ଓଡ଼ିଶାଲାଇଭ୍ ବ୍ୟୁରୋUtkal University

ଉତ୍କଳ ବିଶ୍ୱବିଦ୍ୟାଳୟ ଗବେଷଣା ଭିତ୍ତିଭୂମି ଦେଖି ଖୁସିବ୍ୟକ୍ତ କଲେ ନାକ୍ ଟିମ

ଉତ୍କଳ ବିଶ୍ୱବିଦ୍ୟାଳୟ ଗସ୍ତରେ ଆସିଛନ୍ତି ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ କାଉନସିଲ(ନାକ୍‌) ପ୍ରତିନିଧି ଦଳ। ପ୍ରଫେସର ପରିମଲ ବ୍ୟାସଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି ପ୍ରତିନିଧି ଦଳରେ ଅଛନ୍ତି ପ୍ରଫେସର ଜୟଶ୍ରୀ ଶିବାନନ୍ଦ, ପ୍ରଫେସର ଅନିତା ରାଓ ରବିୱାଡା, ପ୍ରଫେସର ଜଗଦୀଶ ପ୍ରସାଦ ଓ ପ୍ରଫେସର ଅମ୍ରିକ୍‌ ସିଂ ଆହ୍ଲୁୱାଲିଆ।

ମଙ୍ଗଳବାର କ୍ୟାମ୍ପସରେ ପହଞ୍ଚିବା ପରେ ଟିମର ସଦସ୍ୟମାନଙ୍କୁ ଶୋଭାଯାତ୍ରାରେ ପ୍ରଶାସନିକ ଭବନକୁ ପାଛୋଟି ନିଆଯାଇଥିଲା। ସେଠାରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ସହ ପ୍ରତିନିଧି ଦଳ ଆଲୋଚନା କରିଥିଲେ। ପରେ କୁଳପତିଙ୍କ ଦ୍ୱାରା ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ତଥ୍ୟ ନାକ୍‌ ପ୍ରତିନିଧିଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା।

ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ ହଲରେ ନାକ୍‌ ଟିମର ସଦସ୍ୟମାନଙ୍କ ସହ ପ୍ରାୟ ଅଧଘଣ୍ଟା ଧରି ଆଇକ୍ୟୁଏସି ନିର୍ଦେଶକ ଓ ସଦସ୍ୟଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ନାକ୍‌ ଟିମ ବୋର୍ଡ ଅଫ ଷ୍ଟଡିଜ(ବିଓଏସ)ର ଅଧ୍ୟକ୍ଷ ଓ ଡିନମାନଙ୍କ ସହ ଆଲୋଚନା କରିବା ପରେ ୩ ଭାଗରେ ବିଭକ୍ତ ହୋଇ ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ।ସେମାନେ କମ୍ପ୍ୟୁଟର ସାଇନ୍ସ, ବାଣିଜ୍ୟ, ଏମବିଏ, ସାମାଜିକ ବିଜ୍ଞାନ, ସାଧାରଣ ପ୍ରଶାସନ, ଗଣମାଧ୍ୟମ ଓ ଗଣ ଯୋଗାଯୋଗ, ସଂସ୍କୃତ, ଅର୍ଥନୀତି, ଉଦ୍ଭିଦ ବିଜ୍ଞାନ, ବାୟୋ-ଟେକ୍ନୋଲୋଜି, ପ୍ରାଣୀ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଆଇନ, ସଂସ୍କୃତ ପରି ବିଭିନ୍ନ ବିଭାଗ ବୁଲି ଭିତ୍ତିଭୂମି ଦେଖିଥିଲେ। ପ୍ରାୟ ଦେଢ଼ଘଣ୍ଟା ଧରି ବୁଲିବା ବେଳେ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଓ ଗବେଷଣା ଦେଖି ଖୁସିବ୍ୟକ୍ତ କରିଛନ୍ତି।

ବୁଧବାର ଗସ୍ତର ଦ୍ୱିତୀୟ ଦିନରେ ନାକ୍‌ ପ୍ରତିନିଧିମାନେ ବିଶ୍ୱବିଦ୍ୟାଳୟର ବିଭିନ୍ନ ହଷ୍ଟେଲ ବୁଲିବା ସହ ଖେଳ ପଡ଼ିଆ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

Tags: #naac #utkaluniversity #education #odisha

Comment