ଓଡ଼ିଶାଲାଇଭ୍ ବ୍ୟୁରୋ

  • ହାଇକୋର୍ଟଙ୍କ ଅନୁମତି ବିନା ରାଜ୍ୟ ସରକାର ଗଢ଼ି ପାରିବେନି ନୂଆ ଜିଲ୍ଲା
  • ରାଜ୍ୟ ସରକାରଙ୍କୁ ଝଟକା, ଅଧାରେ ଅଟକିଲା ପଦ୍ମପୁର ଜିଲ୍ଲା ସ୍ଵପ୍ନ
  • ଶୀତ ଅବକାଶ ପରେ ପରବର୍ତ୍ତୀ ଶୁଣାଣି

ହାଇକୋର୍ଟଙ୍କ ବିନା ଅନୁମତିରେ ନୂଆ ଜିଲ୍ଲା ଗଠନ କରିପାରିବେ ନାହିଁ ରାଜ୍ୟ ସରକାର। ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଥିବାବେଳେ ଓଡ଼ିଶା ହାଇକୋର୍ଟ ଏହି ମାମଲାରେ ଦାୟର ଆବେଦନର ଶୁଣାଣି କରି ଏହିପରି ରାୟ ଦେଇଛନ୍ତି। ନୂଆ ଜିଲ୍ଲା ଗଠନ ନିଷ୍ପତ୍ତି ପ୍ରକ୍ରିୟାରେ କେବଳ ରାଜ୍ୟ ସରକାର ଅଂଶ ଗ୍ରହଣ କରିପାରିବେ ବୋଲି କୋର୍ଟ କହିଛନ୍ତି।

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବାକୁ ଗତ ୨୦୨୨ ମସିହା ନଭେମ୍ବର ମାସରେ ଘୋଷଣା କରିଥିଲେ ରାଜ୍ୟ ସରକାର। ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଏହି ଘୋଷଣା ହୋଇଥିବାରୁ ରାଜନୈତିକ ସ୍ଵାର୍ଥ ରଖି ରାଜ୍ୟ ସରକାର ଜିଲ୍ଲା ଗଠନ ନିଷ୍ପତ୍ତି ନେଇଥିବା ଅଭିଯୋଗ କରି ଓଡ଼ିଶା ହାଇକୋର୍ଟରେ ଏକ ମାମଲା ହୋଇଥିଲା।

ଜିଲ୍ଲା ଘୋଷଣା କରିବା ସମୟରେ ରାଜ୍ୟ ସରକାର ଅର୍ଥନୈତିକ ସ୍ଥିତି, ଜନସଂଖ୍ୟା, ଅଞ୍ଚଳର ପରିସୀମା ଏବଂ ପଚୁଆ ପ୍ରସଂଗକୁ ବିଚାରକୁ ନେଉନଥିବା ଆବେଦନ ପତ୍ରରେ ଦର୍ଶାଇଥିଲେ ଆବେଦନକାରୀ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ ତଥା ରାଇରଙ୍ଗପୁର ବାର୍ ଆସୋସିଏସନ ସଭାପତି ଅକ୍ଷୟ କୁମାର ମହାନ୍ତି।

ସେ ଆହୁରି ଦର୍ଶାଇଛନ୍ତି ଯେ, ୧୯୭୫ ମସିହାରୁ ରାଇରଙ୍ଗପୁରକୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବା ପାଇଁ ଦାବି ହୋଇଆସୁଛି। ଜିଲ୍ଲା ମାନ୍ୟତା ପାଇବା ପାଇଁ ରାଇରଙ୍ଗପୁର ସବୁ ଦୃଷ୍ଟିରୁ ଯୋଗ୍ୟତା ବହନ କରୁଥିଲେ ମଧ୍ୟ ରାଜ୍ୟ ସରକାର ଏହି ଦାବି ଉପରେ ଗୁରୁତ୍ଵ ନେଇନାହାନ୍ତି। କିନ୍ତୁ ରାଜନୈତିକ ଉଦ୍ଦେଶ୍ୟ ରଖି ସରକାର ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି।

ଏହି ମାମଲା ଉପରେ ବିଚାର କରି କୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ଜିଲ୍ଲା ଗଠନ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ହାଇକୋର୍ଟ ଜିଲ୍ଲା ମାନ୍ୟତା ଉପରେ ଅନ୍ତରୀଣ ରୋକ୍ ଲଗାଇଛନ୍ତି। ଶୀତ ଅବକାଶର ଦୁଇ ସପ୍ତାହ ପରେ ଏଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଧାର୍ଯ୍ୟ ହୋଇଛି।

Tags: #Politics #OdishaHightCourt #Judgement #NewDistrictIssue #Padmapur #Odisha #Bargarh #OdishaGovt

Comment