ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ହୋଇଛି ଡିଜିଟାଲ ପୁସ୍ତକ ଚର୍ଚ୍ଚା। ଏହି ପୁସ୍ତକ ଚର୍ଚ୍ଚାର ଚତୁର୍ଥ ସଂସ୍କରଣରେ ନାଟ୍ୟକାର ବିଜୟ ମିଶ୍ରଙ୍କ ‘ତଟ ନିରଞ୍ଜନା’ ନାଟ୍ୟ ପୁସ୍ତକ ସ୍ଥାନ ପାଇଛି। ଏହି ପୁସ୍ତକ ଉପରେ ଆଲୋଚନା କରିଛନ୍ତି ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର ତଥା ସମୀକ୍ଷକ ରଣଜିତ୍ ପଟ୍ଟନାୟକ।

‘ପୁସ୍ତକ ଚର୍ଚ୍ଚା’ କାର୍ଯ୍ୟକ୍ରମର ପ୍ରଥମରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡକ୍ଟର ଭାଗ୍ୟଲିପି ମଲ୍ଲ ନାଟ୍ୟକାର ରଣଜିତ୍ ପଟ୍ଟାନାୟକଙ୍କୁ ସ୍ୱାଗତ କରିଥିଲେ। ଏହାପରେ ରଣଜିତ୍ ପଟ୍ଟନାୟକ ‘ତଟ ନିରଞ୍ଜନା’ ନାଟ୍ୟ ପୁସ୍ତକକୁ ନେଇ ଆଲୋଚନା କରିଥିଲେ।ରଣଜିତ୍ ପଟ୍ଟନାୟକ କହିଥିଲେ, “ତଟ ନିରଞ୍ଜନା ନାଟକ ହେରମାନ୍ ହେସଙ୍କ ସିଦ୍ଧାର୍ଥ ନୁହେଁ, କିମ୍ବା ସୁରେନ୍ଦ୍ର ମହାନ୍ତିଙ୍କ ମହାନିର୍ବାଣ ନୁହେଁ। ତଟ ନିରଞ୍ଜନା ସ୍ୱୟଂ ଏକ ଦାର୍ଶନିକ ବକ୍ତବ୍ୟକୁ ସମ୍ପୂର୍ଣ୍ଣ ନାଟକରେ ବହନ କରେ। ଏହା ବ୍ୟକ୍ତି ଚେତନାର ମୁକ୍ତି ବ୍ୟାକୁଳତାକୁ ଆଧାର କରି ରଚନା କରାଯାଇଛି।”

ନାଟ୍ୟକାର ବିଜୟ ମିଶ୍ର ବୃତ୍ତିରେ ଜଣେ ଯନ୍ତ୍ରୀ ଥିଲେ। ହେଲେ ଚିନ୍ତା ଓ ଚେତନାର ମନ୍ତ୍ରରେ ସେ ନିଜର ସାହିତ୍ୟିକ ଜୀବନ ଆରମ୍ଭ କରିବାକୁ ଆଗ୍ରହୀ ଥିଲେ। ପ୍ରାରମ୍ଭିକ ଅବସ୍ଥାରେ ସେ ଅନ୍ନପର୍ଣ୍ଣା ନାଟ୍ୟ ସଂଘ ସହ ଯୋଗଯୋଗ କରି ନାଟ୍ୟ ରଚନା ଆରମ୍ଭ କରିଥିଲେ। ପରେ ପରେ ସେ ଶବ ବାହକମାନେ, ଜଣେ ରାଜା ଥିଲେ, ଜନନୀ ଓ ଆର୍ତ୍ତନାଦ କାଳଜୟୀ ପୁସ୍ତକ ରଚନା କରିଥିଲେ। ନାଟ୍ୟ ରଚନାର ଶୀର୍ଷରେ ପହଞ୍ଚିବା ପରେ ବିଜୟ ମିଶ୍ର ରଚନା କରିଥିଲେ ‘ତଟ ନିରଞ୍ଜନା’ ନାଟକ। ଯାହା ତାଙ୍କୁ ସାହିତ୍ୟ ଓ ନାଟ୍ୟ ସାହିତ୍ୟ ରଚନା କ୍ଷେତ୍ରରେ ଆହୁରି ଉର୍ଦ୍ଧ୍ୱକୁ ନେଇଯାଇଥିଲା।‘ତଟ ନିରଞ୍ଜନା’ ପୁସ୍ତକ ଉପରେ ଆଲୋଚନା କରି ରଣଜିତ୍ ପଟ୍ଟନାୟକ କହିଥିଲେ ଯେ, ଗୌତମ ବୁଦ୍ଧ ନିରଞ୍ଜନା ନଦୀ କୂଳରେ ସାଧନା ରତ ହେବା ପରେ ଜ୍ଞାନପ୍ରାପ୍ତି ହୋଇଥିଲେ। ଏହାପରେ ସେ ତାଙ୍କର ସେହି ଜ୍ଞାନକୁ ଲୋକଙ୍କ ମଧ୍ୟରେ ବାଣ୍ଟିବାକୁ ଲାଗିଥିଲେ। କାମନାର ବିନାଶରେ ହିଁ ଦୁଃଖର ବିନାଶ ସମ୍ଭବପର ବୋଲି ବୁଦ୍ଧ ସାରା ବିଶ୍ୱକୁ ଜଣାଇଥିଲେ। ହେଲେ ବୁଦ୍ଧଙ୍କର ଏହି ବାଣୀକୁ ନେଇ ଯୁକ୍ତି କରିଥିଲେ ଇଚ୍ଛାମତୀ।

ନୀଳ ଲୋହିତ ଓ ଇଚ୍ଛମତୀ ହେଉଛନ୍ତି ଦୁଇ ଜଣ ବୁଦ୍ଧ ଭିକ୍ଷୁ ଓ ଭିକ୍ଷୁଣୀ। ନୀଳ ଲୋହିତ ବୁଦ୍ଧଙ୍କ ବାଣୀରେ ପ୍ରଭାବିତ ହୋଇ ସଂଘରେ ଯୋଗ କରିଥିଲେ। ହେଲେ ଇଚ୍ଛମତୀ ନୀଳ ମୋହିତଙ୍କ ପ୍ରେମରେ ପଡ଼ି ତାଙ୍କର ସାନିଧ୍ୟ ପାଇବା ପାଇଁ ସଂଘରେ ଯୋଗ ଦେଇଥିଲେ। ନିର୍ବାଣ ପ୍ରାପ୍ତି କିମ୍ବା ସଂଘର ନିୟମ ମାନିବାକୁ ଇଚ୍ଛାମତୀ କଦାପି ଗୁରୁତ୍ୱ ଦେଉନଥିଲେ।ଦିନେ ଇଚ୍ଛାମତୀ ବର୍ଷାରେ ଭିଜିଲା ପରେ ନୀଳ ଲୋହିତଙ୍କ ସାନିଧ୍ୟ ପାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ହେଲେ ଇଚ୍ଛାମତୀର ଏଭଳି ଆଚରଣ ଦେଖି ସଂଘର ବରିଷ୍ଠ ପ୍ରଶାସକ ଆନନ୍ଦ ଓ ଶାରୀପୂତଙ୍କୁ କ୍ଷୁବ୍ଧ ହୋଇଥିଲେ। ଏପଟେ ନୀଳ ଲୋହିତ ମଧ୍ୟ ବୁଦ୍ଧଙ୍କ ବାଣୀ ଓ ସୁନ୍ଦରୀ ଇଚ୍ଛମତୀ କାହାକୁ ଗ୍ରହଣ କରିବ ତାକୁ ନେଇ ଦ୍ୱନ୍ଦରେ ରହିଥିଲେ।

ହେଲେ ଏସବୁ ମଧ୍ୟରେ ଇଚ୍ଛମତୀର ଯୁକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଇଚ୍ଛମତୀ ପ୍ରଶ୍ନ କରିଛନ୍ତି ଯେ, ଜଣେ ମଣିଷ ସଂସାରରେ ରହି ଯଦି କାମନା ବାସନାରୁ ଉର୍ଦ୍ଧ୍ୱରେ ରହିଲେ ତାହା କେତେ ସଠିକ୍। ସମ୍ପୂର୍ଣ୍ଣ ସଂସାରରୁ ବାଦ୍ ପଡ଼ି ଅରଣ୍ୟ ଭିତରେ ରହି କାମନା ବାସନାକୁ ତ୍ୟାଗ କଲେ ଲାଭ କ’ଣ ବୋଲି ସେ ଯୁକ୍ତି କରିଛନ୍ତି। ଇଚ୍ଛମତୀଙ୍କ ଏହି ଯୁକ୍ତି ଗୌତମ ବୁଦ୍ଧଙ୍କ କାନରେ ମଧ୍ୟ ପଡ଼ିଛି। ଯାହାକୁ ଶୁଣି ବୁଦ୍ଧ ବିଚଳିତ ହୋଇପଡ଼ିଛନ୍ତି। ଶେଷରେ ବୁଦ୍ଧ ସଂଘର ପ୍ରଶାସକ ଆନନ୍ଦ ଓ ଶାରୀପୂତଙ୍କୁ ଡାକି ନିଜ ମନର ବିଚଳତାକୁ ପରିପ୍ରକାଶ କରିଛନ୍ତି। ତାଙ୍କ ଦ୍ୱାରା ପ୍ରଚାରିତ ବାଣୀ ଓ ତାଙ୍କ ଜ୍ଞାନପ୍ରାପ୍ତିକୁ ନେଇ ମଧ୍ୟ ବୁଦ୍ଧ ପ୍ରଶ୍ନ କରିଛନ୍ତି। ଶେଷରେ ବୁଦ୍ଧ ବୈଶାଳୀ ଆମ୍ରବନରୁ ଶିବିର ଭାଙ୍ଗି ଘୋର ଅରଣ୍ୟରେ ଯାତ୍ରା ଆରମ୍ଭ କରିଛନ୍ତି ବୋଲି ତଟ ନିରଞ୍ଜନା ନାଟ୍ୟ ପୁସ୍ତକର ଆଲୋଚନା କରି କହିଛନ୍ତି ରଣଜିତ୍ ପଟ୍ଟନାୟକ।ଏଥିସହିତ ଗୌତମ ବୁଦ୍ଧ ନିରଞ୍ଜନା ନଦୀ କୂଳରେ ତପସ୍ୟା କରିବା ସମୟରେ ସୁଜାତା ନାମ୍ନୀ ବନ୍ଧ୍ୟା ନାରୀ ସହ କେଉଁଭଳି ଆଚରଣ ପ୍ରଦର୍ଶନ କରିଥିଲେ ତାହା ମଧ୍ୟ ‘ତଟ ନିରଞ୍ଜନା’ରେ ଅତି ଚତ୍ମକାର ଢଙ୍ଗରେ ସ୍ଥାନ ପାଇଛି ବୋଲି କହିଛନ୍ତି ରଣଜିତ୍ ପଟ୍ଟନାୟକ। ପରିଶେଷରେ ସେ ‘ତଟ ନିରଞ୍ଜନା’ ନାଟ୍ୟ ପୁସ୍ତକର କିଛି ଅଂଶକୁ ପଢ଼ି ‘ପୁସ୍ତକ ଚର୍ଚ୍ଚା’କୁ ଶେଷ କରିଥିଲେ।

ପୁସ୍ତକ ଚର୍ଚ୍ଚାର ଏହି ଡିଜିଟାଲ ସଂସ୍କରଣକୁ ସଞ୍ଚାଳନ କରିଥିଲେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡକ୍ଟର ଭାଗ୍ୟଲିପି ମଲ୍ଲ।

Comment