ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଓଡ଼ିଆ ଓ ଓଡ଼ିଶା (୪୩)

ମସ୍ତିଷ୍କର ଭାବନା, ଦୃଶ୍ୟ, କଳ୍ପନା, ଅନୁଭୂତି ବା ଆଲୋଚନାକୁ ଧ୍ଵନିରେ ରୂପ ଦେବା ହେଲା ଭାଷାର ଶକ୍ତି। ଭାଷା ଇଙ୍ଗିତ ନୁହେଁ, ଇଙ୍ଗିତରୁ ମନର ଭାବ ଆଂଶିକ ଭାବରେ ପ୍ରକାଶିତ ହୁଏ। ଭାଷାଶକ୍ତି ଜରିଆରେ ମନୁଷ୍ୟର ଅନ୍ତର ପୂର୍ଣ୍ଣଭାବରେ ପ୍ରକାଶ କରିପାରେ। ପୂର୍ଣ୍ଣପ୍ରକାଶ ହେଲା ଗୋଟିଏ ସାଧନା, ଏହା ମନୁଷ୍ୟର ସ୍ଵାସ୍ଥ୍ୟ ଓ ଶରୀରର ସ୍ଵାସ୍ଥ୍ୟ ଉପରେ ନିର୍ଭର କରେ। ଏହି ଶକ୍ତିକୁ ଭାରତୀୟ ଶାସ୍ତ୍ରରେ“ଦେବୀଶକ୍ତି”ବୋଲି କୁହାଯାଇ ଅଛି।

ମସ୍ତିଷ୍କ ଶକ୍ତିର ସୀମା ନଥିଲା ବେଳେ ଧ୍ଵନିର ସୀମା ଅଛି। ଆମେ କିଭଳି ଧ୍ଵନି କରିପାରିବା, କିଭଳି ସ୍ଵରରେ ଧ୍ଵନି ପ୍ରକାଶ କରିପାରିବା, କେତେ ପରିମାଣରେ ପ୍ରକାଶ କରିପାରିବା, ଏ’ସବୁ ଶରୀରର ପ୍ରକ୍ରିୟା ନେଇ ସୀମିତ। ଏଥିରେ ଆମର ନିଃଶ୍ଵାସ-ପ୍ରଶ୍ଵାସ, ରକ୍ତ ସଞ୍ଚାଳନ, ମାଂସପେଶୀର ଗଠନ ମଧ୍ୟ ସମ୍ପୃକ୍ତ। ତେଣୁ ଭାବନା ଅସୀମିତ ହେଲେ ମଧ୍ୟ ଭାଷା ସୀମିତ।

ଭାଷାର ବର୍ଣ୍ଣ କଥା ଆମେ ଆଗରୁ ଆଲୋଚନା କରିଥାଇଁ। ପ୍ରତ୍ୟେକ ବର୍ଣ୍ଣ ହେଲା ଗୋଟିଏ ସଂଜ୍ଞା, ବର୍ଣ୍ଣ ପଛରେ କିଛି ଭାବନା, ଦୃଶ୍ୟ ବା ଅନୁଭୂତି ଅଛି, ଯାହା ଆମର ମସ୍ତିଷ୍କ ଜାଣେ। କିନ୍ତୁ ବହୁତ କମ୍‌ ଭାବନା ଅଛି ଯାହାକି ଏକ ବର୍ଣ୍ଣୀ। ସାଧାରଣତଃ ଏକାଧିକ ବର୍ଣ୍ଣର ସଂଯୋଗରେ ଭାଷା ପ୍ରକାଶିତ ହୋଇଥାଏ।

ସଂସାରରେ ଆମେ ଯେଉଁ ପଦାର୍ଥମାନଙ୍କର ସଂସ୍ପର୍ଶରେ ଆସୁ, ସେମାନଙ୍କୁ ବର୍ଣ୍ଣନା କରିବା ପାଇଁ ଏକାଧିକ ବର୍ଣ୍ଣର ଆବଶ୍ୟକତା ହୁଏ। ଆମେ ସ୍ଵର ମାଧ୍ୟମରେ କୌଣସି ବସ୍ତୁବାଚୀ ଶବ୍ଦର ଉଚ୍ଚାରଣକୁ ଗୁରୁ ବା ଲଘୁ କରିପାରୁ, କିନ୍ତୁ ପଦାର୍ଥର ଭାବ ଜଟିଳ। ପଦାର୍ଥର ଆକୃତି, ପ୍ରକୃତି ଓ ବିକୃତିକୁ ପ୍ରକାଶ କରିବା ଲାଗି ଆମେ ଅନେକ ବର୍ଣ୍ଣ ବ୍ୟବହାର କରୁ। ଏହା ଆମର ମସ୍ତିଷ୍କର କାମ। ପଦାର୍ଥର ମୌଳିକ ପ୍ରକୃତିକୁ ସଂଜ୍ଞା ଭାବରେ ଗ୍ରହଣ କରି ତା’ପରେ ତା’ର ଆକୃତି, ପ୍ରକୃତି ଓ ବିକୃତିକୁ ବିଶେଷଣ ଭାବରେ ବ୍ୟବହାର କରୁ। ଗୋଟିଏ ବିଶେଷଣ ଅନେକ ବିଶେଷ୍ୟଙ୍କ ଉପଯୋଗରେ ଆସିପାରେ।

କ୍ରିୟାପଦ ହେଲା ସ୍ଵତନ୍ତ୍ର। ଯାହା ବସ୍ତୁ ହେଲେ ମଧ୍ୟ କୌଣସି ସମୟରେ ଗୋଟିଏ ହିଁ କ୍ରିୟା କରିପାରେ। ବସ୍ତୁ ସହ କ୍ରିୟାର ଭୌତିକ ସମ୍ପର୍କ ଅଛି। ବର୍ଣ୍ଣମାଳାରେ ଚଉଷଠିଟି ବର୍ଣ୍ଣ ଓ ଅଠରଟି ମାତ୍ରା। ଏମିତି ହଜାରେ ପାଖାପାଖି ମୌଳିକ କ୍ରିୟା ଏବଂ ଏହାପରେ ଆଉ କିଛି ଯୌଗିକ କ୍ରିୟା। “ଚାହୁଁଛି”ଓ“ମୁରୁକି ମୁରୁକି ଚାହୁଁଛି”ଦୁଇଟା ଅଲଗା କ୍ରିୟା। “ଚାହିଁବା”ହେଲା ଆଖିର କ୍ରିୟା, “ମୁରୁକିବା”ହେଲା ମୁହଁର କ୍ରିୟା।

ଏହାପରେ“ଆଖି କଣେଇ କରି ଚାହିଁବା”, “ଆଖି ତରାଟି କରି ଚାହିଁବା”, “ଆଖିମଳି କରି ଚାହିଁବା”– ଏ’ସବୁ“ଚାହିଁବା”ର ବିଭିନ୍ନ ବିକୃତି। ଏ’ବିକୃତିମାନେ ହେଲେ ବିଶେଷଣ। “ଚାହିଁବା”ହେଲା କ୍ରିୟା, କିନ୍ତୁ ସେ କ୍ରିୟାଟି କାର୍ଯ୍ୟ ହେଲା ବେଳକୁ ତା’ର ସ୍ଵରୂପ ପରିବର୍ତ୍ତନ ହେଉଛି। ଚାହିଁବାର ଦୃଶ୍ୟ ମସ୍ତିଷ୍କରେ ପହଞ୍ଚୁଛି, କିନ୍ତୁ ବିଭିନ୍ନ ଅନ୍ୟ କାରଣରୁ ଆମେ ସେହି କ୍ରିୟାରେ ବିକୃତି ସୃଷ୍ଟି କରୁଛୁ। ଯେହେତୁ ଚାହିଁବା ହେଲା କ୍ରିୟା, ତେଣୁ କ୍ରିୟାପଦ ବଦଳୁ ନାହିଁ, କିନ୍ତୁ ବିଶେଷଣ ଲାଗୁଛି। ଏ’ଗୁଡିକ ହେଲେ କ୍ରିୟା ବିଶେଷଣ।

ପ୍ରାକୃତିକ କାର୍ଯ୍ୟର ବିଶେଷଣ ନାହିଁ। ଆଲୁଅ ଯାହାହେଲେ ବି ବିଛାରି ଯାଏ, ପାଣି ବହିଯାଏ, ଗନ୍ଧ ଚହଟି ଯାଏ, ଧ୍ଵନି ଶୁଣାଯାଏ ଆଉ ପବନ ବୁଲୁଥାଏ। ଅନ୍ୟ କୌଣସି ବସ୍ତୁ ସଂସ୍ପର୍ଶରେ ଆସିଲେ ଏମାନଙ୍କର କ୍ରିୟାର ବିକୃତି ଜଣାପଡେ। କିନ୍ତୁ ବିକୃତି ବସ୍ତୁର, ପ୍ରକୃତିର ନୁହେଁ। ଅନ୍ୟ ପକ୍ଷରେ ମଣିଷର ଗୋଟିଏ ଅଙ୍ଗ କୌଣସି ଗୋଟିଏ ହିଁ କାର୍ଯ୍ୟ କରେ। ଆମର ପାଞ୍ଚଟି ଜ୍ଞାନେନ୍ଦ୍ରିୟ ଓ ପାଞ୍ଚଟି କର୍ମେନ୍ଦ୍ରିୟ। ଏମାନଙ୍କର ସ୍ଵତନ୍ତ୍ର କାର୍ଯ୍ୟ ଅଛି। ଯେତେବେଳେ କେହି ଇନ୍ଦ୍ରିୟ ଅନ୍ୟ ଇନ୍ଦ୍ରିୟ ଉପରେ ନିର୍ଭର କରନ୍ତି ସେତେବେଳେ କ୍ରିୟା ବିଶେଷଣ ସୃଷ୍ଟି ହୁଏ। “ସେ’ଚାଲି ଚାଲି ପାଣି ପିଉଛି”, “ପିଲା ଗଛଚଢି ପାଟି କରୁଛି”ଇତ୍ୟାଦି। କ୍ରିୟା ବିଶେଷଣ କର୍ତ୍ତା (ବସ୍ତୁ)ର ଅବସ୍ଥା ଜଣାଏ।

ମନର ଶରୀର ଉପରେ ପ୍ରଭାବରୁ ଉତ୍ତେଜନାଜନିତ କ୍ରିୟାରେ ଶରୀରରସମସ୍ତ ଅଙ୍ଗ ଅଂଶଗ୍ରହଣ କରନ୍ତି। ଏହାର ତଥ୍ୟ ଭରତମୁନିଙ୍କର ନାଟ୍ୟଶାସ୍ତ୍ରରେ ଦେଖିବାକୁ ମିଳେ। ଆଖିର କ୍ରୋଧ ଛାତି, ଭ୍ରୂ, ହାତ ଓ ଆଙ୍ଗୁଳିରେ ପ୍ରକାଶ ପାଏ। ଏହାକୁ ଯୌଗିକ ଭାବରେ“ରସ”କୁହାଯାଏ। “ରୌଦ୍ର୍ୟ ରସ”, “ଶୃଙ୍ଗାର ରସ”, “ବୀଭତ୍ସ ରସ”ଇତ୍ୟାଦି। ଏମାନଙ୍କର କ୍ରିୟାରେ ଅନେକ ବିଶେଷଣ ଲାଗି ରହେ। ପ୍ରତ୍ୟେକ ଅଙ୍ଗର କିଛି କାର୍ଯ୍ୟ ଥାଏ। ଏ’ପ୍ରକାର କାର୍ଯ୍ୟର କ୍ଷଣିକ ପ୍ରତିମାକୁ ଭାସ୍କର୍ୟ୍ୟରେ ପରିଣତ କରି ସ୍ଥାଣୁ ମୂର୍ତ୍ତି ତିଆରି କରାହୁଏ।କ୍ରିୟା ବିଶେଷଣ କ୍ରିୟାକୁ ବଦଳାଏ ନାହିଁ, କ୍ରିୟାରେ ଥିବା ବସ୍ତୁର ବିକୃତି ବର୍ଣ୍ଣନା କରେ। “ନଈପାଣି ଧୀର ଗତିରେ ଯାଉଛି”, “ନଈପାଣି ସୁଅରେ ଯାଉଛି”- ଉଭୟର କ୍ରିୟା ହେଲା “ଯାଉଛି”। କିନ୍ତୁ ପାଣିର ପରିମାଣ ଊଣା ଅଧିକ ହୋଇଥିଲା ଫଳରେ ଏବଂ ନଦୀର ଦୁଇକଡରେ ହିଡ ଥିଲା ଫଳରେ ପାଣିର ପରିମାଣ ଅନୁସାରେ କେବେ ଗତି ଧୀର ହେଉଛି ତ ଆଉ କେବେ ତୀବ୍ର !

(କ୍ରମଶଃ)

Comment