ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଡ଼ିଆ  ଡ଼ିଶା (୩୬)

ଯଦିଓ ମଣିଷର ଭାବ ସହ ଧ୍ଵନିର ସଂପର୍କ ଅଛି ବୋଲି ଆମେ ଜାଣୁ, ଭାବରୁ ଧ୍ଵନିର ଉତ୍ପତ୍ତି ସଂପର୍କୀୟ ସମ୍ୟକ୍ ଗବେଷଣା ଏ ପର୍ଯ୍ୟନ୍ତ ହୋଇନାହିଁ। ଇଂରାଜୀ ଭାଷାରେ ଧ୍ଵନି ହେଲା ଶବ୍ଦ, ଏବଂ ଶବ୍ଦକୁ ବ୍ୟବହାର କରାଯାଏ ବୋଲି ଧର୍ମ ଓ ଦର୍ଶନର ମତ। ଭାରତୀୟ ଅନୁଶୀଳନରେ ଶବ୍ଦ ଗୋଟିଏ ବସ୍ତୁ ନୁହେଁ, ଏହା ହେଲା ଗୋଟିଏ ଭାବ। ପାଶ୍ଚାତ୍ୟ ଧାରଣାରେ ବସ୍ତୁର ବ୍ୟବହାରରେ ଭାବ ଉତ୍ପନ୍ନ ହୁଏ। ଭାରତୀୟ ଦର୍ଶନରେ ଭାବ ଚିରନ୍ତନ, ଭାବରୁ ବସ୍ତୁର ଉତ୍ପତ୍ତି।

ବହିଯିବା, ଧୋଇଦେବା ବା ଦ୍ରବୀଭୂତ କରିବା ହେଲା “ପାଣି”ର ଭାବ। “ପାଣି” ହେଲା ଗୋଟିଏ ସୃଷ୍ଟି, “ପାଣି”ର ସୃଷ୍ଟି ହେଉଛି ଏହି ଭାବମାନଙ୍କର ସମଷ୍ଟି। ତେଣୁ ଆମେ ଯଦି କହୁ – “ତା’ଙ୍କ ଚରିତ୍ର ପାଣି ପରି” – ଆମେ ଅର୍ଥ କରୁ ଯେ’ – ସେ’ କଥାରେ ଲୋକଙ୍କୁ ବହେଇ ନେଇ ପାରନ୍ତି, ଲୋକଙ୍କର ଅବୁଝା କଥାକୁ ବୁଝେଇ ଦେଇ ପାରନ୍ତି,  ଅଥବା ଲୋକଙ୍କର ମନର କଷ୍ଟ ଦୂର କରି ଦେଇପାରନ୍ତି। ଏହି ପରି ଭାବରେ ଆମେ ବସ୍ତୁର ଭାବକୁ ନେଇ ସାହିତ୍ୟ ସୃଷ୍ଟି କରିଥାଉ।

ପ୍ରତ୍ୟେକ ବସ୍ତୁର କିଛି ସାମାଜିକ ଅର୍ଥ ଅଛି, ଏବଂ ତା’ ବାଦେ ତା’ର ତାତ୍ତ୍ଵିକ ମର୍ମ ଅଛି। “ଅର୍ଥ” ହେଲା ଯାହାକୁ ଆମେ ଦେଖିପାରିବା ବା ଅନୁଭବ କରିପାରିବା। “ମର୍ମ” ହେଲା ଯାହା ଆମେ କଳ୍ପନା କରିପାରିବା। କଳ୍ପନା ମସ୍ତିଷ୍କ ଭିତରେ – ତା’ର ପ୍ରଶସ୍ତି ଅନୁଭବଠାରୁ ବ୍ୟାପକ। କଳ୍ପନାର ଅନ୍ୟ ନାଁ ହେଲା “ଧାରଣା”।  “ମର୍ମ” ହେଲା ଆମର “ଧାରଣା”। ବସ୍ତୁର ଆକୃତି ପ୍ରକୃତି ସମସ୍ତଙ୍କ ପାଇଁ ସମାନ, କିନ୍ତୁ ବସ୍ତୁ “ଧାରଣା” ବିଭିନ୍ନ ଲୋକଙ୍କଠାରେ ଅଲଗା।  ସେହି “ଧାରଣା” ଭିତରେ ବସ୍ତୁର “ସତ୍ତା” ଅଛି। “ସତ୍ତା” ହେଉଛି ଆଗ ପରି “ପାଣି” ଶବ୍ଦର ମସ୍ତିଷ୍କ ଭିତରେ ମାର୍ଜନା।  ଏ’ ମାର୍ଜନା ଇନ୍ଦ୍ରିୟଗତ ନୁହେଁ, ଏହା ମସ୍ତିଷ୍କଗତ। ମସ୍ତିଷ୍କ ଜରିଆରେ ଆମେ “ପାଣି”ର “ସତ୍ତା” ନିରୂପଣ କରିଥାଉ।

“ସତ୍ତା” ଶବ୍ଦ ବହୁତ ପୁରୁଣା – ବୈଦିକ ଆଗରୁ ବି ହୋଇପାରେ। “ସତ୍ତା”ର ଅନ୍ୟ ନାଁ ହେଲା ଅସ୍ତିତ୍ଵ। ଆମେ ସୂର୍ଯ୍ୟକୁ ଦେଖୁଥାଉ, କିନ୍ତୁ ସୂର୍ଯ୍ୟର ଅସ୍ତିତ୍ଵ କ’ଣ, ତାକୁ ଆଲୁଅ କିଏ ଦେଲା, ସୂର୍ଯ୍ୟ କେଉଁଠି ଅଛି, କେଉଁଠୁ ଆସୁଛି, ଆଉ କୁଆଡେ ଯାଉଛି – ସେ’ ସବୁ ସୂର୍ଯ୍ୟର ଅସ୍ତିତ୍ଵ ସହ ଯୋଡ଼ା। ଅସ୍ତିତ୍ଵ ହେଲା କାରଣ ନିର୍ଦ୍ଧାରଣ କରିବା, ବିଭିନ୍ନ ଘଟଣାକୁ ଯୋଖିବା, ଏବଂ ମନ ଭିତରେ ବିଶ୍ଲେଷଣ କରିବା। ଏହି ବିଶ୍ଳେଷଣରୁ ଜ୍ଞାନର ଉତ୍ପତ୍ତି। ସୂର୍ଯ୍ୟ ହିଁ ଜାଣେ ତା’ର ନିଜର ଅସ୍ତିତ୍ଵ, ତେଣୁ ସୂର୍ଯ୍ୟ କଥା ଜାଣିବାକୁ ହେଲେ ଆମକୁ ସୂର୍ଯ୍ୟର ଜ୍ଞାନବଳୟରେ ପହଞ୍ଚିବାକୁ ହେବ।  ଏହା ସବୁବେଳେ ସହଜ ନୁହେଁ, ଅନେକ କଥା ଆମ ଭିତରେ ଅବୁଝା ରହେ। ସଂପୂର୍ଣ୍ଣ ଜ୍ଞାନ ଆହରଣ ଲାଗି ଆମର ସମୟର ଅଭାବ ହୁଏ। ସଂସାର କଥାରେ ଆମକୁ ଆଗେଇବାକୁ ହୁଏ।

ସଂପୂର୍ଣ୍ଣ ଜ୍ଞାନ ନ ହେଲା ଫଳରେ ଆମକୁ ଅର୍ଥରେ ହିଁ ରହିବାକୁ ହୁଏ। ଅର୍ଥ ହେଲା ଅନ୍ୟମାନଙ୍କଠାରୁ ବୁଝିବାର ସାମାଜିକ ପ୍ରଣାଳୀ। ସବୁ ଅର୍ଥ ଉପରଠାଉରିଆ। ଆମର ବୁଝିବାକୁ ଇଚ୍ଛା ଥାଏ, କିନ୍ତୁ ଜାଣିବାର ଇଚ୍ଛା ନ ଥାଏ। ବୁଝିବା ଓ ଜାଣିବା ମସ୍ତିଷ୍କର ଦୁଇଟି ଅଲଗା ଅଲଗା ଅଞ୍ଚଳରେ କାମ କରେ। ଯାହା ଆମେ ବୁଝିଥାଉ, ତାହା କିଛି ଦିନ ପରେ ଭୁଲି ଯାଇପାରୁ। କିନ୍ତୁ ଯାହା ଆମେ ଜାଣିଥାଉ, ତା’ ଆମ ଭିତରେ ସାଇତା ହୋଇ ରହେ। ବୁଝିବାଟା କାମଚଳା, ଏଥିରେ ଆତ୍ମୀୟତା ନାହିଁ। ଜାଣିବା ଆମର ଜୀବନ ସହ ଜଡିତ। ବୁଝିବାଟା ଜୀବିକା ପାଇଁ, ଜାଣିବା ଆମର ଆତ୍ମରକ୍ଷା ପାଇଁ। କିଛି କଥା ଆମେ ନିର୍ବିଶେଷରେ ଜାଣୁ, ଆଉ କିଛି ଆମେ ଅଭ୍ୟାସ କରି ଶିଖୁ। କେବେ କେବେ ଶିକ୍ଷାରୁ ବି ଜ୍ଞାନ ମିଳିଥାଏ। କିନ୍ତୁ ସାଧାରଣତଃ ଜ୍ଞାନ ଆତ୍ମଗତ।  ଭାଗବତ କହେ “ଆତ୍ମା ତୋହର ନିଜ ଗୁରୁ!”

ତା’ ହେଲେ ଶବ୍ଦ କ’ଣ?  ଶବ୍ଦ ହେଲା ଗୋଟିଏ ଧ୍ଵନି, ଯାହା ଆମେ ଶୁଣିପାରୁ। ବସ୍ତୁକୁ ଦେଖିବାକୁ ହେଲେ, ଆମକୁ ବସ୍ତୁ ସହ ଦୃଷ୍ଟି ସଂଯୋଗ କରିବାକୁ ହେବ, କିନ୍ତୁ ଶବ୍ଦରେ ସେ କଟକଣା ନାହିଁ। ଶବ୍ଦକୁ ଶୁଣି ଆମେ ଦିଗ ବାରିପାରୁ, ଅଦୃଶ୍ୟ ଘଟଣାକୁ ମନ ଭିତରେ ଚିତ୍ରଣ କରିପାରୁ। ଶବ୍ଦ ଆମ ଭିତରେ ଲାଖି ରହେ, ସାମାନ୍ୟ ସ୍ଵର ସମସ୍ତ ସ୍ମୃତିକୁ ଜାଗ୍ରତ କରେ। ଅଲକ୍ଷ୍ୟରେ ଆମେ ନିୟତିର ନିର୍ଦ୍ଦେଶ ଶୁଣିଥାଉ। ଶବ୍ଦ ହେଲା ଆମ ଭିତରେ “ଜ୍ଞାନପ୍ରତ୍ୟୟ” ର ସୂତ୍ର। ଏହାର ବାହ୍ୟ ଅର୍ଥ ନାହିଁ। ଶବ୍ଦ ହିଁ ତା’ର ନିଜର ରୂପ, ଏବଂ ଶବ୍ଦ ହିଁ ତା’ର ନିଜର ଆତ୍ମଜ୍ଞାନ।

ଶବ୍ଦରୁ ପ୍ରତ୍ୟୟ ଆଣିବା ମଣିଷର ଆଧ୍ୟାତ୍ମିକ ଶକ୍ତି। ବିଶ୍ଵର ପ୍ରକାଶ ହେଲା ଶବ୍ଦ, ତେଣୁ ମଣିଷ ସାଙ୍ଗରେ ବିଶ୍ଵର ସଂପର୍କ ହେଲା ଶବ୍ଦ। ଏହାକୁ ଆମେ ବିବେକ ଜରିଆରେ ବୁଝୁ। ଅନ୍ୟ ଆଡ଼େ ବ୍ୟାକରଣ ତିଆରି କରି ଭାଷା ସୃଷ୍ଟି କରୁ। ଶବ୍ଦକୁ ଆମେ ବସ୍ତୁ ବୋଲି ଭାବୁ। ଆମେ ଆଗରେ ଭାଷା ଓ ବ୍ୟାକରଣ ଆଲୋଚନା କରିବା।

Comment