ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ମଙ୍ଗଳବାର ଭୁବନେଶ୍ଵରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଛି। ଓଡ଼ିଶାର ବିଭିନ୍ନ ଲୋକକଳାର ପ୍ରଚାର ପ୍ରସାର ନିମନ୍ତେ ଆୟୋଜିତ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ରାୟଗଡ଼ା ଏବଂ ବରଗଡ଼ର କଳାକାରମାନେ ଯଥାକ୍ରମେ ‘ଦେଶିଆ ନାଟ’ ଓ ‘ଗଣା ବଜା’ ନୃତ୍ୟ ପରିବେଷଣ କରିଥିଲେ। ପାରମ୍ପରିକ ଲୋକକଳାରେ ଦୁଲୁକିଥିଲା ପୂରା ମଞ୍ଚ।ଲୋକକଳାର ଏହି ସନ୍ଧ୍ୟାରେ ଘୋଡ଼ାନାଚ ବିଶାରଦ ପଦ୍ମଶ୍ରୀ ଉଚ୍ଛବ ଦାସ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଗୁରୁ ଚନ୍ଦନା ରାଉଳଙ୍କ ସମେତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ପଦ୍ମଶ୍ରୀ ଉଚ୍ଛବ ଦାସ ଏବଂ ଚନ୍ଦନା ରାଉଳଙ୍କୁ ବିଭାଗ ପକ୍ଷରୁ ସମ୍ଵର୍ଦ୍ଧିତ କରାଯାଇଥିଲା।ସନ୍ଧ୍ୟାର ମୂଖ୍ୟ ଆକର୍ଷଣ ଥିଲା ଦେଶିଆ ନାଟ ଏବଂ ଗଣା ବଜା ନୃତ୍ୟ। ରାୟଗଡ଼ା ଲୋକକଳା ଗ୍ରାମ ଗେଟିପଡ଼ାର ମା’ ସନ୍ତୋଷୀ କଳା ପ୍ରତିଷ୍ଠାନ ପକ୍ଷରୁ କଳାକାରମାନେ ପାରମ୍ପରିକ ବେଶ ପୋଷାକ ପରିଧାନ କରି ପ୍ରଥମେ ‘ଦେଶିଆ ନାଟ’ ପରିବେଷଣ କରିଥିଲେ। ଦେଶିଆ ନାଟ ହେଉଛି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ ଦ୍ୱାରା ପ୍ରଚଳିତ ଏକ ପ୍ରାଚୀନ ନୃତ୍ୟ। ଭଲ ବର୍ଷା ଏବଂ ଫସଲ ଆଶାରେ ଡଙ୍ଗରିଆ କନ୍ଧମାନେ ମାଟି ମାଆଙ୍କୁ ଆରାଧନା କରିଥାନ୍ତି। ଫସଲ ଅମଳ ହେବାପରେ ଦେଶିଆ ନାଟ କରି ଉତ୍ସବ ମନାଇ ସେମାନେ ମାଟି ମାଆକୁ ଧନ୍ୟବାଦ ଦେଇଥାନ୍ତି। ଏହା ସାଧାରଣତଃ ନାଟକ ଏବଂ ନୃତ୍ୟର ସମାହାର ହୋଇଥିବାରୁ ଏହାର ନାମ ଦେଶିଆ ନାଟ ରହିଛି।

ସେହିପରି କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ବରଗଡ଼ ଜିଲ୍ଲାର ପଦମ୍‌ପୁର ସଂଗୀତ ସମିତି ପକ୍ଷରୁ କଳାକାରମାନେ ଢୋଲ, ନିଶାନ, ଦୁଲ୍‌ଦୁଲି ବଜାଇ ‘ଗଣା ବଜା’ ନୃତ୍ୟ ପରିବେଷଣ କରିଥିଲେ। ଏଥିସହ ରଙ୍ଗବତୀ, ଡାଲ୍‌ଖାଇର ତାଳେ ତାଳେ ଦୁଲୁକିଥିଲା ପୂରା ରବୀନ୍ଦ୍ର ମଣ୍ଡପ। ଲୋକକଳାର ଏହି ସ୍ଵତନ୍ତ୍ର ପରିବେଷଣ ଦର୍ଶକମାନଙ୍କୁ ବିମୋହିତ କରିଥିଲା।     ଉଭୟ ଦଳର କଳାକାରମାନଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରାଜ୍ୟ କଳାକାର ସଂଘ ଉପସଭାପତି ଅବନୀ ମିଶ୍ର ପରିଚାଳନା କରିଥିବା ବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।ଓଡ଼ିଶାର ବିଭିନ୍ନ କୋଣରେ ପ୍ରଚଳିତ ପାରମ୍ପରିକ ଲୋକକଳାର ପ୍ରଚାର ପ୍ରସାର କରିବା ନିମନ୍ତେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତି ମାସରେ ଗୋଟିଏ ଦିନ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ରାଜଧାନୀ ଭୁବନେଶ୍ଵରରେ ଅନୁଷ୍ଠିତ ହେଉଛି। ଏଣିକି ଏହା ଆଞ୍ଚଳିକ ସ୍ତରରେ ବିଭିନ୍ନ ଜିଲ୍ଲାରେ ଆୟୋଜନ କରିବାକୁ ବିଭାଗ ଯୋଜନା କରିଛି।

Comment