ବିଜୟ ମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

 ଓଡ଼ିଆ ଓ ଓଡ଼ିଶା (୪)

ବିଶେଷ୍ୟ ହେଲା ଜାତିବାଚକ, ଶ୍ରେଣୀବାଚକ। ଶ୍ରେଣୀର ଅର୍ଥ ହେଲା ଶ୍ରେଣୀରେ ଥିବା ସବୁ ବସ୍ତୁମାନଙ୍କୁ ଗୋଟିଏ ଭାବରେ ଚିହ୍ନିବା। ମଣିଷ, ପାହାଡ, ଗଛ, ନଈ, ଫଳ – ଏମାନେ ସବୁ ଶ୍ରେଣୀବାଚକ ବିଶେଷ୍ୟ। କେବେ କେବେ ବି ଶ୍ରେଣୀ ଭିତରେ ବସ୍ତୁର ନାଁ ଦିଆଯାଇପାରେ – ଯେପରି ହିମାଳୟ, ମହାନଦୀ, ଐରାବତ, ଗୋଲାପ ଇତ୍ୟାଦି।

ଶ୍ରେଣୀ ଭିତରର ବସ୍ତୁକୁ ବୁଝିବାକୁ ହେଲେ ଆମକୁ ତାହା ମାପିବା ଦରକାର। ମଣିଷ ଭିତରେ ମାପିବାର ଯନ୍ତ୍ର ହେଲା ପାଞ୍ଚଟି ଇନ୍ଦ୍ରିୟ ଶକ୍ତି – ଆଖି, କାନ, ନାକ, ଚମ ଓ ଜିଭ। ବସ୍ତୁର ଆକାର ଆଖିରେ ନିରୂପଣ କରାହୁଏ, ବସ୍ତୁର ଶବ୍ଦ କାନରେ ଶୁଣାଯାଏ, ବସ୍ତୁର ଗନ୍ଧ ନାକରେ ଶୁଂଘାଯାଏ, ବସ୍ତୁର ଆବରଣ ଚମ ସଂସ୍ପର୍ଷରେ ନିର୍ଣ୍ଣୟ କରାଯାଏ ଏବଂ ବସ୍ତୁର ସ୍ଵାଦ ଜିଭ ମାଧ୍ୟମରେ ଜଣାଯାଏ। ଏହିପରି ଭାବରେ ମପା ହେଲା ଫଳରେ ଆମେ ବଡ଼ ପାହାଡ଼, ସାନ ପାହାଡ଼, ମଳୟ ପବନ, ଝାଞ୍ଜି ପବନ, ସୁଗନ୍ଧ ଦୁର୍ଗନ୍ଧ ଇତ୍ୟାଦି କହିଥାଉ। ଏମାନେ ଶ୍ରେଣୀଭୁକ୍ତ ବସ୍ତୁର ସାମୟିକ ଅବସ୍ଥା। ଶ୍ରେଣୀରେ ବସ୍ତୁର କ୍ଷୟ ନାହିଁ। ଅସୁମାରି ମଣିଷ ମଣିଷ ଶ୍ରେଣୀରେ ଅଛନ୍ତି – କିନ୍ତୁ ମଣିଷ ନିଜେ ଶିଶୁ ମଣିଷ, ଯୁବକ ମଣିଷ, ବୁଢା ମଣିଷ ରେ ରୂପ ପାଉଛି। ଏମାନେ ହେଲେ ସାମୟିକ ଅବସ୍ଥା। କେତେବେଳେ ସୁନ୍ଦର ଦେଖାଯାଉଛି, ଆଉ କେତେବେଳେ ଅଡୁଆ ଦିଶୁଛି।

ରୂପ, ରସ, ଗନ୍ଧ, ଶବ୍ଦ ଓ ସ୍ପର୍ଶ ହେଲେ ବସ୍ତୁର ଗୁଣ। ସବୁ ଗୁଣ ସବୁ ସମୟରେ ପ୍ରକାଶିତ ହୁଏ ନାହିଁ। ଗୁଣର ସାମୟିକତା ଅଛି। ଗୁଣର ପ୍ରକାଶ ଅସ୍ଥାୟୀ, ସବୁ ଗୁଣ ମିଶିକରି ବସ୍ତୁର ବସ୍ତୁତ୍ଵ ହୁଏ। ବସ୍ତୁତ୍ଵ ହେଲା ଶ୍ରେଣୀବାଚକ। ଗୁଣ ପ୍ରକାଶରେ ବିଶେଷ୍ୟ ବିଶେଷଣରେ ପରିଣତ ହୁଏ। ବିଶେଷଣରେ ଶ୍ରେଣୀ ନ ଥାଏ, କାରଣ ସେମାନେ ଅସ୍ଥାୟୀ।

ଆଗରୁ ଆମେ କହିଥାଉ ଯେ ବସ୍ତୁର ଭାବ ଅଛି। ସେହି ଭାବରୁ ବସ୍ତୁକୁ ଶବ୍ଦ ଆକାରରେ ପ୍ରକାଶ କରାଯାଏ। ବସ୍ତୁର ଏହି ଭାବ ଚିରନ୍ତନ ହେଲେ ହିଁ ବସ୍ତୁକୁ ବସ୍ତୁ କୁହାଯାଏ। ଏ’ ଭାବରେ ସମୟଜ୍ଞାନ ନାହିଁ। ଭାବରେ ସମୟକୁ ଯୋଡ଼ିଲେ ଗୁଣ ପ୍ରକାଶ ଭାବ ହୁଏ। ଏହା ସାମୟିକ। ଏହି ଗୁଣନିରୂପଣ ମଣିଷର ମାନସିକ ଅବସ୍ଥା ଉପରେ ନିର୍ଭର କରେ। ତେବେ ଅନେକ ଗୁଣକୁ ଆମେ ଚିରନ୍ତନ ବୋଲି ମାନି ନେଇଥାଉ – ଯେପରି ଦୂରପାହାଡ଼, ବଙ୍କାନଈ, ଅନ୍ଧାରରାତି ଇତ୍ୟାଦି।

“ଦୂର ପାହାଡ ସୁନ୍ଦର” ବାକ୍ୟରେ ଦୁଇଟି ବିଶେଷଣ ପଦ ବ୍ୟବହାର କରାଯାଇଅଛି। ଦୂର ହେଲା ପାହାଡ଼ର ଦୂରତ୍ଵ ଗୁଣ। ଦର୍ଶକ ଓ ପାହାଡ଼ ଭିତରେ ବ୍ୟବଧାନରୁ ଦୂରତ୍ଵ ଅନୁମାନ କରାଯାଏ। “ଦୂର” କେତେବେଳେ “ପାଖ” ହେବ ତା ଆମ ଦୃଷ୍ଟିଶକ୍ତି ଉପରେ ନିର୍ଭର କରେ। କିନ୍ତୁ “ସୁନ୍ଦର” ଶବ୍ଦ ବ୍ୟକ୍ତିଗତ। ଆମକୁ ଯାହା ସୁନ୍ଦର ଅନ୍ୟକୁ ତା’ ସୁନ୍ଦର ନ ହୋଇପାରେ। ସୌନ୍ଦର୍ଯ୍ୟର ମାପକାଠି ନାହିଁ। ମନରେ ଧାରଣା କରାହୁଏ। ମନକୁ ଶାନ୍ତି ଲାଗିଲେ ଆମେ “ସୁନ୍ଦର” ବୋଲି କହୁ। ମଣିଷର ମନର ଶାନ୍ତି ତାର ନିଜର ଅଶାନ୍ତି ଉପରେ ନିର୍ଭର କରେ। ଭୋକିଲା ଲୋକ ପାଇଁ “ଦୂର ପାହାଡ଼ ସୁନ୍ଦର” ବାକ୍ୟର କିଛି ଅର୍ଥ ନାହିଁ।

ସଂସାରର ସବୁ ସୁନ୍ଦର ପଦାର୍ଥଙ୍କର ଗୋଟିଏ ଶ୍ରେଣୀ ହୋଇପାରେ। ଏହିଟି କିନ୍ତୁ ବସ୍ତୁଶ୍ରେଣୀ ନୁହେଁ, ଏ’ ହେଲା ଭାବଶ୍ରେଣୀ। ପରିବେଶ ମାଧ୍ୟମରେ ସୁନ୍ଦର ଶ୍ରେଣୀ ସୃଷ୍ଟି କରାଯାଇପାରେ। ଏହା ମଧ୍ୟ ପ୍ରାକୃତିକ ଭାବରେ ସୃଷ୍ଟିରେ ଗଢା ହୋଇପାରେ। ସେହି ପରିବେଶରେ ପାହାଡ଼, ନଈ, ଜନ୍ତୁ, ପକ୍ଷୀ, ଗଛ, ଘାସ ସବୁ “ସୁନ୍ଦର” ଜଣାପଡ଼େ ଏବଂ ଆପଣାକୁ ନିଜକୁ ବି “ସୁନ୍ଦର” ଲାଗେ। ତେଣୁ ଏ’ ହେଲା ଅନୁଭୂତିର ଶ୍ରେଣୀ। ସୁନ୍ଦର ଶ୍ରେଣୀକୁ ଶାସ୍ତ୍ରରେ ଶୃଙ୍ଗାର ବୋଲି ନାମକରଣ କରା ହୋଇଅଛି। ସେହିପରି ଅନ୍ୟାନ୍ୟ ଅନୁଭୂତିର ଭାବ ଅଛି – ଯଥା ବୀଭତ୍ସ, ବୀର, ଭୟାନକ, ରୌଦ୍ର ଇତ୍ୟାଦି।

ଆମେ ବୁଝିବା ଯେ ବିଶେଷ୍ୟର ଗୁଣ ବିଶେଷଣରେ ପ୍ରକାଶିତ ହୁଏ। ତେଣୁ ବିଶେଷଣ ସହ ବିଶେଷ୍ୟର ବସ୍ତୁଜନିତ ସଂପର୍କ ଅଛି। ଅନେକ ସମୟରେ ଆମେ ସ୍ଵରବର୍ଣ୍ଣ ଯୋଡ଼ି ବିଶେଷ୍ୟରୁ ବିଶେଷଣ ତିଆରି କରିଥାଉ – ଯେପରି ପାଣିରୁ ପାଣିଆ, ମାଟିରୁ ମାଟିଆ, ହଳଦି ରୁ ହଳଦିଆ, ଲୁଣରୁ ଲୁଣିଆ ଇତ୍ୟାଦି।  ସେହିପରି ବଳୁଆ, ବୁଦ୍ଧିଆ, ହଳିଆ ଆଦି ବିଶେଷଣ ଅଛି।  ଅନ୍ୟ ପକ୍ଷରେ ମଣିଷରୁ ମନୀଷୀ, ଜଙ୍ଗଲରୁ ଜଙ୍ଗଲୀ, କଟକରୁ କଟକୀ, ସିଂହଳରୁ ସିଂହଳୀ ଇତ୍ୟାଦି ବିଶେଷଣ ପ୍ରୟୋଗ ହୋଇଥାଏ।

Comment