ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଓଡ଼ିଆ ଓ ଓଡ଼ିଶା (୨୮)

ସଂସାରର ସମସ୍ତ ବସ୍ତୁ, ଦୃଶ୍ୟ ଓ ଭାବନାକୁ ମନୁଷ୍ୟ ନିଜର କଥନ ଶକ୍ତି ମାଧ୍ୟମରେ ପ୍ରକାଶ କରିପାରିବାର ମୌଳିକ ଉପାଦାନ ହେଲା “ବର୍ଣ୍ଣ”। ଏ’ ବର୍ଣ୍ଣ ମାନଙ୍କର ସଂଖ୍ୟା ହେଲା ଚଉଷଠି। ଏ’ମାନେ ମଣିଷର ମସ୍ତିଷ୍କରେ ଉତ୍ପନ୍ନ ହୁଅନ୍ତି ଏବଂ ଧ୍ଵନିରେ ପ୍ରକାଶିତ ହୁଅନ୍ତି।

ଏ’ମାନଙ୍କର ପ୍ରତ୍ୟେକଙ୍କର ଧ୍ଵନିଗତ ଉଚ୍ଚାରଣ ପରସ୍ପରଠାରୁ ସ୍ୱତନ୍ତ୍ର ବୋଲି ଧ୍ଵନି ବିଜ୍ଞାନରୁ ନିର୍ଣ୍ଣିତ ହୋଇଅଛି। ଏ’ମାନଙ୍କ ବ୍ୟତୀତ ଆଉ କିଛି ଧ୍ଵନି ଉଚ୍ଚାରଣ ଥାଇପାରେ, କିନ୍ତୁ ତା’ ଏ’ ପର୍ଯ୍ୟନ୍ତ ହୃଦ୍​ବୋଧ ହୋଇନାହିଁ।

ବର୍ଣ୍ଣମାନଙ୍କର ଧ୍ଵନିଗତ ଉଚ୍ଚାରଣର ବିଜ୍ଞାନ କେବେ ବାକି ପରି ନିର୍ଦ୍ଧାରିତ ହେଲା – ତା’ ଆମେ କହିପାରିବା ନାହିଁ। ବ୍ୟକରଣ ଶାସ୍ତ୍ର ପ୍ରଣେତା ପାଣିନିଙ୍କର ମତରେ ଧ୍ଵନି ଉତ୍ପନ୍ନ କରିବା ପାଇଁ ମନୁଷ୍ୟର ବିଭିନ୍ନ ଅଙ୍ଗ ବ୍ୟବହାର ହୋଇଥାଏ। କଣ୍ଠ, ଓଠ, ଟାଳୁ, ଦାନ୍ତ, ଜିଭ, ନାକ ଏବଂ ଫୁସ୍​ଫୁସ୍​ ଏ’ମାନଙ୍କ ଭିତରେ ପ୍ରଧାନ।

ଏ’ମାନଙ୍କର ସଂଗଠନ ସହଯୋଗିତାରେ ବିଭିନ୍ନ ବର୍ଣ୍ଣର ଉଚ୍ଚାରଣ ସମ୍ଭବ ହୁଏ। ଅପରପକ୍ଷରେ ଆମ କଥାବାର୍ତ୍ତାରେ ଆମେ ବର୍ଣ୍ଣମାନଙ୍କୁ ସଂଯୋଜିତ କରି ପ୍ରକାଶ କରୁ। କଥାରୁ ବର୍ଣ୍ଣକୁ ଚିହ୍ନିବା କେବଳ ଅତ୍ୟନ୍ତ ଶ୍ରବଣ ପ୍ରଖର ଲୋକମାନଙ୍କ ଦ୍ଵାରା ସମ୍ଭବ ହୋଇପାରେ।

“ବର୍ଣ୍ଣ” ହେଲା ଗୋଟିଏ ସଂଜ୍ଞା ଶବ୍ଦ। ଏହା ହେଲା ବସ୍ତୁ, ଦୃଶ୍ୟ ବା ଭାବନାକୁ ବର୍ଣ୍ଣନା କରିପାରିବା ପାଇଁ ମଣିଷର ପ୍ରାଥମିକ ଶକ୍ତି। କଥା, ସ୍ଵର ଓ ଧ୍ଵନି ମାଧ୍ୟମରେ ନିଜର ଭାବକୁ ପ୍ରକାଶ କରିପାରିବାର ଶକ୍ତି ପ୍ରାଣୀ ଜଗତରେ କେବଳ ମଣିଷର ହିଁ ଅଛି। ଜନ୍ତୁ ମାନଙ୍କର ଭାବ ଆଦାନ ପ୍ରଦାନ ମୁଖ୍ୟତଃ ଆଖି ବା ଭଙ୍ଗୀ ଜରିଆରେ ହେଉଥିବା ସମୟରେ ପୂର୍ଣ୍ଣ ଭାବରେ ଭାବ ପ୍ରକାଶ କରିପାରିବାର ଶକ୍ତି ମଣିଷର ସ୍ୱତନ୍ତ୍ର। ଏଥି ଯୋଗୁଁ ଶାସ୍ତ୍ରରେ କଥା କହିବା ଶକ୍ତିକୁ “ନୈସର୍ଗିକ” ବୋଲି ଆଖ୍ୟା ଦିଆ ହୋଇଅଛି।

ବର୍ଣ୍ଣ ଉତ୍ପତ୍ତିରେ ଫୁସ୍​ଫୁସ୍​ର ସ୍ଥାନ ସ୍ଵତନ୍ତ୍ର। ଧ୍ଵନି ନିର୍ମାଣ କରିବାକୁ ଆମକୁ ଆମ ଭିତରୁ ଆସୁଥିବା ପ୍ରଶ୍ଵାସ ବାୟୁକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ପ୍ରଶ୍ଵାସ ବାୟୁର ନିର୍ଗମନକୁ ପାଟି ଭିତରେ ବିଭିନ୍ନ ପ୍ରକାର ବାଧା ସୃଷ୍ଟି କରାଇ ସମସ୍ତ ବର୍ଣ୍ଣ ଧ୍ଵନି ଉତ୍ପନ୍ନ କରାଯାଏ। ଏ’ପ୍ରକାର ଧ୍ଵନି ତିଆରି କରିବା ମନୁଷ୍ୟର ପ୍ରକୃତିଜ ପ୍ରବୃତ୍ତି। କିନ୍ତୁ ପ୍ରତ୍ୟେକ ଧ୍ଵନିକୁ ସ୍ଵତନ୍ତ୍ର ଭାବରେ ଉଚ୍ଚାରଣ କରିବା ନିମିତ୍ତ ଆମ୍ଭମାନଙ୍କର ବର୍ଣ୍ଣ ଶିକ୍ଷା ଲୋଡା ହୁଏ। ପରିଷ୍କାର ଉଚ୍ଚାରଣ ପ୍ରକ୍ରିୟାରେ ଆମରମସ୍ତିଷ୍କ, ଫୁସ୍​ଫୁସ୍​, ଶ୍ଵାସନଳୀ ଏବଂ ମୁହଁର ଅଙ୍ଗମାନଙ୍କର ନିୟନ୍ତ୍ରଣ ସ୍ଵାସ୍ଥ୍ୟକୁ ହିତକର ହୁଏ।

ବର୍ଣ୍ଣର ପରିଷ୍କାର ଉଚ୍ଚାରଣ ମନ୍ତ୍ରର ବୀଜଶକ୍ତି। ଶୁଦ୍ଧ ଉଚ୍ଚାରଣ ଫଳରେ ଶରୀରରେ ବାୟୁ ସଞ୍ଚାଳନ ଶୁଦ୍ଧ ହୋଇଥାଏ ଏବଂ ତା’ଫଳରେ ରକ୍ତ ସଞ୍ଚାଳନ ସ୍ଵଚ୍ଛନ୍ଦ ହୋଇଥାଏ। ରକ୍ତ ସଞ୍ଚାଳନର ଶୁଦ୍ଧତା ଫଳରେ ମସ୍ତିଷ୍କର ଏକାଗ୍ରତା ଏବଂ ନିଷ୍ଠାବଢେ – ଏ’ସବୁ ଉତ୍ତମ ସ୍ଵାସ୍ଥ୍ୟ ସୃଷ୍ଟି କରିବାରେ ସହାୟକ ହୁଏ। ତେଣୁ ମନ୍ତ୍ର ଉଚ୍ଚାରଣ ପଛରେ ବର୍ଣ୍ଣ ଉଚ୍ଚାରଣ ହିଁ ସଂଶ୍ଳିଷ୍ଟ। ପ୍ରତିଦିନ ଶୁଦ୍ଧ ମନ୍ତ୍ର ଉଚ୍ଚାରଣକୁ ଜପ କୁହାଯାଏ। ଅନେକ ଲୋକ ଏକାକ୍ଷର “ଓଁ” ଜପକରି ଦୀର୍ଘ ଆୟୁଲାଭ କରିଥିବାର ପ୍ରମାଣ ଲୋକସମ୍ମତ। ଆହୁରି ଅନେକ ବ୍ୟାବହାରିକ ମନ୍ତ୍ରର ବ୍ୟବହାର ସମାଜରେ ପ୍ରଚଳିତ ଅଛି।

ଶୁଦ୍ଧ ବର୍ଣ୍ଣ ଉଚ୍ଚାରଣରୁ ଶ୍ଵାସ ପ୍ରକ୍ରିୟାକୁ ଶୁଦ୍ଧ ରଖିବା ଆୟୁର୍ବେଦ ଶାସ୍ତ୍ରର ଶିକ୍ଷା। ବର୍ଣ୍ଣର ଶୁଦ୍ଧ ଉଚ୍ଚାରଣ ନିମିତ୍ତ ଆମର ମନକୁ ଉଚ୍ଚାରଣ ସହିତ ସଂପୂର୍ଣ୍ଣ ସଂଯୁକ୍ତ ରଖିବାକୁ ହେବ। ଏ ଉଦ୍ୟମ ସହଜସାଧ୍ୟ ନୁହେଁ। କେବଳ ଅଭ୍ୟାସ ବଳରେ ଏ’ସଂଯୋଗ ସୃଷ୍ଟି କରାଯାଇପାରେ। ଏ’ ସଂଯୋଗ ହେଲା ପରେ ଆମର ନିଜର ମନ ଉପରେ ନିୟନ୍ତ୍ରଣ କରିବା ସୁବିଧା ହୁଏ। ମନ ଉପରେ ଆପଣା ନିୟନ୍ତ୍ରଣ କରିପାରିବା ମଣିଷର ଉତ୍ତମ ସ୍ଵାସ୍ଥ୍ୟର ପ୍ରଧାନପଥ୍ୟ।

ବୌଦ୍ଧ ଶାସ୍ତ୍ରରେ ମଣିଷର ସ୍ନାୟୁମଣ୍ଡଳୀକୁ ସାତୋଟି ଚକ୍ରରେ ବିଭାଜନ କରିବି ଭିନ୍ନ ବର୍ଣ୍ଣର ଉତ୍ପତ୍ତିର ସ୍ଥାନ ବିଭିନ୍ନ ଚକ୍ରରେ ବୋଲି ମତ ଦିଆଯାଇଅଛି। ବର୍ଣ୍ଣମାନେ ଶରୀରର ଅଙ୍ଗମାନଙ୍କୁ ନିୟନ୍ତ୍ରଣ କରନ୍ତି ଏବଂ ବର୍ଣ୍ଣ ସାଧନା ଫଳରେ ଅଙ୍ଗମାନଙ୍କର ଶକ୍ତି ଓ ସ୍ଵାସ୍ଥ୍ୟ ଅଣାଯାଇପାରେ ବୋଲି ତନ୍ତ୍ର ଶାସ୍ତ୍ର ନିର୍ଦ୍ଧାରଣ କଲା। ଏ’ବିଷୟର ସମସ୍ତ ଗବେଷଣା ଆମକୁ ଜଣାନାହିଁ। ତେବେ କୌଣସି ସମୟରେ ଓଡ଼ିଶାରେ ଏହାର ବହୁଳ ପ୍ରଚାର ହୋଇଥିବାର ପ୍ରମାଣ ମିଳୁଛି। ଏ ଦୃଷ୍ଟିରୁ ପ୍ରତ୍ୟେକ ବର୍ଣ୍ଣ ଗୋଟିଏ ଗୋଟିଏ ଶକ୍ତି।

ଶକ୍ତି ସାଧନାର ମୂଳବର୍ଣ୍ଣ ସାଧନା ବୋଲି ତନ୍ତ୍ର ମତ ସୃଷ୍ଟି ହେଲା। ଶକ୍ତି ସାଧନା ଫଳରେ ଆମେ ସଂସାରର ରୋଗ, ଶୋକ, ଭୟ, ବ୍ୟାଧି, ଜରା ଏବଂ ମୃତ୍ୟୁରୁ ମୁକୁଳି ପାରିବା ବୋଲି ଶାସ୍ତ୍ର ମତ ସୃଷ୍ଟିହେଲା। ଏ’ମତର ପ୍ରଚଳନ ଏବେ ମଧ୍ୟ କିଛି ପରିମାଣରେ ଓଡ଼ିଶାରେ ଅଛି ବୋଲି ଦେଖାଯାଏ।

ବର୍ଣ୍ଣମାନଙ୍କ ସହ ଶକ୍ତିକୁ ସଂଯୋଗ କରାଇବାର ବିଜ୍ଞାନ ଆମକୁ ଅଜଣା। ଏକାଗ୍ର ଉଚ୍ଚାରଣରେ ବିଭିନ୍ନ ବର୍ଣ୍ଣର ଶରୀର ଭିତରେ ଉତ୍ପତ୍ତି ସ୍ଥାନ ନିରୂପଣ କରାଯାଇପାରେ। ଏହି ପ୍ରକାର ଉତ୍ପତ୍ତି ସ୍ଥାନକୁ ଧ୍ୟାନରେ ରଖି ଶରୀର ଭିତରେ ସାତୋଟି ସ୍ଥାନରେ ବର୍ଣ୍ଣମାନେ ମଣ୍ଡଳୀ ଭାବରେ ଉଚ୍ଚାରିତ ହୁଅନ୍ତି ବୋଲି ବୌଦ୍ଧ ଯୋଗୀମାନେ ସିଦ୍ଧାନ୍ତ କରିଛନ୍ତି। ଏହି ଚକ୍ରମାନଙ୍କରେ କେତୋଟି ବର୍ଣ୍ଣ ରହିପାରିବେ ତାର ମଧ୍ୟ କିଛି ତଦନ୍ତ ହୋଇଅଛି। ଗୋଟିଏ ଚକ୍ରର ବର୍ଣ୍ଣମାନଙ୍କୁ ଆୟତ୍ତ କଲାପରେ ଅପର ଚକ୍ରକୁ ଶକ୍ତିର ଉତ୍ତୋଳନ ହୋଇଥାଏ ବୋଲି ତନ୍ତ୍ରଶାସ୍ତ୍ରର ସିଦ୍ଧାନ୍ତ।

Comment