ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ୨୬ରୁ ୨୮ଯାଏଁ ଉତ୍କଳ ବିଶ୍ୱବିଦ୍ୟାଳୟ ଗସ୍ତ କରିବ ନାକ୍ ଟିମ। ଶିକ୍ଷାର ମାନ, ଭିତ୍ତିଭୂମି ଓ ଗବେଷଣା ବିଷୟ ଉପରେ ହେବ ପୁନଃମୂଲ୍ୟାୟନ

ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ କାଉନସିଲ ବା ନାକ୍‌ ପକ୍ଷରୁ ଗଠିତ ଏକ ୩ ଜଣିଆ ପ୍ରତିନିଧି ଦଳ ସେପ୍ଟେମ୍ବର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ ଗସ୍ତ କରିବ। ୩ ଦିନ ଧରି ଏହି ପ୍ରତିନିଧି ଦଳର ସଦସ୍ୟମାନେ କ୍ୟାମ୍ପସର ଭିତ୍ତିଭୂମି, ଶିକ୍ଷାଦାନର ମାନ ସମେତ ଗବେଷଣା ବିଷୟ ଉପରେ ପୁନଃମୂଲ୍ୟାୟନ କରିବେ।

ଗତ ଏପ୍ରିଲ ମାସରେ ଆସିଥିବା ପ୍ରତିନିଧି ଦଳ ଯେଉଁ ରିପୋର୍ଟ ଦେଇଥିଲେ ତାକୁ ସମୀକ୍ଷା କରିବେ। ସେମାନଙ୍କ ରିପୋର୍ଟ ଆଧାରରେ ବିଶ୍ୱବିଦ୍ୟାଳୟକୁ ନାକ୍‌ ଗ୍ରେଡ ମିଳିବ ଏବଂ ପୂର୍ବ ମୂଲ୍ୟାୟନ ରିପୋର୍ଟକୁ ବାତିଲ୍‌ କରାଯିବ ବୋଲି ସୂଚନା ମିଳିଛି।

ନାକ୍ ଟିମ ଗସ୍ତକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତ‌ାରେ ଗଠନ ହୋଇଥିବା ଏକାଧିକ କମିଟି ଏବେ ପୂର୍ବ ତଥ୍ୟଗୁଡ଼ିକୁ ଯାଞ୍ଚ କରିବା ସହ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନେଇଛନ୍ତି। ୫ ମାସ ପରେ ନାକ୍‌ ଟିମ ଆସୁଥିବାରୁ ଯେଉଁ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ପଛରେ ପଡ଼ିଥିଲା ସେଥିରେ ସୁଧାର ଅଣାଯାଇଛି।କ୍ୟାମ୍ପସ ଭିତରେ ଥିବା ସେଣ୍ଟ୍ରାଲ କ୍ୟାଣ୍ଟିନ ନବୀକରଣ କାର୍ଯ୍ୟ ଏହା ଭିତରେ ଶେଷ ହୋଇଛି। ସୋମବାର ଏହାର ଉଦ୍‌ଘାଟନ ହେବ। ଗୋଟିଏ ସ୍ଥାନରେ ଛାତ୍ରଛାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିବାକୁ ଏହି ପୁରାତନ କ୍ୟାଣ୍ଟିନର ନବୀକରଣ କରାଯାଇଛି।

୨୦୧୬ରେ ନାକ୍‌ ଗସ୍ତ ସମୟରେ ବିଶ୍ୱବିଦ୍ୟାଳୟକୁ ‘ଏ+’ ଗ୍ରେଡ ମାନ୍ୟତା ମିଳିଥିବାରୁ ଏଥର ପୁନଃମୂଲ୍ୟାୟନ ସମୟରେ ସମାନ ଗ୍ରେଡ ବଜାୟ ରଖିବା ଲାଗି ଉଦ୍ୟମ ହୋଇଛି। ପାଠପଢ଼ା ସାଙ୍ଗକୁ ଗବେଷଣା, ଭିତ୍ତିଭୂମି, ଅନ୍ୟ ଶିକ୍ଷାନୁଷ୍ଠାନ ସହ ସହଭାଗିତା ବହୁ ପରିମାଣରେ ବୃଦ୍ଧି ପାଇଛି।

Tags: #naac #utkaluniversity #education #odisha

Comment