ଓଡ଼ିଶାଲାଇଭ୍ ବ୍ୟୁରୋ

ଧନୁଯାତ୍ରା ଲାଗି ଚଳଚଞ୍ଚଳ ହୋଇଛି ବରଗଡ଼ ସହର। କଂସ ମହାରାଜାଙ୍କ ଶାସନ ଏବଂ ଗୋପପୁରରେ କୃଷ୍ଣ ବଳରାମଙ୍କ ଲୀଳା ଲୋକମାନଙ୍କୁ ପ୍ରଫୁଲ୍ଲିତ କରୁଛି। ପ୍ରତିଦିନ ଅନେକ ସଂଖ୍ୟାରେ ଲୋକ ଧନୁଯାତ୍ରାକୁ ଉପଭୋଗ କରିବାକୁ ଆସୁଛନ୍ତି। ଭଗବାନ ଶ୍ରୀକୃଷ୍ଣ ଏବଂ କଂସ ମହାରାଜଙ୍କ ଚିତ୍ତାକର୍ଷକ ଦୃଶ୍ୟାଭିନୟ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରୁଛି।

ଶୁକ୍ରବାର ବରଗଡ଼ ଧନୁଯାତ୍ରା ପଞ୍ଚମ ଦିନରେ ପହଞ୍ଚିଛି। ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଗୋପପୁରବାସୀଙ୍କୁ ଆତ୍ମବିଭୋର କରିଛି। ସମସ୍ତେ କୃଷ୍ଣ ପ୍ରେମରେ ହଜି ଯାଇଛନ୍ତି। ଅନ୍ୟପଟେ କୃଷ୍ଣଙ୍କୁ ମାରିବାକୁ ଆସିଥିବା ପୁତନା ଓ ଷଡ଼ମଲ୍ଲଙ୍କ ମୁତ୍ୟୁକୁ ନେଇ କଂସ ମହାରାଜ ବିବ୍ରତ ହୋଇଥିବା ଦେଖିବାକୁ ମିଳିଛି।  

ସେହିପରି ଧନୁଯାତ୍ରାରେ ପଞ୍ଚମ ଦିନରେ ଗୋପପୁରରେ କୃଷ୍ଣ-ବଳରାମଙ୍କ ବାଲ୍ୟ ଲୀଳା ଅଭିନୀତ ହେବ। ଏଥିରେ କାଳୀୟ ଦଳନର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିବ। ଅନ୍ୟପଟେ କଂସ ମହାରାଜ ଓ ମଗଧ ରାଜା ଜରାସନ୍ଧ ମଧ୍ୟରେ ଯୁଦ୍ଧ ଅଭିନୀତ ହେବ।

ଅନ୍ୟପଟେ ଗୁରୁବାର ଧନୁଯାତ୍ରାର ଚତୁର୍ଥ ଦିବସରେ ଶ୍ରୀକୃଷ୍ଣଙ୍କ ଦ୍ଵାରା ରାକ୍ଷସୀ ପୁତନା ବଧ ହୋଇଥିଲା। ଏହାପରେ କଂସ ପ୍ରେରିତ ବକା, ଶକଟା, ତୃଣା, ଧେନୁ, ଷଣ୍ଢା, ଅଘାସୁରଙ୍କ ଭଳି ଷଡ଼ମଲ୍ଲଙ୍କୁ ଶ୍ରୀକୃଷ୍ଣ ଓ ବଳରାମ ବଧ କରିଥିଲେ। ଶ୍ରୀକୃଷ୍ଣ ନିଜର ବାଲ୍ୟ ସୁଲଭ ଚପଳାମିରେ ଜଗତ ଉଦ୍ଧାରର ବର୍ତ୍ତା ପ୍ରେରଣ କରିଥିଲେ।

୧୧ ଦିନର ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆବସରରେ ମହାରାଜ କଂସଙ୍କ ରଙ୍ଗମହଲରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଧନୁଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ଲାଗି ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Tags: #BargarhDhanuJatra #ShreeKrishna #KansaMaharaj #Gopapur #Bargarh

LEAVE A REPLY

Please enter your comment!
Please enter your name here