ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଓଡ଼ିଆ ଓ ଓଡ଼ିଶା (୩୩ )

ମଣିଷର ଭାବର ଦ୍ୟୋତକ ହେଲା ବ୍ୟଞ୍ଜନ। ସ୍ଵରରେ ମୂର୍ଚ୍ଛନା ଥାଏ, ଆଉ ବ୍ୟଞ୍ଜନରେ ଭାବ। କରୁଣ ବା ଶୃଙ୍ଗାରର ମୂର୍ଚ୍ଛନା ଏକାପରି ହୋଇପାରେ, କିନ୍ତୁ ଭାବ ଅଲଗା। ଭାବ ଶରୀରରେ, ଆଉ ମୂର୍ଚ୍ଛନା କଣ୍ଠରେ। ଭାବ ଯୋଗୁଁ ଆମର ଶରୀରର ରକ୍ତସଞ୍ଚାଳନ ଉପରେ ଚାପ ସୃଷ୍ଟି ହୋଇଥାଏ ଏବଂ ତାହା ଆମର ସ୍ଵର ଉପରେ ପ୍ରଭାବ ପକାଏ। ସ୍ଵରକୁ ବଦଳାଇ ହୁଏ, ଭାବ ବଦଳେ ନାହିଁ। ଭାବ ଆମର ଶରୀରରେ ପ୍ରାକୃତିକ ଭାବରେ ଉଦବୁଦ୍ଧ ହୁଏ, ଆମେ ତା’କୁ ଛପାଇ ପାରୁନାହିଁ। ଭାଷାରେ ନ ହେଲେ ମଧ୍ୟ ଆଖିରେ, ମୁହଁରେ, ଓଠରେ ବା ଆଙ୍ଗୁଳିରେ ଭାବ ଯୋଗୁଁ ଶିହରଣ ପ୍ରକାଶିତ ହୁଏ। ଏ’ ହେଲା ଶରୀରରେ ବ୍ୟଞ୍ଜନର ସଞ୍ଚାର।

ମଣିଷର ଅନେକ ଭାବ ଶରୀରଗତ – ଯେପରି ଭୋକ, ଶୋଷ, କଷ୍ଟ, ରୋଗ, ଅବଶତା, ଅକର୍ମଣ୍ୟତା ଇତ୍ୟାଦି। ଏମାନଙ୍କର ପ୍ରକାଶ ଶରୀରରେ ହୁଏ, କିଛି ପରିମାଣରେ ସ୍ଵତଃ ଧ୍ଵନିରେ ପ୍ରକାଶିତ ହୁଏ।  କିନ୍ତୁ ସେ’ ଧ୍ଵନିରେ ଆମର ଆୟତ୍ତ ନାହିଁ, ଆମ ତା’କୁ ନିୟନ୍ତ୍ରଣ କରିପାରୁନାହିଁ। ତା’ପରେ ହେଲା ମନର ଭାବ। ମନର ଭାବ ଦୁଇ ପ୍ରକାରର – ଗୋଟିଏ ଆମର ମସ୍ତିଷ୍କଗତ କଳ୍ପନା ଓ ଚିନ୍ତା ଏବଂ ଅନ୍ୟଟି ମସ୍ତିଷ୍କ ଉପରେ ବହିର୍ଜଗତର ପ୍ରଭାବ। ବହିର୍ଜଗତର ପ୍ରଭାବ ଆମର ଇନ୍ଦ୍ରିୟମାନଙ୍କ ଜରିଆରେ ଅନୁଭୂତ ହୋଇଥାଏ। ମନର ଭାବ ମସ୍ତିଷ୍କରୁ ଯାଇ ରକ୍ତ ସଞ୍ଚାଳନରେ ଚାପ ଦିଏ ଓ ଆମର ନିଃଶ୍ଵାସ କ୍ରିୟାରେ ପ୍ରଭାବ ସୃଷ୍ଟି କରେ। ଆମ ଇଚ୍ଛା ଅନୁସାରେ ଶବ୍ଦ ମାଧ୍ୟମରେ ଆମେ ଏ’ ଭାବକୁ ପ୍ରକାଶ କରିପାରୁ। ଏହା ଆମର ସୃଜନୀଶକ୍ତିର ବଚନ।

ଭାବପ୍ରକାଶର ମାଧ୍ୟମ ହେଲା ବ୍ୟଞ୍ଜନ।  ଭାବର ଉଦ୍ରେକରୁ ଆମର ବିଭିନ୍ନ ଅଙ୍ଗ ସ୍ପନ୍ଦିତ ହୁଏ ଏବଂ କ୍ରମଶଃ ଆମର ନିଃଶ୍ଵାସ ଚାଳନରେ ଭାବର ଛାପ ପହଞ୍ଚେ। ଏ’ ଛାପ ହେଲା ବ୍ୟଞ୍ଜନ। ତା’ ପରେ ଏ’ ବ୍ୟଞ୍ଜନ ସ୍ଵର ମାଧ୍ୟମରେ ମୁହଁ ବାଟେ ଉଚ୍ଚାରିତ ହୁଏ।

ଆମ ଓଡିଆରେ ବ୍ୟଞ୍ଜନର ସଂଖ୍ୟା ହେଲା ତେତିଶି, ପ୍ରଚଳନ ଭାବରେ ପଞ୍ଚତିରିଶିଟି ଲିପି ଆକାରରେ ବ୍ୟବହୃତ ହୁଏ।  ଏମାନଙ୍କ ଭିତରୁ ପଚିଶିଟିକୁ ବର୍ଗବ୍ୟଞ୍ଜନ ବୋଲି କୁହାଯାଏ। ପାଞ୍ଚୋଟି ବର୍ଣ୍ଣ ନେଇ ଗୋଟିଏ ବର୍ଗ ତିଆରି ହୁଏ। ଏ’ ବର୍ଗମାନଙ୍କର ସଂଗଠନ ଆମର ଶରୀରର ଗଠନ ଓ ବହିର୍ଜଗତର ଭୌତିକବାଦ ସହ ସଂଶ୍ଳିଷ୍ଟ। ଭୌତିକ ସୃଷ୍ଟିତତ୍ତ୍ଵ ଅନୁସାରେ ବିଶ୍ଵ ବ୍ରହାଣ୍ଡର ପ୍ରାଥମିକ ପଦାର୍ଥ ହେଲେ ପାଞ୍ଚୋଟି। ଏମାନଙ୍କୁ “ଭୂତ” ବୋଲି ଶାସ୍ତ୍ରରେ କୁହାଯାଇଅଛି। “ଭୂତ” ଅର୍ଥ ଏମାନେ ପ୍ରଥମେ ଆପଣାଛାଏଁ ସୃଷ୍ଟି ହେଲେ, ଏମାନଙ୍କର କେହି ସୃଷ୍ଟିକାରୀ ନାହାଁନ୍ତି।

ଏ’ ପାଞ୍ଚୋଟି ହେଲେ – ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ। ଏମାନଙ୍କର କ୍ରମାଗତ ସୃଷ୍ଟି ବର୍ତ୍ତମାନ ବିଜ୍ଞାନସମ୍ମତ। ତେବେ ଆକାଶ ସୃଷ୍ଟିର କାରଣ ବିଜ୍ଞାନକୁ ଅଜଣା।

ପାଞ୍ଚୋଟି ଭୂତ ସହିତ ପାଞ୍ଚୋଟି ପ୍ରକୃତି ଜଡିତ ହୋଇଅଛି। ଏମାନେ ହେଲେ – ଶବ୍ଦ, ସ୍ପର୍ଶ, ରୂପ, ରସ ଏବଂ ଗନ୍ଧ। ଏ’ ପ୍ରତ୍ୟେକ ଆମ ଦେହର ଅଙ୍ଗମାନଙ୍କ ସହ ସଂପୃକ୍ତ – ଯେପରି କାନ, ଚମ, ଆଖି, ଜିଭ ଓ ନାକ। ଏମାନଙ୍କ ଭିତରେ କେହି ବଡ଼ ବା ସାନ ନୁହଁନ୍ତି। ବିଜ୍ଞାନ ପରି ଭାରତୀୟ ଶାସ୍ତ୍ର ମତରେ ପ୍ରଥମେ ଆକାଶର ସୃଷ୍ଟି, ତା’ ପରେ ବାୟୁର ସୃଷ୍ଟି, ବାୟୁରୁ ଅଗ୍ନି, ଅଗ୍ନିରୁ ଜଳ ଏବଂ ଜଳରୁ ମାଟି ବା ପୃଥିବୀର ସୃଷ୍ଟି। ଏହା ଆମର ତୈତ୍ତିରୀୟ ଉପନିଷଦରେ ଲିପିବଦ୍ଧ କରା ହୋଇଅଚ୍ଛି।

ବର୍ଣ୍ଣ ଆବିଷ୍କାର ସୃଷ୍ଟିତତ୍ତ୍ଵଠାରୁ ଆଗରୁ ବୋଲି ଅନୁମାନ କରାଯାଇପାରେ। ସୃଷ୍ଟିତତ୍ତ୍ଵ ଦାର୍ଶନିକ, ବର୍ଣ୍ଣତତ୍ତ୍ଵ ଶାରୀରିକ। ତେବେ ବର୍ଣ୍ଣ ମାନଙ୍କୁ ବର୍ଗରେ ବିଭାଗ କରିବା ପରର କଥା ବୋଲି କୁହାଯାଏ। ସୃଷ୍ଟିର ଆକାଶ ତତ୍ତ୍ଵରୁ “କ” ବର୍ଗ, ସୃଷ୍ଟିର ବାୟୁ ତତ୍ତ୍ଵରୁ “ଚ” ବର୍ଗ, ସୃଷ୍ଟିର ଅଗ୍ନି ତତ୍ତ୍ଵରୁ “ଟ” ବର୍ଗ, ସୃଷ୍ଟିର ଜଳ ତତ୍ତ୍ଵରୁ “ତ” ବର୍ଗ ଏବଂ ସୃଷ୍ଟିର ପୃଥିବୀ ତତ୍ତ୍ଵରୁ “ପ” ବର୍ଗର ସଂପର୍କ ବୋଲି ଶାସ୍ତ୍ରବିଦ୍ ମାନେ ନିର୍ଦ୍ଧାରଣ କରିଛନ୍ତି।

“କ” “ଚ” “ଟ” “ତ” “ପ” ହେଲେ ବର୍ଗ ମାନଙ୍କର ମୂଳ ବର୍ଣ୍ଣ। ବର୍ଗରେ ଅନ୍ୟ ବର୍ଣ୍ଣମାନଙ୍କର ଉଚ୍ଚାରଣ ଏହି ମୂଳବର୍ଣ୍ଣମାନଙ୍କର ଜରିଆରେ ଅନୁସରିତ ହୁଏ। “କ” ର ଆକାଶ ସହ ସଂପର୍କର ଅର୍ଥ “କ” ଉଚ୍ଚାରଣ ନିମିତ୍ତ ଧ୍ଵନି ନିଷ୍କାସନ ମୁହଁର ଅନ୍ୟ କୌଣସି ଅଙ୍ଗ ସହ ଯୋଡ଼ି ହେବା ଆବଶ୍ୟକ ହୁଏ ନାହିଁ। “କ” ନିଃଶ୍ଵାସର ପବନର ଚାପରେ ନିର୍ଗତ ହୋଇ ଉଚ୍ଚାରିତ ହୁଏ। “ଚ” ର ବାୟୁ ସହ ସଂପର୍କ, ତା’ ଫଳରେ ଏହାର ଉଚ୍ଚାରଣ ଲାଗି ସ୍ପର୍ଶ ଲୋଡ଼ା। ପବନକୁ ନିଃଶ୍ଵାସରୁ କାଢି ଜିଭକୁ ଉପର ପାଟି ସହ ସ୍ପର୍ଶ କରାଇ ଛାଡ଼ି ଦେଲେ “ଚ” ଉଚ୍ଚାରିତ ହୁଏ।

“ଟ” ର ଅଗ୍ନି ସହ ସଂପର୍କ। ଅଗ୍ନି ରୂପ ଦିଏ। ରୂପକୁ ତିଆରି କରିବାକୁ ପଡ଼େ। ଜିଭକୁ ଲେଉଟାଇ ଉପର ପାଟି ଆଡକୁ ନେଇ ପବନ ବାନ୍ଧି ପୁଣି ଜିଭକୁ ଫେରାଇଲେ “ଟ” ଉଚ୍ଚାରିତ ହୁଏ।  “ତ” ର ଜଳ ସହ ସଂପର୍କ, ଏହା ହେଲା ରସ, ସ୍ଵାଦୁତା। ଜିଭକୁ ଆଗକୁ ଆଣି ଦାନ୍ତ ସହ ସ୍ପର୍ଶ କରାଇ ଆମେ ଉପର ପାଟିରେ ସ୍ଵାଦୁ ଗ୍ରହଣ କରୁ। ସେହି ପ୍ରକାରେ ଜିଭକୁ ଦାନ୍ତସହ ସ୍ପର୍ଶ କରାଇ ପାଟି ଖୋଲି ପବନ ନିଷ୍କାସନ କଲେ “ତ” ଉଚ୍ଚାରିତ ହୁଏ। “ପ” ର ପୃଥିବୀ ସହ ସଂପର୍କ। ପୃଥିବୀ ହେଲା ଗନ୍ଧବହ। ଆମର ନାକର ଗନ୍ଧ ସହ ସଂପର୍କ। ନାକରେ ଗନ୍ଧ ଗ୍ରହଣ କରିବାକୁ ଆମେ ଓଠ ଚାପି ପାଟି ବନ୍ଦ କରୁ।  ଓଠ ଦୁଇଟିକୁ ଚାପି କରି ପାଟି ବନ୍ଦ କରି ପୁଣି ଖୋଲି ପବନ ଛାଡିଲେ “ପ” ଉଚ୍ଚାରିତ ହୁଏ।

Comment