ଓଡ଼ିଶାଲାଇଭ୍ ବ୍ୟୁରୋ

ବରଗଡ଼ରେ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାର ଆସର ଜମିବାରେ ଲାଗିଛି। ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବରେ ପରିଚିତ ଧନୁଯାତ୍ରାରେ ଚିତ୍ତାକର୍ଷକ ଦୃଶ୍ୟାଭିନୟ ଦେଖିବା ପାଇଁ ପ୍ରବଳ ଜନସମାଗମ ହେଉଛି। କଂସ ମହାରାଜଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେଉଛି ସାରା ଅଞ୍ଚଳ। ଅନ୍ୟପଟେ ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ନନ୍ଦୋତ୍ସବ ପାଇଁ ଉତ୍ସବମୁଖର ହୋଇଛି ଗୋପପୁର।   

ବୁଧବାର ହେଉଛି ବରଗଡ଼ ଧନୁଯାତ୍ରାର ତୃତୀୟ ଦିନ। ଗୋପପୁର ପାଲଟିଥିବା ବରଗଡ଼ର ଅମ୍ବାପଲ୍ଲିରେ ନନ୍ଦୋତ୍ସବ ଆରମ୍ଭ ହୋଇଛି। ଧୁମଧାମରେ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପାଳନ କରିବାକୁ ଲାଗିପଡ଼ିଛନ୍ତି ଗୋପପୁରବାସୀ। ନାଚ ଗୀତର ଆସର ଜମିଛି। ଆଠ ଦିନ ଧରି ଗୋପପୁରରେ ଚାଲିବ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା।

ଚଳିତ ବର୍ଷ ଜାନୁଆରି ୧୫ ତାରିଖରୁ ବରଗଡ଼ ଧନୁଯାତ୍ରା ଆରମ୍ଭ ହୋଇଛି। ଏଠାରେ ପ୍ରଥମ ଦିନରେ ମଥୁରାନଗରୀରେ ଦେବକୀ-ବସୁଦେବଙ୍କ ବିବାହ ଏବଂ କାରଗାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହିପରି କଂସ ମହାରାଜଙ୍କ ଦ୍ଵାରା ଦେବକୀଙ୍କ ଗର୍ଭରୁ ଜାତ ହୋଇଥିବା ସନ୍ତାନଙ୍କୁ ହତ୍ୟା କରିବାର ଦୃଶ୍ୟ ଅଭିନୀତ ହୋଇଥିଲା। 

ଏହାପରେ ମଙ୍ଗଳବାର ଧନୁଯାତ୍ରାର ଦ୍ଵିତୀୟ ଦିନରେ କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହ ନଗର ଭ୍ରମଣରେ ବାହାରି ଥିଲେ। ନଗର ଭ୍ରମଣ ପରେ ସ୍ଥାନୀୟ ଲୋକମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଥିଲା। ରଙ୍ଗମହଲରେ କଂସ ମହାରାଜ ନୃତ୍ୟ ଗୀତରେ ମଜ୍ଜି ଯାଇଥିବା ଦେଖିବାକୁ ମିଳିଥିଲା।

ସେହିପରି ଦ୍ଵିତୀୟ ଦିନରେ ମଥୁରା ନଗରୀର କାରାଗାରରେ ଜନ୍ମ ନେଇଥିଲେ ଭଗବାନ ଶ୍ରୀକୃଷ୍ଣ। ତେବେ ଶ୍ରୀକୃଷ୍ଣଙ୍କ ପ୍ରାଣ ରକ୍ଷା କରିବା ଲାଗି ତାଙ୍କୁ ବସୁଦେବ ଗୋପପୁରକୁ ନେଇ ଆସିଥିଲେ। ସେ ନନ୍ଦ ରାଜାଙ୍କ ଘରେ ଶ୍ରୀକୃଷ୍ଣଙ୍କୁ ରଖି ତାଙ୍କ କନ୍ୟାକୁ କାରାଗାରକୁ ଆଣିବାର ଦୃଶ୍ୟ ବେଶ୍ ମନୋରମ ଥିଲା।

୧୧ ଦିନ ଧରି ଚାଲିବାକୁ ଥିବା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ। ଧନୁଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ଲାଗି ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Tags: #BargarhDhanuJatra #ShreeKrishna #KansaMaharaj #Gopapur #Bargarh

LEAVE A REPLY

Please enter your comment!
Please enter your name here