିଲା ଫଳରେ ଆମର କାର୍ଯ୍ୟରେ ଆମର ଗୁଣ ପ୍ରକାଶ ପାଏ। ଗୋଡରେ ଆମେ କିଛି ଦଳିଦେଲୁ – ଗୋଡ ଦଳିଲାନାହିଁ , ମନ ଗୋଡକୁ ଆଦେଶ ଦେଲା ଦଳିବାପାଇଁ। ଇଚ୍ଛାଶକ୍ତି ଦଳିବା କାର୍ଯ୍ୟରେ ସାମିଲ୍ ହେଲା। ମନ ଇଚ୍ଛାଶକ୍ତିକୁ ପ୍ରଥମେ ପ୍ରଭାବିତ କଲା। ଏ ହେଲା ମାନବବାଦୀ ସାଙ୍ଖ୍ୟତତ୍ତ୍ଵ।

ଯେହେତୁ ଇଛାଶକ୍ତି ଜୀବନର ପ୍ରଥମ ପାହାଚ, ତା’କୁ ପୁରୁଷ ବୋଲି କୁହାଗଲା। ଅର୍ଥ ହେଲା ଯିଏ ଆଗେ ଆସିଛି। ଗୁଣ ପ୍ରକରଣରେ ପୁରୁଷର ଭାବ ଅସଂଖ୍ୟ| ଅନ୍ୟପକ୍ଷରେ ପ୍ରତ୍ୟେକ ପୁରୁଷର ପ୍ରକୃତି ଅପରଠାରୁ ଅଲଗା। ପ୍ରତ୍ୟେକ ପୁରୁଷ ସ୍ୱାଧୀନ। ସବୁ ପୁରୁଷ ସୃଷ୍ଟିର ନିଧାନ। ପ୍ରତ୍ୟେକ ପୁରୁଷର ସୃଷ୍ଟି ଓ ବିଲୟ ତାର ନିଜ କର୍ମ ପ୍ରକ୍ରିୟା ସହ ସଂପୃକ୍ତ।

ଏ’ ସଂପୂର୍ଣ୍ଣ ସ୍ଵାଧୀନତାରେ କର୍ମନିର୍ବାହ କରିବା ଲାଗି ପ୍ରତ୍ୟେକ ପୁରୁଷ ତାର ନିଜ ଇନ୍ଦ୍ରିୟମାନଙ୍କୁ ଆପଣା ଶକ୍ତି ମୁତାବିକ କାମକୁ ଆଣିପାରେ। ଇନ୍ଦ୍ରିୟମାନଙ୍କର ଗୁଣ ପୁରୁଷ ସହ ସୃଷ୍ଟି। ତେଣୁ ପ୍ରତ୍ୟେକ ପୁରୁଷର କର୍ମ ଅଲଗା। ସବୁ ପୁରୁଷର ଉତ୍ପତ୍ତି କୌଣସି ଆଦିପୁରୁଷ ସହ ଯୋଡା। ତେବେ ଆଦିପୁରୁଷ କାହିଁକି କାହାକୁ ଭିନ୍ନ ଗୁଣ ଦେଇଛି, ତାର ସମାଧାନ ନାହିଁ। ସୃଷ୍ଟିରେ ପ୍ରାଣୀ ସୃଷ୍ଟି କରିବା ଆଦିପୁରୁଷର ଇଚ୍ଛା।

ଏହି ପ୍ରକାରର ଚିନ୍ତାଧାରରେ ଏ’ ତିନିଗୁଣ ବାଦେ ଆଉ ଗୋଟିଏ ଚତୁର୍ଥ ଗୁଣର ସ୍ଥାନ ଅଛି ବୋଲି ଦାର୍ଶନିକମାନଙ୍କର ମତ ହେଲା। ଏହାକୁ ସମଭାବ ବୋଲି କୁହାଗଲା| ସତ୍ତ୍ଵ, ରଜ, ତମ ସହ ଶଂ ଆଉ ଗୋଟିଏ ଗୁଣ ହେଲା। ଶଂ ହେଉଛି ଶାନ୍ତିଭାବ। ପରୋପକାରର ସତ୍ତ୍ଵ, ଜୀବନ ପରିଚାଳନାର ରଜ ଏବଂ ଜୀବନଧାରଣର ତମର ସମପରିମାଣ ସମାବେଶ ହେଲା ଶଂ – ଏଥିରେ ମଣିଷର ସନ୍ତୋଷ ଅଛି। ମନୁଷ୍ୟ ସଂସାରକୁ ସମଦୃଷ୍ଟିରେ ଦେଖୁଛି। ମନୁଷ୍ୟ ଆତୁର ହେଉନାହିଁ, କି କାତର ହେଉନାହିଁ। ଆପଣା ପରିବେଶରେ ଶାନ୍ତ ଅଛି, ଆପଣା ପୁରୁଷତ୍ଵକୁ ଚିନ୍ହିଛି ଏବଂ ନିୟନ୍ତ୍ରଣ କରୁଛି।

ସତ୍ତ୍ଵ, ରଜ, ତମ ଓ ଶାନ୍ତି ହେଲା ଆମ ଓଡିଆ ଚତୁର୍ଦ୍ଧା ମୂର୍ତ୍ତିର ଖିଅ। ଏମାନଙ୍କର ସମାବେଶକୁ “ପୁରୁଷୋତ୍ତମ” ବୋଲି କୁହାଗଲା।

Comment